ଅଣାୟତ୍ତ ହେଲାଣି ସିଙ୍ଗିପୁର ସ୍ଥିତି : ଡେଙ୍ଗୁ ନେଲା ଆଉ ଏକ ଜୀବନ, ମୃତ୍ୟୁ ସଂଖ୍ୟା ୫ ଛୁଇଁଲା

କାଶୀନଗର/ପାରଳାଖେମୁଣ୍ଡି : ଡେଙ୍ଗୁ ଜ୍ୱରରେ କମ୍ପୁଛି ଗଜପତି ଜିଲ୍ଲା କାଶୀନଗର ବ୍ଲକ କେ.ସୀତାପୁର ପଞ୍ଚାୟତ ସିଙ୍ଗିପୁର ଗ୍ରାମ। ନିୟନ୍ତ୍ରଣ ବଦଳରେ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ଦିନକୁ ଦିନ ବଢିବାରେ ଲାଗିଛି। ଏଭଳି ସ୍ଥିତିରେ ବ୍ରହ୍ମପୁର ବଡ଼ମେଡିକାଲରେ ଆଜି ସକାଳେ ଆଉ ଜଣେ ଡେଙ୍ଗୁ ଆକ୍ରାନ୍ତ ଲକ୍ଷ୍ମୀନାରାୟଣ ଚିନ୍ତଡ଼ା (୪୨)ଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ମୃତକଙ୍କ ସଂଖ୍ୟା ୫ରେ ପହଞ୍ଚିଛି। ହରିଜନ ସାହିର ବାସିନ୍ଦା ଲକ୍ଷ୍ମୀନାରାୟଣଙ୍କ ମା’ ମାଣିକ୍ୟ ଚିନ୍ତଡ଼ା ୧୫ ଦିନ ପୂର୍ବେ ଅର୍ଥାତ୍‌ ଗତ ୩ ତାରିଖରେ ଜ୍ୱରରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିଲେ।

ଅଳ୍ପ ଦିନ ବ୍ୟବଧାନରେ ମା’ ଓ ପୁଅର ମୃତ୍ୟୁ ପରେ ପରିବାର ଉପରେ ଯେମିତି ଦୁଃଖର ପାହାଡ଼ ଭାଙ୍ଗି ପଡ଼ିଛି। ସେପଟେ ଲକ୍ଷ୍ମୀଙ୍କ ପତ୍ନୀ ପ୍ରଭା ଚିନ୍ତଡ଼ା ମଧ୍ୟ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ସେ ମଧ୍ୟ ବ୍ରହ୍ମପୁର ବଡ଼ମେଡିକାଲରେ ଚିକିତ୍ସିତ ହେଉଥିଲେ। କିନ୍ତୁ ଆଜି ସେ ପତିଙ୍କ ଶବ ସହ ଗାଁକୁ ଫେରି ଚାଲି ଆସିଛନ୍ତି। ଫଳରେ ଏଭଳି ସ୍ଥିତିକୁ ନେଇ ପରିବାର ଲୋକଙ୍କ ଚିନ୍ତା ବଢିବାରେ ଲାଗିଛି।

ଖାଲି ଏତିକି ନୁହେଁ, ଗ୍ରାମରେ ପୁଣି ୫୦ରୁ ଅଧିକ ଲୋକ ଜ୍ୱରରେ ଆକ୍ରାନ୍ତ ହୋଇ ପାରଳାଖେମୁଣ୍ଡି ସମେତ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ, ବିଶାଖାପାଟଣା ଆଦି ସହରରେ ଥିବା ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି।

