ଏସ୍‌ସିବିରେ ଆଉ ଜଣେ ଡେଙ୍ଗୁ ରୋଗୀଙ୍କ ମୃତ୍ୟୁ: ସଂଖ୍ୟା ଛୁଇଁଲା ୬

କଟକ : ଏସ୍‌ସିବିରେ ଚିକିତ୍ସାଧୀନ ଜଣେ ଡେଙ୍ଗୁ ରୋଗୀଙ୍କ ଆଜି ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ହେଉଛନ୍ତି ଜଗତ୍‌ସିଂହପୁର କୁଜଙ୍ଗ ବ୍ଲକ୍‌ ଅରଖିଆ ଗ୍ରାମର ସୌମ୍ୟରଂଜନ ନାୟକ(୧୮)। ଆଜି ସୌମ୍ୟରଂଜନଙ୍କ ମୃତ୍ୟୁ ପରେ ଏସ୍‌ସିବିରେ ଚିକିତ୍ସାଧୀନ ଅବସ୍ଥାରେ ଡେଙ୍ଗୁ ରୋଗୀଙ୍କ ମୃତ୍ୟୁ ସଂଖ୍ୟା ୬ରେ ପହଞ୍ଚିଛି।

ସୂଚନାନୁଯାୟୀ, ସୌମ୍ୟରଂଜନ ଗଲା ୨୦ତାରିଖରେ ଏସ୍‌ସିବି ମେଡିସିନ୍‌ ବିଭାଗ ଆଇସିୟୁରେ ଚିକିତ୍ସିତ ହେଉଥିଲେ। ଆଜି ତାଙ୍କର ମୃତ୍ୟୁ ଘଟିଥିଲା। ତେବେ ଏହାକୁ ମିଶାଇ ଆଜି ସୁଦ୍ଧା କେନ୍ଦୁଝର, ପୁରୀ, କଟକ ଜିଲ୍ଲା ଟାଙ୍ଗୀ, ରାୟଗଡା ଏବଂ ଜଗତ୍‌ସିଂହପୁର ଜିଲ୍ଲାର ୨ଜଣ ଡେଙ୍ଗୁ ରୋଗୀଙ୍କ ମିଶାଇ ମୋଟ୍‌ ୬ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ସେହିପରି ଆଜି ଏସ୍‌ସିବିରେ ୭୨ଟି ରକ୍ତ ନମୁନା ପରୀକ୍ଷା କରାଯାଇଥିବାବେଳେ ସେଥିରୁ ୧୭ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ଜଣାପଡିଛି। କେନ୍ଦ୍ରାପଡାରରୁ ୬, କଟକ ଓ ଜଗତ୍‌ସିଂହପୁର ଜିଲ୍ଲାରୁ ୪ଜଣ ଲେଖାଏଁ , ନୟାଗଡରୁ ୨ ଓ ଯାଜପୁରରୁ ଜଣେ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଅନ୍ୟପକ୍ଷରେ ଏସ୍‌ସିବିରେ ବର୍ତ୍ତମାନ ୧୦୩ଜଣ ଡେଙ୍ଗୁ ରୋଗୀ ଚିକିତ୍ସିତ ହେଉଥିବା ବେଳେ ସେଥିରୁ ଆଇସିୟୁରେ ୧୭ଜଣ ରହିଛନ୍ତି। ସୂଚନାଯୋଗ୍ୟ, ଗତ ତିନିଦିନ ଭିତରେ ଏସ୍‌ସିବିରେ ୬୮ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବାବେଳେ ସେଥିରୁ ଜଗତ୍‌ସିଂହପୁର ଜିଲ୍ଲାର ସର୍ବାଧିକ ୩୩ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର