ଗଞ୍ଜାମରେ ଡେଇଁ ଚାଲିଛି ଡେଙ୍ଗୁ, ଆନ୍ଧ୍ର ସୀମାନ୍ତ ପାତ୍ରପୁରରେ ସ୍ଥିତି ସଙ୍ଗିନ

୧୩୩ରେ ପହଞ୍ଚିଲା ପଜିଟିଭ୍‌, ବାହାରୁ ୫୬

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା‌ରେ ଧୀରେ ଧୀରେ ଡେଇଁ ଚାଲିଛି ଡେଙ୍ଗୁ। କିଛିକିଛି ଦିନର ବ୍ୟବଧାନରେ ଜିଲ୍ଲାରୁ ଡେଙ୍ଗୁ ପଜିଟିଭ୍‌ ଚିହ୍ନଟ ହେଉଛନ୍ତି। ଜିଲ୍ଲାରେ ମୋଟ ଡେଙ୍ଗୁ ପଜିଟିଭ୍‌ ସଂଖ୍ୟା ୧୩୩ରେ ପହଞ୍ଚି ସାରିଥିବା ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ସୂତ୍ରରୁ ପ୍ରକାଶ। ସେପଟେ ଆନ୍ଧ୍ର ସୀମାନ୍ତ ବ୍ଲକ୍‌ ପାତ୍ରପୁରରେ ସ୍ଥିତି ସଙ୍ଗିନ୍‌ ହୋଇ ପଡ଼ିଛି। ଗଞ୍ଜାମ ଜିଲ୍ଲାର ପାତ୍ରପୁର ବ୍ଲକ୍‌ରୁ ସର୍ବାଧିକ ୩୦ଜଣ ଡେଙ୍ଗୁ ପଜିଟିଭ୍‌ ଚିହ୍ନଟ ହୋଇ ସାରିଲେଣି। ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା ହିଁ ଡେଙ୍ଗୁ ବ୍ୟାପିବାର ଏକମାତ୍ର କାରଣ ବୋଲି ବିଶେଷଜ୍ଞମାନେ କହୁଛନ୍ତି। ଡେଙ୍ଗୁର ମୁକାବିଲା ସହିତ ପରିମଳ ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ବ୍ରହ୍ମପୁର ସହରର ଯୁବ ସାମାଜିକ କର୍ମୀ ରବୀନ୍ଦ୍ର କୁମାର ମିଶ୍ର ଜାତୀୟ ମାନବ ଅଧିକାର କମିସନ୍(ଏନ୍‌ଏଚ୍ଆର୍‌ସି‌)ରେ ପିଟିସନ୍‌ ମଧ୍ୟ ରୁଜୁ କରି ସାରିଛନ୍ତି। ଏନ୍‌ଏଚ୍‌ଆର୍‌ସି ଏହି ପିଟିସନ୍‌ ଗ୍ରହଣ କରି ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଜାରି କରି ସାରିଛନ୍ତି।

