ରାୟଗଡ଼ାରେ ଡରାଇଲାଣି ଡେଙ୍ଗୁ, ୧୩୯ ନମୁନାରୁ ୪୯ ପଜିଟିଭ୍‌

ଗାଁରେ ଖୋଲିଲା ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର, କେବଳ ଟିକରପଡ଼ାରେ ୪୨ ପଜିଟିଭ୍‌

ରାୟଗଡ଼ା : ରାୟଗଡ଼ା ଜିଲ୍ଲାରେ କାୟା ମେଲାଇଲା ଡେଙ୍ଗୁ। ପ୍ରାଥମିକ ପର୍ଯ୍ୟାୟରେ ସ୍ୱାସ୍ଥ୍ୟ ବିଭାଗର ଅବହେଳା ଯୋଗୁଁ ଏବେ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ଆଜିସୁଦ୍ଧା ଜିଲ୍ଲାର ୧୩୭ ନମୁନା ପରୀକ୍ଷା ପାଇଁ ଯାଇଥିବା ବେଳେ ସେଥିରୁ ୪୯ ନମୁନା ପଜିଟିଭ ବୋଲି ସୂଚନା ମିଳିଛି। କେବଳ ୪୨ ନମୁନା ମୁନିଗୁଡ଼ା ବ୍ଲକ୍‌ ଟିକରପଡ଼ା ଗ୍ରାମର। ଗୋଟିଏ ଗ୍ରାମର ଏତେ ସଂଖ୍ୟକ ଲୋକ ଡେଙ୍ଗୁରେ ଆକ୍ରାନ୍ତ ଜଣାପଡ଼ିବା ପରେ ସ୍ୱାସ୍ଥ୍ୟ ବିଭାଗ ପଦକ୍ଷେପ ନେଇଛି। ସମସ୍ତ ଆକ୍ରାନ୍ତଙ୍କୁ ଚିକିତ୍ସା ପାଇଁ ମୁନିଗୁଡ଼ା, ରାୟଗଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦୁଇ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବାରୁ କୋରାପୁଟ ଓ ବ୍ରହ୍ମପୁର ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଟା ସୁଧୀର ଦାଶ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଆର୍ତ୍ତବନ୍ଧୁ ନାୟକ ଟିକରପଡ଼ା ଗସ୍ତ କରି ସ୍ଥିତି ସମୀକ୍ଷା କରିଛନ୍ତି। ଗାଁରେ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲିବା ସହ ପ୍ରତିଦିନ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ନମୁନା ସଂଗ୍ରହ ଚାଲିଛି।

ମୁନିଗୁଡ଼ା ବ୍ଲକ୍ ଟିକରପଡ଼ା ଗାଁରେ ଗତ ୨ ମାସରେ ୧୦ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହେଲାଣି। ଅନ୍ୟ କିଛି ଆକ୍ରାନ୍ତ ଭୟରେ ଅଧିକ ଚିକିତ୍ସା ପାଇଁ ବିଷମକଟକ ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହେବା ପରେ ଡେଙ୍ଗୁ ବ୍ୟାପିଥିବା ଜଣା ପଡ଼ିଥିଲା। ଚିକିତ୍ସାଧୀନ ଆନନ୍ଦ ବାଘଙ୍କ  ରିପୋର୍ଟ ଡେଙ୍ଗୁ ପଜିଟିଭ୍ ଆସିବା ପରେ ସ୍ବାସ୍ଥ୍ୟ ବିଭାଗ ଏହି ଘଟଣାକୁ ଗୁରୁତ୍ବର ସହ ନେଇଥିଲା। ଗାଁରେ ସ୍ବାସ୍ଥ୍ୟ ବିଭାଗ କ୍ୟାମ୍ପ କରି ଲୋକଙ୍କୁ ସଚେତନ କରିବା ସହ ଚିକିତ୍ସା ଆରମ୍ଭ କରିଛି। ସଂପୂର୍ଣ୍ଣ ଗ୍ରାମକୁ ବିଶୋଧନ କରାଯିବା ସହ ମଶାମରା ଧୂଆଁ ସିଞ୍ଚନ କରାଯାଇଛି। ଡେଙ୍ଗୁକୁ ଆୟତ୍ତ କରିବାକୁ ସମସ୍ତ ପ୍ରକାର ଉଦ୍ୟମ ଚାଲିଛି ଏବଂ ବର୍ତ୍ତମାନ ଆକ୍ରାନ୍ତଙ୍କ ସ୍ଥିତି ଭଲ ଥିବା କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଆର୍ତ୍ତବନ୍ଧୁ ନାୟକ।

ଗତ ୨ ମାସ ମଧ୍ୟରେ ଟିକରପଡ଼ାର ମୀରା ପଲକିଆ, ଶବର ଗରଡ଼ିଆ, ରୁକୁନି ଗରଡ଼ିଆ, ସୁକ ବାଘ, ବିଭୁ କିଶୋର ବାଘ, ଜିତୁ କନ୍ଧପାଣି, ବୀର କରକରିଆ, ରଥ ନାଗ, ସିକେନ୍ଦ୍ର ବାଗଙ୍କ ସମେତ ୧୦ ଜଣଙ୍କ ମୃତ୍ୟୁ ହୋଇଛି। ୧୫ରୁ ଊର୍ଧ୍ବ ଜଣ ଡେଙ୍ଗୁରେ ଆକ୍ରାନ୍ତ ହୋଇ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏପ୍ରିଲ ୧୧ ତାରିଖରୁ ଆଜି ସୁଦ୍ଧା ପରୀକ୍ଷା କରାଯାଇଥିବା ନମୁନା ମଧ୍ୟରୁ କେବଳ ଟିକରପଡ଼ାର ଗାଁର ୪୨ଜଣ ଡେଙ୍ଗୁରେ ଆକ୍ରାନ୍ତ ହୋଇଛନ୍ତି। ଏହି ଘଟଣା ନଜରକୁ ଆସିବା ପରେ ଜିଲ୍ଲା ମ୍ୟାଲେରିଆ ଅଧିକାରୀ ଡା. ବି. ଏଲ୍. ଏନ୍. ପୃଷ୍ଟିଙ୍କ ସମେତ ସ୍ବାସ୍ଥ୍ୟ ବିଭାଗ ଟିମ୍, ମୁନିଗୁଡ଼ା ବିଡିଓ ଡ. ଦିଲ୍ଲୀପ କୁମାର ବେହେରା, ତହସିଲଦାର ଡ. ଦେବାଶିଷ ଗୌଡ଼ ପ୍ରମୁଖ ଗାଁରେ ପହଞ୍ଚି ଲୋକଙ୍କ ଚିକିତ୍ସା ଆରମ୍ଭ କରିବା ସହ ତୁରନ୍ତ ପରିମଳ ବ୍ୟବସ୍ଥାରେ ସୁଦ୍ଧାର ଆଣିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର