ଭୁବନେଶ୍ବର : ରାଜ୍ୟରେ ଏ ପର୍ଯ୍ୟନ୍ତ ଠିକ୍ରେ ମୌସୁମୀ ବର୍ଷା ଆରମ୍ଭ ହୋଇନାହିଁ। ହେଲେ ୨୦ ଜିଲ୍ଲାକୁ ଡେଙ୍ଗୁ ବ୍ୟାପି ଗଲାଣି। ଉପକୂଳ ଓଡ଼ିଶାର ଖୋର୍ଧା ଜିଲ୍ଲାକୁ ବାଦ୍ ଦେଲେ ଦକ୍ଷିଣ ଓଡ଼ିଶାର ଏକାଧିକ ଜିଲ୍ଲା ଏବେ ଡେଙ୍ଗୁ କବଳରେ ରହିଛି। ଏବେଠାରୁ ଯଦି ଡେଙ୍ଗୁ ନିୟନ୍ତ୍ରଣ ନେଇ ପଦକ୍ଷେପ ନିଆ ନ ଯାଏ ଆସନ୍ତା ୩/୪ମାସ ଡେଙ୍ଗୁ ବିସ୍ଫୋରଣ ହୋଇପାରେ ବୋଲି ଆଶଙ୍କା କରାଯାଉଛି।
ଡେଙ୍ଗୁ ଏବେ ବି ଓଡ଼ିଶା ପାଇଁ ଏକ ପ୍ରମୁଖ ଜନସ୍ବାସ୍ଥ୍ୟ ସମସ୍ୟା ହୋଇ ରହିଛି। କେଉଁ ବର୍ଷ କମୁଛି ତ ଆଉ କେଉଁ ବର୍ଷ ମାଡ଼ୁଛି। ହେଲେ ସ୍ବାଇନ୍ ଫ୍ଲୁ କିମ୍ବା ଜେଇ ଭଳି ନିୟନ୍ତ୍ରଣକୁ ଆସିନାହିଁ। ରାଜ୍ୟ ସରକାର ମ୍ୟାଲେରିଆ ନିୟନ୍ତ୍ରଣ ଉପରେ ବିଶେଷ ଗୁରୁତ୍ବ ଦେଉଥିବା ବେଳେ ଡେଙ୍ଗୁ ପାଇଁ ସେଭଳି ପଦକ୍ଷେପ ନିଆଯାଇନି। ମ୍ୟାଲେରିଆ ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ‘ଦମନ’ ଭଳି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ହେଲେ ଡେଙ୍ଗୁ ନିୟନ୍ତ୍ରଣ ପାଇଁ ସ୍ବାସ୍ଥ୍ୟ କେବଳ ଚିଠି ଲେଖି ସଚେତନ କରୁଥିବା ବେଳେ ଜିଲ୍ଲାସ୍ତରରେ ଆବଶ୍ୟକ ପଦକ୍ଷେପ ନିଆଯାଉନାହିଁ। ଗତମାସ ୨୧ତାରିଖଠାରୁ ୩ମାସ ଯାଏ ରାଜ୍ୟ ସରକାର ଇଣ୍ଟିଗ୍ରେଟେଡ୍ ଡିଜିଜ୍ ସର୍ଭେଲାନ୍ସ ଆରମ୍ଭ କରିଛନ୍ତି। ଏଥିରେ ଅନ୍ୟ ରୋଗ ସହ ଡେଙ୍ଗୁର ଚିହ୍ନଟ ଉପରେ ମଧ୍ୟ ଗୁରୁତ୍ବ ଦିଆଯାଇଛି। ସେହିପରି ରାଜ୍ୟରେ ଡେଙ୍ଗୁର ନମୁନା ପରୀକ୍ଷାକୁ ନେଇ ବର୍ଷ ବର୍ଷ ଧରି ବିବାଦ ଜାରି ରହିଛି। ଯାହାଫଳରେ ଡେଙ୍ଗୁରେ ମୃତ୍ୟୁ ହେଲେ ମଧ୍ୟ ତାହାକୁ ରାଜ୍ୟ ସରକାର ଗ୍ରହଣ କରୁ ନାହାନ୍ତି।
/sambad/media/post_attachments/wp-content/uploads/2019/11/dengue-300x152.jpg)
ଚଳିତବର୍ଷ ଜୁନ୍ ୨୯ତାରିଖ ସୁଦ୍ଧା ରାଜ୍ୟରେ ୩୫୫ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ କୋରାପୁଟ ଜିଲ୍ଲାରୁ ସର୍ବାଧିକ ୮୬ ଥିବା ବେଳେ ଖୋର୍ଧା ୮୨ ଓ ମାଲକାନଗିରିରୁ ୮୧ଜଣ ଆକ୍ରାନ୍ତ ବାହାରିଛନ୍ତି। ରାୟଗଡ଼ା ୪୭, ପୁରୀ ୨୩, କଟକ ୫ ଓ ଭଦ୍ରକରୁ ୪ଜଣ ଡେଙ୍ଗୁ ଆକ୍ରାନ୍ତଙ୍କୁ ଚିହ୍ନଟ କରାଗଲାଣି। କେବଳ ୨୦୨୦ ମସିହାକୁ ବାଦ୍ ଦେଲେ ଅନ୍ୟ ବର୍ଷଗୁଡ଼ିକରେ ରାଜ୍ୟରେ ହଜାର ହଜାର ସଂଖ୍ୟାରେ ଡେଙ୍ଗୁ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଉଛି। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଦ୍ରୁତ ସହରୀକରଣ ଡେଙ୍ଗୁ ସଂକ୍ରମଣର ମୁଖ୍ୟ କାରଣ। ସହରରେ ଲୋକମାନଙ୍କ ଯିବାଆସିବା ଲାଗି ରହିଥିବାରୁ ସଂକ୍ରମଣକୁ ସଂପୂର୍ଣ୍ଣ ଶୂନ କରିବା ସମ୍ଭବ ହେଉନାହିଁ। ଚା’କପ୍, ଟାୟାର, ପଇଡ଼ ଖୋଳ, ଖାଲଖମାରେ ଏଡିସ ମଶା ବଂଶ ବିସ୍ତାର କରିଥାଏ। ମୌସୁମୀ ବର୍ଷା ଆସିବା ପୂର୍ବରୁ ଏସବୁର ସଫା କରାଯିବା ଜରୁରୀ। ଲୋକମାନେ ମଧ୍ୟ ଅନ୍ୟ ରୋଗ ପାଇଁ ଯେତିକି ସଚେତନ ହେଉଛନ୍ତି, ଡେଙ୍ଗୁ କ୍ଷେତ୍ରରେ ତାହା ଦେଖିବାକୁ ମିଳୁନାହିଁ। ଠିକ୍ ସମୟରେ ପରୀକ୍ଷା ନ କରିବା କାରଣରୁ ଅନେକ କ୍ଷେତ୍ରରେ ସମସ୍ୟା ସୃଷ୍ଟି ହେଉଥିବା ବିଶେଷଜ୍ଞମାନେ ମତ ରଖିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/dengue.jpg)