ଯୋଡ଼ା : କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ୍‌ ଜୁରୁଡ଼ି ପଞ୍ଚାୟତରେ ଡେଙ୍ଗୁ ବ୍ୟାପିବାରେ ଲାଗିଛି। ଜୁରୁଡ଼ି ଉପସ୍ବାସ୍ଥ୍ୟକେନ୍ଦ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ୯ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତିନିଜଣ ଯୋଡ଼ା ଟାଟାଷ୍ଟିଲ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ଅନ୍ୟମାନେ ସୁସ୍ଥ ହୋଇ ଘରକୁ ଫେରିଥିବା ଜଣାପଡ଼ିଛି।

Advertisment

ଉପସ୍ବାସ୍ଥ୍ୟକେନ୍ଦ୍ରର ସ୍ବାସ୍ଥ୍ୟ ଅଧିକାରୀ ଅନସୂୟା ପାତ୍ର କହିଛନ୍ତି, ଗତ ୩ ତାରିଖରେ ପ୍ରଥମେ ଦୁଇଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସେମାନଙ୍କୁ ନିକଟସ୍ଥ ଏକ ଖଣି କମ୍ପାନିର ଡାକ୍ତରଖାନାରେ ଚିକିତ୍ସା କରାଯାଇଥିଲା। ପରେ ଅନ୍ୟ ଆକ୍ରାନ୍ତମାନେ ଚିହ୍ନଟ ହୋଇଥିଲେ। ଉପ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ଦୁଇଟି ଟିମ୍ ଗଠନ କରାଯାଇଛି। ଡାକ୍ତରଖାନାରୁ ଘରକୁ ଫେରିଥିବା ରୋଗୀଙ୍କ ଘରକୁ ଯାଇ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିବା ସହ ଆବଶ୍ୟକସ୍ଥଳେ ସେମାନଙ୍କୁ ଔଷଧ ଦିଆଯାଉଥିବା ସେ କହିଛନ୍ତି। ଅନ୍ୟପକ୍ଷରେ ଡେଙ୍ଗୁ ରୋଗରେ ଆକ୍ରାନ୍ତ ହୋଇଥିବା ଜୁରୁଡ଼ି ସରପଞ୍ଚ ଶୁଭକାନ୍ତି ସଏ କହିଛନ୍ତି, ସେ ଜଜାଙ୍ଗସ୍ଥିତ ଏକ ଖଣି କମ୍ପାନିର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଡେଙ୍ଗୁ ଆକ୍ରାନ୍ତଙ୍କ ସମ୍ପର୍କରେ ବାସୁଦେବପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅବଗତ କରାଯାଇଥିଲେ ମଧ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନଥିବା ସେ ଅଭିଯୋଗ କରିଛନ୍ତି। ଜୁରୁଡ଼ି ଅଞ୍ଚଳରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ କେନ୍ଦୁଝର ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଦେବେନ ଦାସ  ଆଜି ଜୁରୁଡ଼ି ଉପସ୍ବାସ୍ଥ୍ୟକେନ୍ଦ୍ରକୁ ଆସି ସ୍ଥିତି ସମୀକ୍ଷା କରିଛନ୍ତି।