ଗତ ଦୁଇ ସପ୍ତାହ ଧରି କାଶୀନଗର ବ୍ଲକର ସିଦ୍ଧାମଡ଼ଙ୍ଗ, ସିଙ୍ଗିପୁର ଓ ଖୁରିଗାଁ ସମେତ ବିଭିନ୍ନ ଗ୍ରାମରେ ଜ୍ୱର ଆତଙ୍କ ଜାରି ରହିଛି। ବିଶେଷକରି ସିଙ୍ଗିପୁର ଗ୍ରାମରେ ଅଧିକ ସଂଖ୍ୟାରେ ଲୋକେ ଆକ୍ରାନ୍ତ ହୋଇ ଥିଲେ। ଗତ ୩ ତାରିଖରେ ହରିଶ୍ଚନ୍ଦ୍ର ଚିନ୍ତଡ଼ା, ମାଣିକ୍ୟ ଚିନ୍ତଡ଼ାଙ୍କ ମୃତ୍ୟୁ ହୋଇଥିବା ବେଳେ ପରେ ପ୍ରଦୀପ କୁମାର ବୀର ବ୍ରହ୍ମପୁର ବଡ଼ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିଲେ। ସମସ୍ତଙ୍କ ଡେଙ୍ଗୁରେ ମୃତ୍ୟୁ ହୋଇଥିବା ସେମାନଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ ବି ଏହାକୁ ସ୍ୱାସ୍ଥ୍ୟ ବିଭାଗ ଅସ୍ୱୀକାର କରି ଆସୁଥିଲା। ଏଭଳି ପରିସ୍ଥିତିରେ ଗତ ରାତିରେ ମୃତକ ମାଣିକ୍ୟଙ୍କ ପୁଅ ଲକ୍ଷ୍ମୀନାରାୟଣଙ୍କ ବ୍ରହ୍ମପୁର ବଡ଼ମେଡିକାଲରେ ମୃତ୍ୟୁ ହେବା ପରେ ସ୍ୱାସ୍ଥ୍ୟ ବିଭାଗର ନିଦ ହଜିଯାଇଛି। ଲକ୍ଷ୍ମୀନାରାୟଣ ପ୍ରଥମେ ପାରଳାଖେମୁଣ୍ଡିରେ ଚିକିତ୍ସିତ ହେଉଥିବା ବେଳେ ବ୍ରହ୍ମପୁର ବଡ଼ମେଡିକାଲରେ ତାଙ୍କ ନମୁନାରେ ଡେଙ୍ଗୁ ଭୂତାଣୁ ଚିହ୍ନଟ ହୋଇଥିଲା। ଗତକାଲି ତାଙ୍କ ଅବସ୍ଥା ସଂକଟାପନ୍ନ ହୋଇଥିଲା।

ଅନ୍ୟପକ୍ଷରେ ମୃତକଙ୍କ ସଂଖ୍ୟା ବଢିବା ପରେ ଗଜପତି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପୁଣି ଚେଇଁ ଉଠିଛି। ଆଜି କାଶୀନଗରରୁ ଏକ ଟିମ୍‌ ପହଞ୍ଚି ସିଙ୍ଗିପୁର ଓ କେ.ସାୀତାପୁର ଗ୍ରାମରେ କ୍ୟାମ୍ପ ପକାଇ ସ୍ୱାସ୍ଥ୍ୟ ସେବା ଆରମ୍ଭ କରିଛନ୍ତି। ତେବେ କ୍ୟାମ୍ପ୍‌ରେ ପର୍ଯ୍ୟାପ୍ତ ଔଷଧ ନ ଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। l ସେହିପରି ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବି ଉତ୍ତମ ଚିକିତ୍ସା ସେବା ମିଳୁ ନଥିବା ଅଭିଯୋଗ ହୋଇଛି।

ମୃତକଙ୍କ ସଂଖ୍ୟା ବଢିବାରେ ଜ୍ୱରକୁ ନିୟନ୍ତ୍ରଣକୁ ଆଣିବାରେ ଗଜପତି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ବିଫଳତା ପଦାରେ ପଡ଼ିବାରେ ଲାଗିଛି। ନିରାକରଣ ଓ ସଚେତନତା ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ନମୁନା ସଂଗ୍ରହ ପାଇଁ ଲକ୍ଷାଧିକ ଟଙ୍କାର କିଟ୍‌ ଆସୁଛି। କିନ୍ତୁ ଫଳ ଶୂନ୍‌। ଡେଙ୍ଗୁ ଆକ୍ରାନ୍ତଙ୍କୁ ସହାୟତା ପାଇଁ ଗତ ରବିବାର ଦିନ ଘରୋଇ ହାଇଟେକ୍‌ ମେଡିକାଲ କଲେଜର ଏକ ଟିମ୍‌ ଆସି ରକ୍ତନମୁନା ପରୀକ୍ଷା କରିଥିଲେ। ସିଙ୍ଗିପୁର ଗ୍ରାମ ହରିଜନ ସାହିର ୧୭ଜଣଙ୍କ ରକ୍ତରେ ଡେଙ୍ଗୁ ଭୂତାଣୁ ଚିହ୍ନଟ ହୋଇଥିଲା। ତେବେ ଅବହେଳା ଓ ଦାୟିତ୍ୱହୀନତା ପଦାରେ ପଡ଼ିବା ଭୟରେ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ଏହି ଘରୋଇ ମେଡିକାଲର ଟିମ୍‌କୁ ଫେରାଇ ଦେଇଥିଲେ। ତେବେ ସ୍ୱାସ୍ଥ୍ୟ ବିଭାଗର ନିଦ କେବେ ଭାଙ୍ଗୁଛି ତାହା ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର