ଭୁବନେଶ୍ବର: ରାଜ୍ୟରେ ମୌସୁମୀ ବର୍ଷା ଆରମ୍ଭ ହେବାକୁ ଡେରି ଅଛି। କାଁ ଭାଁ କାଳବୈଶାଖୀ ବର୍ଷା ହେଉଛି। ହେଲେ ଏହାଭିତରେ ଡେଙ୍ଗୁ ମୁଣ୍ଡ ଟେକିବାକୁ ଆରମ୍ଭ କଲାଣି। ବର୍ତ୍ତମାନ ସୁଦ୍ଧା ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୨ଶହ ପାର୍ କରିସାରିଲାଣି। ଯାହାକି ଗତବର୍ଷ ଏହି ସମୟ ତୁଳନାରେ ଦୁଇ ଗୁଣାରୁ ଅଧିକ। ତେଣୁ ଏ ବର୍ଷ ମଧ୍ୟ ଡେଙ୍ଗୁ ରାଜ୍ୟବାସୀଙ୍କୁ କଲବଲ କରିବା ନେଇ ଆଶଙ୍କା ଦେଖାଦେଲାଣି। ଗତ କିଛିବର୍ଷ ହେବ ରାଜ୍ୟରେ ଡେଙ୍ଗୁ ସ୍ଥିତି ନିୟନ୍ତ୍ରଣକୁ ଆସୁନାହିଁ। ମୌସୁମୀ ଓ ଏହାର ପରବର୍ତ୍ତୀ ମାସଗୁଡ଼ିକରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟାବୃଦ୍ଧି ଲାଗି ରହୁଛି। ଗତବର୍ଷ ୧୨,୮୪୫ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଯାହାକି ଆଜି ପର୍ଯ୍ୟନ୍ତ ରାଜ୍ୟରେ ସର୍ବାଧିକ। ହେ‌ଲେ ଚଳିତବର୍ଷ ଏହି ସ୍ଥିତି ଆହୁରି ସଙ୍ଗୀନ ହେବାର ଆଶଙ୍କା ଦେଖାଦେଲାଣି। କାରଣ ଗତବର୍ଷ ଏହି ସମୟରେ ରାଜ୍ୟରେ ୮୩ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ, ମାତ୍ର ଚଳିତବର୍ଷ ଏହା ୨୦୩ରେ ପହଞ୍ଚିଛି। ସବୁବର୍ଷ ଭଳି ଚଳିତବର୍ଷ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୫୯ ଆକ୍ରାନ୍ତ ବାହାରିଛନ୍ତି। ସୁନ୍ଦରଗଡ଼, ମାଲକାନଗିରି ଓ କଟକ ଜିଲ୍ଲାରେ ୧୭ ଲେଖାଏଁ ଓ ପୁରୀ ଜିଲ୍ଲାରେ ୧୧ଜଣ ଚିହ୍ନଟ‌ ହୋଇଛନ୍ତି। ମାତ୍ର ଆଶ୍ବସ୍ତିର ବିଷୟ ହେଉଛି ଯେ ଏପର୍ଯ୍ୟନ୍ତ ୬ ଜିଲ୍ଲାରେ ‌ଜଣେ ହେଲେ ବି ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି।

Advertisment

ବିଶେଷଜ୍ଞ କହିବାନୁଯାୟୀ, ଏଡିସ୍‌ ମଶାର ଅଣ୍ଡା ଦୀର୍ଘଦିନ ପର୍ଯ୍ୟନ୍ତ ସଂରକ୍ଷିତ ରହିପାରେ। ଏବେ କାଳବୈଶାଖୀ ବର୍ଷା କାରଣରୁ ପୂର୍ବରୁ ଥିବା ଅଣ୍ଡାରୁ ଛୁଆ ବାହାରିଛନ୍ତି। ପାଣିପାଗ ବିଭାଗ ଚଳିତବର୍ଷ ଅଧିକ ବର୍ଷା ହେବାର ଅନୁମାନ କରିଛି। ତେଣୁ ଅଧିକ ହେଲେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାର ଆଶଙ୍କା ରହିଛି। ଜଳବାୟୁ ପରିବର୍ତ୍ତନ ପାଇଁ ଏଭଳି ପରିସ୍ଥିତି ଉପୁଜୁଛି। ଡେଙ୍ଗୁ ପାଇଁ ବର୍ତ୍ତମାନ ସୁଦ୍ଧା କୌଣସି ଔଷଧ କିମ୍ବା ଟିକା ବାହାରିନାହିଁ। ତେଣୁ ଏଥିରୁ ରକ୍ଷା ପାଇବାକୁ ହେଲେ ମଶା ନିୟନ୍ତ୍ରଣ ଜରୁରି। ସହରରେ ଓଭରହେଡ୍‌ ଟାଙ୍କିକୁ କଭର କରିବା ଆବଶ୍ୟକ, ନଚେତ୍ ଏଥିରେ ଏଡିସ୍ ମଶା ବଂଶ ବିସ୍ତାର କରିବାର ଆଶଙ୍କା ରହିଛି।

ରାଜ୍ୟ ସ୍ବାସ୍ଥ୍ୟ ବିଭାଗର କହିବାନୁଯାୟୀ, ରାଜ୍ୟରେ ଡେଙ୍ଗୁ ସର୍ଭେଲାନ୍‌ସ ବଢ଼ିଛି। ଲୋକଙ୍କ ଘର ପାଖରେ ନମୁନା ସଂଗ୍ରହ କରାଯାଇ ରିପୋର୍ଟ ଦିଆଯାଉଛି। ଗାଁରେ କୌଣସି ପ୍ରକାର ପାତ୍ରକୁ ଓଲଟାଇ ରଖିବା ଲାଗି ଆଶା, ସ୍ବାସ୍ଥ୍ୟକର୍ମୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଡ୍ରାଏ ଡେ’ ପାଳନ କରିବା ପାଇଁ କୁହାଯାଇଛି। ଯେଉଁ ଜିଲ୍ଲାଗୁଡ଼ିକରେ ପ୍ରତିବର୍ଷ ‌ବହୁସଂଖ୍ୟାରେ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଛନ୍ତି ସେସବୁ ଜିଲ୍ଲା ଉପରେ ସ୍ବତନ୍ତ୍ର ନଜର ରଖାଯାଇଛି। ମହାନଗର ନିଗମ ଓ ଜିଲ୍ଲାୱାରୀ ସମୀକ୍ଷା କରାଯାଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି। ତେବେ ଡେଙ୍ଗୁ ଲକ୍ଷଣ ଦେଖାଦେଲେ ତୁରନ୍ତ ପରୀକ୍ଷା କରାଇନେବା ଉଚିତ୍ ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି।