‌ଡେଉଁଛି ଡେଙ୍ଗୁ, ୫୦ ଉପରେ ଦୈନିକ ସଂକ୍ରମଣ

ଭୁବନେଶ୍ବର : ଗୋଟିଏପଟେ କରୋନା ଆଉ ଅନ୍ୟପଟେ ଡେଙ୍ଗୁ। ଉଭୟ ଏବେ ରାଜଧାନୀବାସୀଙ୍କୁ ଆତଙ୍କିତ କରି ରଖିଛନ୍ତି। ଗତ ଜାନୁଆରିରେ ଶେଷ ଆଡ଼କୁ ଶୈଳଶ୍ରୀବିହାରରୁ ଚିହ୍ନଟ ହୋଇଥିବା ଡେଙ୍ଗୁ ଏବେ ସାରା ଭୁବନେଶ୍ବରକୁ ଡେଇଁଲାଣି। ଏଯାବତ୍‌ ୧୨୮୬ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ଦୈନିକ ସଂକ୍ରମଣ ୫୦ ତଳକୁ ଖସୁନି। ତେବେ ଡେଙ୍ଗୁ ମୃତ୍ୟୁ ନେଇ ସରକାରୀ ଭା‌ବେ ଘୋଷଣା ହୋଇନାହିଁ।

ଗତ ଜାନୁଆରି ମାସରେ ଶୈଳଶ୍ରୀବିହାରରେ ପ୍ରଥମ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲେ। ଅଗଷ୍ଟ ୫ ସୁଦ୍ଧା ନୀଳାଦ୍ରିବିହାର ଅଞ୍ଚଳରେ ୫୫ ଜଣ, ଶୈଳଶ୍ରୀବିହାରରେ ୫୧, ୟୁନିଟ-୧ ରେ ୨୮, ନୂଆପଲ୍ଲୀରେ ୨୫, ଡୁମୁଡୁମାରେ ୧୦ , ଲକ୍ଷ୍ମୀସାଗରରେ ୨୪, ଚିନ୍ତାମଣିଶ୍ବରରେ ୧୨, କଳ୍ପନାରେ ୩୪, ବିଜେବିନଗରରେ ୨୯, ୟୁନିଟ-୬ ରେ ୨୭, ସତ୍ୟନଗରରେ ୧୨, ନାଗେଶ୍ବରଟାଙ୍ଗୀ ଓ ଖଣ୍ଡଗିରିରେ ୧୭, ଚନ୍ଦ୍ରଶେଖରପୁରରେ ୫୦, ପୁରୁଣା ଭୁବନେଶ୍ବରରେ ୧୯, ଖାରବେଳନଗରରେ ୧୩, ଜୟଦେବବିହାରରେ ୧୩ , ସାଲିଆସାହିରେ ୯, ମଞ୍ଚେଶ୍ବରରେ ୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଅର୍ଥାତ୍‌ ମାତ୍ର କେଇ ମାସ ମଧ୍ୟରେ ସାରା ସହରକୁ ବ୍ୟାପୀ ଯାଇଥିଲା ଡେଙ୍ଗୁ। ଜୁଲାଇ ସୁଦ୍ଧା ମାତ୍ର ୫୭୫ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲେ। ହେଲେ ଅଗଷ୍ଟ ୧୫ ସୁଦ୍ଧା ଏହି ସଂଖ୍ୟା ୧୨୮୬ରେ ପହଞ୍ଚିଗଲା। ଅର୍ଥାତ୍ ମାତ୍ର ୧୫ ଦିନ ଭିତରେ ୭୧୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।

ଗତ ୭ ଦିନର ପରିସଂଖ୍ୟାନକୁ ‌ହିସାବକୁ ନେଲେ ଡେଙ୍ଗୁ ଉପରେ ଯେ ନିୟନ୍ତ୍ରଣ ଆସିନାହିଁ ତାହା ସ୍ପଷ୍ଟ ହେଉଛି। ଗତ ୯ ତାରିଖ ଦିନ ୩୬ ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୦ ତାରିଖ ଦିନ ୩୫, ୧୧ରେ ୪୯, ୧୨ରେ ୫୫, ୧୩ରେ ୪୯, ୧୪ରେ ୬୭ ଓ ଗତକାଲି ୫୭ ଚିହ୍ନଟ ହୋଇଛନ୍ତି। ଆଜି ପର୍ଯ୍ୟନ୍ତ ୧୨୮୬ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇ ସାରିଲେଣି। ତେବେ ଆଜି ପର୍ଯ୍ୟନ୍ତ ୯୫୭ ଜଣ ସୁସ୍ଥ ହୋଇ ସାରିଛନ୍ତି। ଅର୍ଥାତ୍‌ ଏବେ ରାଜଧାନୀ‌ରେ ୩୨୯ ସକ୍ରିୟ ଆକ୍ରାନ୍ତ ରହିଛନ୍ତି। ଗତ ଜୁନ୍‌ ମାସରେ ଜଣେ ନାବାଳିକାଙ୍କର ଡେଙ୍ଗୁରେ ମୃତ୍ୟୁ ହୋଇଥିବା ନେଇ ଚର୍ଚ୍ଚା ହୋଇଥିଲେ ମଧ୍ୟ ପ୍ରଶାସନ ଏହାକୁ ସ୍ବୀକାର କରିନାହିଁ।

ଡେଙ୍ଗୁ ବ୍ୟା‌ପିବା ନେଇ ବିଭିନ୍ନ ରାଜନୈତିକ ଦଳ ବିଏମ୍‌ସିକୁ ଦୋଷୀ ଦର୍ଶାଇବା ସହ ସରକାରଙ୍କୁ ମଧ୍ୟ ଘେରିଥିଲେ। ଏହା ପରେ ବିଏମ୍‌ସି ତତ୍ପର ହୋଇଥିଲା। ସଚେତନତା ପାଇଁ ସ୍ବତନ୍ତ୍ର ରଥ ବୁଲାଇବା ସହ ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ସାମିଲ କରିଥିଲା। ସ୍ବଚ୍ଛ ସାଥୀଙ୍କ ସହ ବରି‌ଷ୍ଠ ଅଧିକାରୀ ମଧ୍ୟ ଘରକୁ ଘର ବୁଲି ସର୍ବେକ୍ଷଣ କରିଥିଲେ। ଲାର୍ଭା ଚିହ୍ନଟ କରି ନଷ୍ଟ କରିବା ସହ ପ୍ରତ୍ୟେକ ଘରକୁ ବୁଲି ସ୍ଥିତାବସ୍ଥା ଜାଣିବା ପାଇଁ ଲକ୍ଷ୍ୟ ରଖିଥିଲା ବିଏମ୍‌ସି। ବିଏମ୍‌ସିର ସ୍ବତନ୍ତ୍ର ଦଳ ଏଯାବତ୍‌ ୧୬ହଜାର ୬୦୮ ଘର ବୁଲି ୭୦ ହଜାର ୨୭୮ ଲୋକଙ୍କୁ ସଚେତନ କରିସାରିଲାଣି। ୪୩ ହଜାର ୬୩୭ ଉତ୍ସରୁ ୪୪ ହଜାର ୨୧୬ ଲାର୍ଭା ଚିହ୍ନଟ ହୋଇଛନ୍ତି। ହେଲେ ବିଏମ୍‌ସି ଯେତିକି ତତ୍ପର ହେଉଛି ଡେଙ୍ଗୁ ସେତିକି ବେକାବୁ ହେଉଥିବା ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର