ଏସ୍‌ସିବିରେ ୫ମାସରେ ୭୦ ଡେଙ୍ଗୁ ରୋଗୀ : ବେଙ୍ଗାଲୁରୁ ଫେରନ୍ତା ରୋଗୀଙ୍କ ସଂଖ୍ୟା ଅଧିକ, ଖୁବ୍‌ଶୀଘ୍ର ଖୋଲିବ ସ୍ବତନ୍ତ୍ର ଡେଙ୍ଗୁ ୱାର୍ଡ

କଟକ : ଏସ୍‌ସିବିରେ ଦିନକୁ ଦିନ ବଢି ଚାଲିଛି ଡେଙ୍ଗୁ ‌ରୋଗୀଙ୍କ ସଂଖ୍ୟା। ସପ୍ତାହରେ ୫/୬ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଥିବାବେଳେ, ଜୁନ୍‌ରେ କେବଳ ୨୦ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ଗଲା ୫ମାସ ଭିତରେ ୭୦ ଡେଙ୍ଗୁ ‌ରୋଗୀ ଏସ୍‌ସିବିରେ ଚିହ୍ନଟ ହେଲେଣି। ସେଥିରୁ ବେଙ୍ଗାଲୁରୁ ଫେରନ୍ତା ରୋଗୀଙ୍କ ସଂଖ୍ୟା ଅଧିକ ଥିବା ଜଣାପଡିଛି। ବର୍ତ୍ତମାନ ସୁଦ୍ଧା ନିୟମିତ ବ୍ୟବଧାନରେ ରୋଗୀ ଆସୁନଥିବାରୁ ସ୍ବତନ୍ତ୍ର ଡେଙ୍ଗୁ ୱାର୍ଡ ଖୋଲାଯାଇପାରିନି। କିନ୍ତୁ ଖୁବ୍‌ଶୀଘ୍ର ୱାର୍ଡ ଖୋଲାଯିବ ବୋଲି ଏସ୍‌ସିବି ପକ୍ଷରୁ ସୂଚନା ମିଳିଛି। ସୂଚନା ଅନୁସାରେ, ଗଲା କିଛି ବର୍ଷ ହେଲା କଟକରେ ଡେଙ୍ଗୁ ସ୍ଥିତି ଉଦ୍‌ବେଗଜନକ ହୋଇଛି। ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ପ୍ରକୃତରେ ‌କଟକ ଜିଲ୍ଲାରେ କେତେ ରହିଛି, ସେ ନେଇ ପ୍ରକୃତ ତଥ୍ୟ ସ୍ବାସ୍ଥ୍ୟ ବିଭାଗ ପାଖରେ ନାହିଁ। ଜାନୁଆରିରୁ ଜନ୍‌ ୩୦ସୁଦ୍ଧା ଏସ୍‌ସିବିରେ ୭୦ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ତେବେ ଯେଉଁମାନେ ଡେଙ୍ଗୁରେ ଆକ୍ରାନ୍ତ ହୋଇଛନ୍ତି ସେମାନେ କଟକରେ ରହୁନାହାନ୍ତି ବରଂ ବେଙ୍ଗାଲୁରୁ, ପୁନେ, ଚେନ୍ନାଇରେ ଡେଙ୍ଗୁରେ ଆକ୍ରାନ୍ତ ହୋଇ ଆସୁଥିବା ଜଣାପଡ଼ିଛି। ଘରକୁ ଆସି ପରୀକ୍ଷା କରିବା ପରେ ସେମାନଙ୍କଠାରେ ଡେଙ୍ଗୁ ରୋଗ ଚିହ୍ନଟ ହୋଇଥିବା ଏସ୍‌ସିବି ମେଡିସିନ୍‌ ବିଭାଗ ଆସୋସିଏଟ୍‌ ପ୍ରଫେସର ତଥା ଡେଙ୍ଗୁ ନୋଡାଲ ଅଫିସର ଡାକ୍ତର ଶ୍ରୀପ୍ରସାଦ ମହାନ୍ତି ସୂଚନା ଦେଇଛନ୍ତି। ଏସ୍‌ସିବି କ୍ୟାମ୍ପସରେ ଗତବର୍ଷ ଡେଙ୍ଗୁରେ ୫/୬ଜଣ ଆକ୍ରାନ୍ତ ହୋଇଥିବାବେଳେ ଏ ନେଇ କ୍ୟାମ୍ପସ ପରିସରରେ ଯେଉଁଭଳି ସତର୍କତା ଅବଲମ୍ବନ କରାଯିବା କଥା ତା’ କରାଯାଉନଥିବା ଅଭିଯୋଗ ହେଉଛି।

ସମ୍ବନ୍ଧିତ ଖବର