ବିଏମ୍‌ସିର ନିଘା ନାହିଁ: ରାଜଧାନୀରେ ଡେଙ୍ଗୁ ନେଲା ମୁଣ୍ଡ

କର୍ପୋରେଟରଙ୍କ କଥା ଶୁଣୁନାହାନ୍ତି ଅଧିକାରୀ, ମେୟର ବି ବେଫିକର

ଚନ୍ଦ୍ରଶେଖରପୁର : ରାଜଧାନୀରେ ଗତ କିଛି ଦିନ ଧରି ମାଡ଼ି ଚାଲିଥିବା‌ ଡେଙ୍ଗୁ ଭୟଙ୍କର ରୂପ ଧାରଣ କରିଛି। ଏହି ରୋଗରେ ବୁଧବାର ଦିନ ଜଣେ ବ୍ୟକ୍ତି ପ୍ରାଣ ହରାଇବା ଘଟଣା ସହରରେ ଆତଙ୍କଜନକ ପରିସ୍ଥିତି ସୃଷ୍ଟି କରିଛି। ଏବର୍ଷ ଏହା ପ୍ରଥମ ଡେଙ୍ଗୁ ମୃତ୍ୟୁ ବୋଲି କୁହାଯାଉଛି। ପ୍ରାଣ ହରାଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ଅବସରପ୍ରାପ୍ତ ପୁଲିସ ଅଧିକାରୀ। ଡେଙ୍ଗୁରେ ଆକ୍ରାନ୍ତ ହୋଇ ଗତ ୨ ତାରିଖରେ ସେ ଏକ ଘରୋଇ ହସପିଟାଲରେ ଭର୍ତ୍ତି ହୋଇଥିଲେ। ଆଜି ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ଘଟିଛି। ସେ ନୀଳାଦ୍ରିବିହାର ଅଞ୍ଚଳର ବୋଲି ହସପିଟାଲ ସୂତ୍ରରୁ ପ୍ରକାଶ।

ଡେଙ୍ଗୁ ଅଣାୟତ୍ତ ପରିସ୍ଥିତିରେ ପହଞ୍ଚିଥିଲେ ମଧ୍ୟ ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି)ର ଉଦାସୀନତା ରାଜଧାନୀ ବାସିନ୍ଦାଙ୍କୁ ଚିନ୍ତାରେ ପକାଇ ଦେଇଛି। ଡମଣା ଓ ଶ୍ରୀବିହାରରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ପ୍ରତିଦିନ ଘରୋଇ ଡାଇଗ୍ନୋଷ୍ଟିକ୍‌ରେ ପରୀକ୍ଷା ହେଉଥିବା ନମୁନା ମଧ୍ୟରୁ ୪ରୁ ୫ଜଣ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ଏବଂ ଚିକିତ୍ସା ପାଇଁ ଘରୋଇ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି। ଏପରିକି ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ସବୁ ଘରୋଇ ହସ୍ପିଟାଲରେ ଏବେ ବହୁ ଡେଙ୍ଗୁ ଆକ୍ରାନ୍ତ ଭର୍ତ୍ତି ହୋଇଥିବାର ଖବର ମଧ୍ୟ ସାମ୍ନାକୁ ଆସିଛି। ମାତ୍ର ବିଏମ୍‌ସି ପାଖରେ ଖବର ନାହିଁ। ପ୍ରଶାସନ ମଧ୍ୟ ଏହାକୁ ମାନିବାକୁ ପ୍ରସ୍ତୁତ ନୁହେଁ। ବିଏମ୍‌ସି ମେୟର ସୁଲୋଚନା ଦାସ ଡେଙ୍ଗୁ ସଂକ୍ରମଣ ନେଇ ମୁହଁ ହିଁ ଖୋଲୁ ନାହାନ୍ତି। ଆଜି ଏକ ସ୍ବଚ୍ଛତା କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିବା ସମୟରେ ଡେଙ୍ଗୁ ସଂକ୍ରମଣ ନେଇ ସାମ୍ବାଦିକ ପ୍ରଶ୍ନ ପଚାରିବାରୁ ମେୟର ଶ୍ରୀମତୀ ଦାସ ମୁହଁ ମୋ‌ଡ଼ି ଚାଲିଯାଇଥିଲେ। ସାମ୍ବାଦିକମାନଙ୍କୁ କୌଣସି ଉତ୍ତର ଦେଇ ନ ଥିଲେ।

ବିଏମସିର ଏତାଦୃଶ ଆଚରଣ ନେଇ ସଂପୃକ୍ତ ଅଞ୍ଚଳରେ ଅସନ୍ତୋଷ ବ୍ୟାପୁଛି। ମିଳିଥିବା ସୂଚନା ଅନୁଯାୟୀ ୧୦ ଦିନ ହେଲା ଡେଙ୍ଗୁ ଆକ୍ରାନ୍ତ ‌ଚିହ୍ନଟ ହେଉଛନ୍ତି। ଏନେଇ ‘ସମ୍ବାଦ’ରେ ଖବର ମଧ୍ୟ ପ୍ରକାଶ ପାଇଛି। ତା’ପରେ ବି ବିଏମ୍‌ସିର କାର୍ଯ୍ୟ ଶୂନ। ବିଏମ୍‌ସିର କୌଣସି ଜଣେ ବି ଅଧିକାରୀଙ୍କ ପାଦ ଉକ୍ତ ଅଞ୍ଚଳରେ ପଡ଼ି ନାହିଁ। ଯାଞ୍ଚ କରିବା କିମ୍ବା ମଶା ତେଲ ପକାଇବା ଉପରେ କେହି ବି ଗୁରୁତ୍ବ ଦେଇ ନାହାନ୍ତି। ଗତକାଲି ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଉପରେ ରହିଥିଲା। ଆଜି ଆଉ ୫ ଜଣ ଚିହ୍ନଟ ହେବା ପରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦ ପାଖାପାଖି ପହଞ୍ଚିଛି। ଶ୍ରୀବିହାରରେ ଥିବା ଏକ ଆପାର୍ଟମେଣ୍ଟରୁ କେବଳ ୧୦ଜଣ ଆକ୍ରାନ୍ତ ବାହାରିଥିବା ଜଣାପଡ଼ିଛି। ତେବେ ରାଜଧାନୀର ବିଭିନ୍ନ ଘରୋଇ ହସ୍ପିଟାଲରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ବିଏମ୍‌ସି ଓ ଜିଲ୍ଲା ଜନସ୍ବାସ୍ଥ୍ୟ ବିଭାଗ ଏହାକୁ ଗ୍ରହଣ କରିନାହାନ୍ତି। ଘରୋଇ ମେଡିକାଲରେ ଚିକିତ୍ସିତ ହେଉଥିବା ଡେଙ୍ଗୁ ଆକ୍ରାନ୍ତଙ୍କ ବିଷୟରେ ଖବର ନେଉ ନାହାନ୍ତି। ‌ଶ୍ରୀବିହାରର ଜଣେ ଆକ୍ରାନ୍ତଙ୍କ କହିବାନୁଯାୟୀ, ଆମ ପରିବାରରୁ ଇତିମଧ୍ୟରେ ୫ଜଣ ଏବେ ଡେଙ୍ଗୁ ଆକ୍ରାନ୍ତ। ସକାଳେ ମା’ଙ୍କ ଅବସ୍ଥା ଖରାପ ହେବାରୁ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଆଜି ସନ୍ଧ୍ୟାରେ ମୋ ସ୍ତ୍ରୀଙ୍କ ଡେଙ୍ଗୁ ପଜିଟିଭ୍‌ ଆସିଛି। ତାଙ୍କୁ ଘରୋଇ ହସ୍ପିଟାଲରେ ଟେଷ୍ଟ କରି ଚିକିତ୍ସିତ କରୁଛୁ।

ଏହି ଅଞ୍ଚଳରେ ଡେଙ୍ଗୁ ବ୍ୟାପିବା ପ୍ରଥମ ଘଟଣା ନୁହେଁ। ଗତବର୍ଷ ବି ଏଠାରେ ଡେଙ୍ଗୁ ଉଗ୍ର ରୂପ ନେଇଥିଲା। ପରିସ୍ଥିତିକୁ ଦୃଷ୍ଟିରେ ରଖି ବର୍ଷା ଆସିବା ପୂର୍ବରୁ ସଫେଇ କାର୍ଯ୍ୟ ତଥା ସ୍ବଚ୍ଛତା ଉପରେ ୩ ନମ୍ବର ୱାର୍ଡର କର୍ପୋରେଟର ଲକ୍ଷ୍ମୀପ୍ରିୟା ବେହେରା ଗୁରୁତ୍ବ ଦେଇଥିଲେ। ଶ୍ରୀମତୀ ବେହେରାଙ୍କ କହିବା କଥା ହେଉଛି ଯେ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହେଉଥିବା ନେଇ ଖବର ଜଣାପଡ଼ିବା ପରେ ମଶା ମରା ତେଲ ପକାଇବାକୁ ବିଏମ୍‌ସି ଅଧିକାରୀଙ୍କୁ କହିଥିଲୁ। ମାତ୍ର କେହି କିଛି ଶୁଣୁନାହାନ୍ତି। ବରଂ ଆଜିକାଲି କହି ଦିନ ଗଡ଼ାଇ ଚାଲିଛନ୍ତି। ମଶା ତେଲ ଉପଲବ୍ଧ ନ ଥିବା ବି ଅଧିକାରୀ କହୁଛନ୍ତି। ଯେଉଁଥିପାଇଁ ଡେଙ୍ଗୁ ଏବେ ବଢ଼ିଚାଲିଛି। ଆମେ ଯେତେଦୂର ସମ୍ଭବ ଡ୍ରେନ୍‌ ସଫେଇ ଓ ୱାର୍ଡର ସ୍ବଚ୍ଛତା ଉପରେ ଗୁରୁତ୍ବ ଦେଉଛୁ। ନିଜ ତରଫରୁ ଲୋକଙ୍କୁ ସଚେତନ କରାଉଛୁ।

ସମ୍ବନ୍ଧିତ ଖବର