୧୨ଟି ଜିଲ୍ଲାକୁ ଡେଇଁଲାଣି ଡେଙ୍ଗୁ

କଟକ : ରାଜ୍ୟର ୧୨ଟି ଜିଲ୍ଲାରେ ଚିହ୍ନଟ ହୋଇସାରିଲେଣି ଡେଙ୍ଗୁ ରୋଗୀ। କଟକ ଜିଲ୍ଲା ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ତାଲିକାର ଶୀର୍ଷରେ ରହିଥିବାବେଳେ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୨୪ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇସାରିଛନ୍ତି। କଟକ ପରକୁ ଯାଜପୁରରେ ୮ଜଣ, ବାଲେଶ୍ୱର, ଜଗତ୍‌ସିଂହପୁରରେ ୬ଜଣ ଲେଖାଏଁ, ନୟାଗଡ ୫, ଖୋର୍ଦ୍ଧା ୪, କେନ୍ଦ୍ରାପଡା ଓ ଭଦ୍ରକରେ ୩, ପୁରୀ ୨, ଅନୁଗୁଳ, କେନ୍ଦୁଝର ଓ ସୁନ୍ଦରଗଡରେ ଜଣେ ଲେଖାଏଁ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଆଜି ପରୀକ୍ଷା ହୋଇଥିବା ୩୩ଟି ରକ୍ତ ନମୁନାରୁ ୫ଟିରେ ଡେଙ୍ଗୁ ଭୂତାଣୁ ଚିହ୍ନଟ ହୋଇଛି। ଏସ୍‌ସିବିରେ ୧୭ଜଣ ଡେଙ୍ଗୁ ରୋଗୀ ଚିକିତ୍ସିତ ହେଉଥିବାବେଳେ ସେଥିରୁ ୪ଜଣ ଆଇସିୟୁରେ ଥିବା ଏସ୍‌ସିବି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

କଟକ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୨୪ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବାବେଳେ ସେଥିରୁ ଟାଙ୍ଗୀରେ ସର୍ବାଧିକ ୭ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ତା’ପଛକୁ ରହିଛି ଜଗତ୍‌ପୁର ଶିଳ୍ପାଞ୍ଚଳ। ଜଗତପୁରୁରେ ଆକ୍ରାନ୍ତଙ୍କ ସଂଖ୍ୟା ୬ ଟପିଲାଣି। ରାଜ୍ୟରେ ଡେଙ୍ଗୁରେ ବର୍ତ୍ତମାନ ସୁଦ୍ଧା ଏସ୍‌ସିବିରେ ଚିକିତ୍ସାଧୀନ ଅବସ୍ଥାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ଗତମାସ ୨୪ ତାରିଖରେ କେନ୍ଦୁଝର ଜିଲ୍ଲାର ତ୍ରୈଲୋକ୍ୟ ବାରିକ୍‌ଙ୍କର ମୃତ୍ୟୁ ଘଟିଥିବାବେଳେ ଗତକାଲି ପୁରୀ ଜିଲ୍ଲାର ରୂପାଦେଇପୁର, ବଲଙ୍ଗାର ପ୍ରଶାନ୍ତ ମହାରଣା (୨୫)ଙ୍କର ମୃତ୍ୟୁ ଘଟଛି।

ସମ୍ବନ୍ଧିତ ଖବର