ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ ଭୟଙ୍କର ରୂପ ଧାରଣ କରୁଛି ଡେଙ୍ଗୁ। ସୋମବାର ପୁଣି ଜିଲ୍ଲାରେ ୬ ଡେଙ୍ଗୁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଫଳରେ ଜିଲ୍ଲାରେ ଡେଙ୍ଗୁ ପଜିଟିଭ୍ ସଂଖ୍ୟା ୧୭୦ରେ ପହଞ୍ଚିଛି। ଗତ ୨୦୧୮ରେ ଜିଲ୍ଲାରେ ୧୫୫ଜଣ ଡେଙ୍ଗୁ ପଜିଟିଭ୍ ଚିହ୍ନଟ ହୋଇଥିଲେ। ଚଳିତବର୍ଷ ଏହି ରେକର୍ଡ଼ ଭାଙ୍ଗିଛି। ଏହି ସଂଖ୍ୟା ଆଗକୁ ଆହୁରି ବୃଦ୍ଧି ପାଇବ ବୋଲି ଅନୁମାନ କରାଯାଉଛି।
/sambad/media/post_attachments/wp-content/uploads/2019/10/dengue-750x404.jpg)
ସୋମବାର ଦିନ ଚିହ୍ନଟ ହୋଇଥିବା ୬ଜଣ ପଜିଟିଭ୍ଙ୍କ ମଧ୍ୟରୁ ୫ଜଣ ବ୍ରହ୍ମପୁର ସହରର ବୋଲି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ସୂତ୍ରରୁ ପ୍ରକାଶ। ସ୍ଥାନୀୟ ଅରବିନ୍ଦନଗରରୁ ଦୁଇଜଣ ମହିଳା ଡେଙ୍ଗୁ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଗାନ୍ଧୀନଗରରୁ ଜଣେ ମହିଳା, ସୋମନାଥ ନଗରରୁ ଜଣେ ପୁରୁଷ ଓ ଗୋସାଇଁ ନୂଆଗାଁ ଶାସ୍ତ୍ରୀନଗରରୁ ଜଣେ ପୁରୁଷ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିପରି ପୋଲସରାରୁ ଜଣେ ପୁରୁଷ ପଜିଟିଭ୍ ହୋଇଛନ୍ତି। ଯେଉଁ ବ୍ଲକରୁ ଡେଙ୍ଗୁ ଚିହ୍ନଟ ହେଉଛନ୍ତି ସେହି ଅଞ୍ଚଳକୁ ସ୍ବାସ୍ଥ୍ୟ ବିଭାଗର ଟିମ୍ ଯାଇ ଲୋକଙ୍କୁ ସଚେତନ କରୁଛି। ଦୀର୍ଘଦିନ ଧରି ଗୋଟିଏ ସ୍ଥାନରେ ପାଣି ଜମା ନରଖିବା ପାଇଁ ଲୋକଙ୍କୁ ବାରମ୍ବାର ସଚେତନ କରାଯାଉଛି। ସେହିପରି ଏଡିସ୍ ମଶା ସୃଷ୍ଟି ହେଉଥିବା ସ୍ଥାନ ଚିହ୍ନଟ କରି ତାହା ସଫା କରାଯାଉଛି। ବ୍ରହ୍ମପୁର ସହରରେ ମଶାମରା ଧୂଆଁ ସ୍ପ୍ରେ କରାଯାଉଥିବା ବେଳେ ନାଳରେ ମଶାମରା ତେଲ ମଧ୍ୟ ସିଞ୍ଚନ କରାଯାଉଛି। ଏହାସେତ୍ତ୍ବ ବ୍ରହ୍ମପୁର ସହରରେ ବର୍ତ୍ତମାନ ସୁଦ୍ଧା ୬୧ଜଣ ଡେଙ୍ଗୁ ପଜିଟିଭ୍ ଚିହ୍ନଟ ହୋଇ ସାରିଲେଣି। ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ଏବେ ଉଦ୍ବେଗର କାରଣ ହୋଇଛି।
ମିଳିଥିବା ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲାରେ ଗତବର୍ଷ ମାତ୍ର ୯ ଜଣ ଡେଙ୍ଗୁ ପଜିଟିଭ୍ ଚିହ୍ନଟ ହୋଇଥିଲେ। ସେହିପରି ୨୦୧୯ରେ ୩୦୭ ଡେଙ୍ଗୁ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୨୦୧୮ରେ ୧୫୫ଜଣ ପଜିଟିଭ୍ ଚିହ୍ନଟ ହୋଇଥିଲେ। ଚିଳତ ବର୍ଷ ବର୍ତ୍ତମାନ ସୁଦ୍ଧା ୧୭୦ ପଜିଟିଭ୍ ଚିହ୍ନଟ ହୋଇ ସାରିଲେଣି। ଆଗକୁ ଏହି ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି ଅନୁମାନ କରାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/08/dengue.jpg)