Shutterstock

ବର୍ଷାଦିନ ଆସିବା କ୍ଷଣି ଲୋକଙ୍କୁ ଡେଙ୍ଗୁ ଚିନ୍ତା ଘାରିଥାଏ। ଗତ କିଛିଦିନ ତଳେ ଜିଲ୍ଲାରେ ଲଗାତାର ବର୍ଷା ହୋଇଥିଲା। ଫଳରେ ଖାଲୁଆ ସ୍ଥାନରେ ପାଣି ଜମି ଏଡିସ୍‌ ମଶା ସୃଷ୍ଟି ହୋଇ ଡେଙ୍ଗୁ ରୋଗ ବ୍ୟାପିଥିଲା। ଡେଙ୍ଗୁ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍‌କେସିଜି ବଡ଼ ଡାକ୍ତରଖାନା କାଜୁଆଲ୍‌ଟି ପ୍ରଥମ ମହଲାରେ ସ୍ବତନ୍ତ୍ର ୱାର୍ଡ଼ କରାଯାଇଛି। ବର୍ତ୍ତମାନ ସୁଦ୍ଧା ୧୩୩ଜଣ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ବାହାର ରାଜ୍ୟ ଓ ଜିଲ୍ଲାରୁ ୫୬ଜଣ ରୋଗୀ ଆସିଥିବା ସ୍ବାସ୍ଥ୍ୟ ବିଭାଗ ତରଫରୁ କୁହାଯାଇଛି। ଜିଲ୍ଲାର ପ୍ରତ୍ୟେକ ବ୍ଲକ୍‌କୁ ଡେଙ୍ଗୁ ମାଡ଼ି ସାରିଲାଣି। ପାତ୍ରପୁର ବ୍ଲକ୍‌ରେ ଅଧିକ ଡେଙ୍ଗୁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏପରିକି ଦୁଇଜଣଙ୍କ ଡେଙ୍ଗୁରେ ମୃତ୍ୟୁ ଘଟି ସାରିଥିବା ଅଭିଯୋଗ ହୋଇଛି। କିନ୍ତୁ ସ୍ବାସ୍ଥ୍ୟ ବିଭାଗ ଏହାକୁ ଖଣ୍ଡନ କରିଛି। ଏହି ବ୍ଲକ୍‌ର ପାତ୍ରପୁର, ବଳରାମପୁର, ତୁରୁବୁଡ଼ି ଓ ମନ୍ଦରଡ଼ାରେ ଡେଙ୍ଗୁ ଜ୍ବର ଅଧିକ ବ୍ୟାପିଛି। ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା ହିଁ ଡେଙ୍ଗୁ ବ୍ୟାପିବାର ମୁଖ୍ୟ କାରଣ ବୋଲି କୁହାଯାଉଛି। ଏଣୁ ପରିମଳ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଧ୍ୟାନ ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ସେହିପରି ବ୍ରହ୍ମପୁର ସହରରେ ମଧ୍ୟ ପରିମଳ ବ୍ୟବସ୍ଥା ଶୋଚନୀୟ ହୋଇ ପଡ଼ିଛି। ବିଭିନ୍ନ ସ୍ଥାନରେ ବର୍ଷା ପାଣି ଜମି ରହି ମଶା ସୃଷ୍ଟି ହେଉଛନ୍ତି।

ଡେଙ୍ଗୁ ରୋଗୀ ଗୁରୁତର ହେଲେ ସେମାନଙ୍କୁ ପ୍ଲେଟ୍‌ଲେଟ୍‌ ଦିଆ ଯାଇଥାଏ। କିନ୍ତୁ ଏମ୍‌କେସିଜି ବଡ଼ ଡାକ୍ତରଖାନା ପରିସରରେ ଥିବା ରକ୍ତଭଣ୍ଡାରରେ ନେଗେଟିଭ୍‌ ଗ୍ରୁପ୍‌ ପ୍ଲେଟ୍‌ଲେଟ୍‌ ଅଭାବ ସମସ୍ୟା ଦେଖା ଦେଇଛି। ଫଳରେ ନେଗେଟିଭ୍‌ ଗ୍ରୁପ୍‌ ରୋଗୀଙ୍କ ପାଇଁ ସମସ୍ୟା ହୋଇଛି। ଗତବର୍ଷ ୨୦୨୧ରେ ଗଞ୍ଜାମ ଜିଲ୍ଲାରେ ମୋଟ ୩୩୩ ଜଣ ଡେଙ୍ଗୁ ପଜିଟିଭ୍‌ ଚିହ୍ନଟ ହୋଇଥିଲେ। କିନ୍ତୁ ୨୦୨୦ରେ ମାତ୍ର ୯ ଡେଙ୍ଗୁ ପଜିଟିଭ୍‌ ଚିହ୍ନଟ ହୋଇଥିବା ସ୍ବାସ୍ଥ୍ୟ ବିଭାଗର ସୂତ୍ରରୁ ପ୍ରକାଶ। ସେହିପରି ୨୦୧୯ରେ ୩୦୭ ଡେଙ୍ଗୁ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ୨୦୧୮ରେ ୧୫୫ ପଜିଟିଭ୍‌ ଚିହ୍ନଟ ହୋଇଥିଲେ।

ସମ୍ବନ୍ଧିତ ଖବର