ମୋହନା : ଗଜପତି ଜିଲ୍ଲା ମୋହନାରେ ଡେଙ୍ଗୁ ଜ୍ବରର ଆତଙ୍କ ଦେଖାଦେଇଛି। ମାସକରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି। ଆକ୍ରାନ୍ତମାନେ ବ୍ରହ୍ମପୁର ବଡ଼ ଡାକ୍ତରଖାନା ସମେତ ବିଭିନ୍ନ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ଡେଙ୍ଗୁରେ ଖ୍ରୀଷ୍ଟିଆନ୍ ସାହିର ସୁରେଶ ନାୟକ, ର˚ଜିତ କୁମାର ନାୟକ, ପ୍ରଣିତ ନାୟକ, କାମେଶ୍ବରୀ ନାୟକ, ଆନନ୍ଦପୁରର ବସନ୍ତ ନାୟକ, ମୋହନା ହାଇସ୍କୁଲ୍ ଛକର ଆଭାରାଣୀ ଦତ୍ତ ଏବ˚ କେରାଖାଲ ଗ୍ରାମର ପୁଷ୍ପା ଦୋରାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।
ସୂଚନା ଅନୁସାରେ, ଅସ୍ବାସ୍ଥ୍ୟକର ପରିବେଶ ଯୋଗୁଁ ମୋହନନାରେ ଡେଙ୍ଗୁ ଭୟଙ୍କର ଭାବେ ବ୍ୟାପିବାରେ ଲାଗିଛି। ଡ୍ରେନ୍ ସୁବିଧା ନଥିବାରୁ ରାସ୍ତାର ବିଭିନ୍ନ ସ୍ଥାନରେ ବର୍ଷା ପାଣି ଜମି ରହୁଛି। ମଇଳା ପାଣି ନିଷ୍କାସିତ ହୋଇପାରୁନି। ବିଶେଷ କରି ଖ୍ରୀଷ୍ଟିଆନ ସାହି, ଜଗନ୍ନାଥମନ୍ଦିର ସାହି ଓ ପାତ୍ର ସାହିରେ ସାମାନ୍ୟ ବର୍ଷା ହେଲେ ଜଳ ଜମି ରହୁଛି। ଫଳରେ, ଏଡିସ୍ ମଶା ବ˚ଶ ବିସ୍ତାରରେ ଏହା ସହାୟକ ହେଉଛି। ପରିସ୍ଥିତି ଉଦ୍ବେଗଜନକ ହୋଇପଡ଼ିବାରୁ ରବିବାର ଦିନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଏକ ଡାକ୍ତରୀ ଦଳ ମୋହନାରେ ପହଞ୍ଚିଥିଲେ। ଖ୍ରୀଷ୍ଟିଆନ ସାହିର ସମସ୍ତ ଜଳଉତ୍ସରୁ ଜଳନମୁନା ସ˚ଗ୍ରହ କରି ପରୀକ୍ଷା ନିମନ୍ତେ ପଠାଇଥିଲେ।
ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ତାଙ୍କ ସୂଚନା ଅନୁସାରେ, ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ମୋହନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଡେଙ୍ଗୁ ଵାର୍ଡ଼ ବ୍ୟବସ୍ଥା କରାଯାଇଛି। ସ୍ଥିତିକୁ ନିୟନ୍ତ୍ରଣରେ ଆଣିବା ଲାଗି ପ୍ରୟାସ ଜାରି ରହିଛି।
ଅନ୍ୟପକ୍ଷରେ, ଜିଲ୍ଲା ବିଜେଡି ସଭାପତି ପ୍ରଦୀପ ନାୟକ, ମୋହନା ବ୍ଲକ୍ ଅଧ୍ୟକ୍ଷ ର˚ଜୀବ ଶବର, ଅନ୍ତର୍ଯ୍ୟାମୀ ଗମାଙ୍ଗ, ପୂର୍ଣ୍ଣବାସୀ ନାୟକ, ସାଂସଦ ପ୍ରତିନିଧି ଭାସ୍କର ସାହୁ ଓ ଜିଲ୍ଲା ପରିଷଦ ସୁନୀଲ କୁମାର ବିଷୋୟୀଙ୍କ ସମେତ ବିଜେଡି କର୍ମୀମାନେ ପହଞ୍ଚି ମୃତକଙ୍କ ପରିବାରକୁ ଭେଟିବା ସହ ସମବେଦନା ଜଣାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/mohana.jpg)