ଜଳେଶ୍ବରରେ ଚିନ୍ତା ବଢ଼ାଇଲାଣି ଡେଙ୍ଗୁ

ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି, ଗାଁରେ ଡାକ୍ତରୀ ଟିମ୍‌

ଜଳେଶ୍ବର: ଜଳେଶ୍ୱର ବ୍ଲକ୍‌ ଆରୁହା ଓ ଗୋପୀମୋହନପୁର ପଞ୍ଚାୟତରେ ପୁଣି ୨ ନୂଆ ଡେଙ୍ଗୁରୋଗୀ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ୨ ରୋଗୀ ହେଲେ ଆରୁହା ଗ୍ରାମର ସତ୍ୟରଞ୍ଜନ ପତିଙ୍କ ପତ୍ନୀ ଶାନ୍ତିଲତା ଏବଂ ଗୋପୀମୋହନପୁର ପଞ୍ଚାୟତ ମହିଷାମୁଣ୍ଡା ଗ୍ରାମର ପଦ୍ମଲୋଚନ ଜେନାଙ୍କ ୧୯ ବର୍ଷର ପୁଅ ରାମଚନ୍ଦ୍ର। ଶାନ୍ତିଲତା ଓ ରାମଚନ୍ଦ୍ର ଗତ କିଛିଦିନ ଧରି ଜ୍ବରରେ ପୀଡ଼ିତ ଥିଲେ। ଜ୍ବର ଭଲ ନହେବାରୁ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ପରେ ଡେଙ୍ଗୁ ଆକ୍ରାନ୍ତ ବୋଲି ଜଣା ପଡ଼ିଥିଲା। ଗତ ୪ ଦିନ ମଧ୍ୟରେ ଆରୁହା ଗାଁରେ ୩ ଜଣ ଓ ଗୋପୀମୋହନପୁର ଗାଁରେ ୪ ଜଣ ଡେଙ୍ଗୁରେ ଆକ୍ରାନ୍ତ ହୋଇଛନ୍ତି। ଜଳେଶ୍ବରରେ ବର୍ତ୍ତମାନ ସୁଦ୍ଧା ମୋଟ ୧୪ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବାରୁ ସ୍ବାସ୍ଥ୍ୟ ବିଭାଗର ଚିନ୍ତା ବଢ଼ିଛି।

ଡେଙ୍ଗୁ ମୁକାବିଲା ଓ ସଚେତନତା ସୃଷ୍ଟି ପାଇଁ ଡେଙ୍ଗୁ ପ୍ରଭାବିତ ଉପରୋକ୍ତ ଦୁଇ ଗାଁକୁ ସ୍ବାସ୍ଥ୍ୟ ବିଭାଗର ଦୁଇଟି ଟିମ୍‌ ଗସ୍ତ କରିଥିଲେ। ଏହି ୨ ଗାଁର ଯେଉଁମାନେ ୧୫ ଦିନ ପୂର୍ବରୁ ଜ୍ବରରେ ପୀଡ଼ିତ ହୋଇଥିଲେ ଏବଂ ବର୍ତ୍ତମାନ ଜ୍ବରରେ ପୀଡ଼ିତ ଅଛନ୍ତି; ସେମାନଙ୍କ ମଧ୍ୟରୁ ୨୦ ଜଣଙ୍କଠାରୁ ରକ୍ତନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛି। ସେହିପରି ଡେଙ୍ଗୁ ମୁକାବିଲା ଓ ସଚେତନତା ପାଇଁ ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁସାରେ ସାଧାରଣ ଜ୍ବରଠାରୁ ଭିନ୍ନ ଲକ୍ଷଣ ଦେଖାଦେଲେ ଅବିଳମ୍ବେ ସ୍ବାସ୍ଥ୍ୟ ବିଭାଗ ସହ ଯୋଗାଯୋଗ କରି ସ୍ବାସ୍ଥ୍ୟ ପରୀକ୍ଷା କରାଇନେବାକୁ ସଚେତନ କରାଯାଇଛି। ସଚେତନତା କାର୍ଯ୍ୟକ୍ରମରେ ସରପଞ୍ଚ ତପନୀ ଭୂୟାଁ, ସମିତି ସଭ୍ୟା ମଧୁମିତା ମହାନ୍ତି, ହେଲ୍‌ଥ ସୁପରଭାଇଜର ଶାନ୍ତନୁ ମହାନ୍ତ, ଏଏନ୍‌ଏମ୍‌ ପ୍ରିୟଦର୍ଶିନୀ ପୁଷ୍ଟି, ସ୍ୱାସ୍ଥ୍ୟକର୍ମୀ ଦୀପକ କୁମାର ପ୍ରଧାନ, ଅଙ୍ଗନବାଡ଼ି କର୍ମୀ ଭାରତୀ ବାରିକ, ହେମାଙ୍ଗିନୀ ପାଣିଗ୍ରାହୀ, ପ୍ରତିଭାମଞ୍ଜରୀ ଦାସ, ଆଶାକର୍ମୀ ଅନ୍ନପୂର୍ଣ୍ଣା ସାମଲ, ରୀତାଞ୍ଜଳି କର, ସଂଧ୍ୟାରାଣୀ ଚନ୍ଦ, ନିମାଇଁ ମହାପାତ୍ର ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର