ଭୁବନେଶ୍ବର, (କ୍ଷିତୀଶ ରାୟ): ରାଜ୍ୟରେ ମ୍ୟାଲେରିଆ ନିରାକରଣ ପାଇଁ ସରକାର ‘ଦମନ’ ବା ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆ ନିରାକରଣ କାର୍ଯ୍ୟକ୍ରମ କରିଛନ୍ତି। କାର୍ଯ୍ୟକ୍ରମର ସଫଳତାକୁ ନେଇ ଏହାର ଅବଧିକୁ ଆହୁରି ୫ବର୍ଷ ପାଇଁ ବଢ଼ାଇ ଦିଆଯାଇଛି। ଉଦ୍ଦେଶ୍ୟ ରହିଛି ମ୍ୟାଲେରିଆର ବାର୍ଷିକ ପାରାସାଇଟ୍ ସୂଚକାଙ୍କ ବା ଏପିଆଇକୁ ୦.୦୫କୁ ହ୍ରାସ କରିବା। ହେଲେ ରାଜ୍ୟର ଅଧିକାଂଶ ଜିଲ୍ଲାକୁ ଡେଙ୍ଗୁ କଲବଲ କରୁଥିଲେ ହେଁ ରାଜ୍ୟ ସରକାରଙ୍କର ଏଥିପାଇଁ କୌଣସି ସ୍ବତନ୍ତ୍ର ରଣନୀତି ନାହିଁ। ଲିଫ୍ଲେଟ୍, ହୋର୍ଡିଂ ଓ ପ୍ରଚାରରେ ସୀମିତ ରହିଛି ଜନ ସଚେତନତା। ଏବର୍ଷ ମୌସୁମୀ ଆସିବା ପୂର୍ବରୁ ଓ ଯିବା ମଧ୍ୟରେ ଅର୍ଥାତ୍ ଗତ ୫/୬ ମାସ ମଧ୍ୟରେ ରାଜ୍ୟରେ ହଜାର ହଜାର ଲୋକ ଡେଙ୍ଗୁ ଜ୍ବରରେ କମ୍ପିଛନ୍ତି। ଏବେ କିଛି ଅଞ୍ଚଳକୁ ଡେଙ୍ଗୁ ଚିନ୍ତା ଘାରିଛି। ଆହୁରି ଉଦ୍ବେଗର ବିଷୟ ହେଲା, ସରକାରୀ ଡାକ୍ତରଖାନାରେ ରୋଗୀ ସିଟ୍ ନ ପାଇ ତଳେ ଗଡ଼ୁଛନ୍ତି ଏବଂ ଆଉ କିଛି ନିଜ ଜୀବନ ରକ୍ଷା ପାଇଁ ଘରୋଇ ଡାକ୍ତରଖାନାରେ ଲକ୍ଷାଧିକ ଟଙ୍କା ଖର୍ଚ କରିବାକୁ ବାଧ୍ୟ ହେଉଛନ୍ତି।
ସବୁଠାରୁ ବଡ କଥା ହେଉଛି, ଡେଙ୍ଗୁ ନିୟନ୍ତ୍ରଣରେ ସ୍ବାସ୍ଥ୍ୟ ବିଭାଗ ଅପେକ୍ଷା ଏକାଧିକ ବିଭାଗ ଭିତରେ ସମନ୍ବୟର ଆବଶ୍ୟକତା ରହିଛି। ଲୋକସେବା ଭବନ, ଖାରବେଳ ଭବନ ଓ ବିଭାଗୀୟ ନିର୍ଦେଶାଳୟ ବା ୯’ତାଲାରେ ବସୁଥିବା ସଚିବଙ୍କଠାରୁ ଆରମ୍ଭ କରି ନିର୍ଦେଶକଙ୍କ ଭିତରେ ଦୂରତା ଅଧ କିଲୋମିଟରରୁ ବି କମ୍। ଅଧିକାରୀମାନେ ଦିନରେ ବିଭିନ୍ନ ବୈଠକରେ ଏକାଧିକ ଥର ଦେଖାସାକ୍ଷାତ ହେଉଛନ୍ତି, ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରୁଛନ୍ତି। ହେଲେ ଡେଙ୍ଗୁ ନିୟନ୍ତ୍ରଣ କ୍ଷେତ୍ରରେ ସମ୍ମିଳିତ ଉଦ୍ୟମ ବା ସମସ୍ତେ ଏକାଠି ବସି ଠୋସ୍ କାର୍ଯ୍ୟକ୍ରମ ଘୋଷଣା କରାଯାଇପାରିଲା ନାହିଁ। କେବଳ ସେତିକି ନୁହେଁ, ଏସବୁ ଅଧିକାରୀ ସମସ୍ତେ ଭୁବନେଶ୍ବରରେ ରହୁଛନ୍ତି। ପ୍ରତି ବର୍ଷ ଭୁବନେଶ୍ବରରେ ଡେଙ୍ଗୁ ମାଡ଼ୁଥିଲେ ହେଁ ସମାଧାନର ସୂତ୍ର ବାହାର କରିପାରୁ ନାହାନ୍ତି। ଯଦି ‘ଦମନ’ ପାଇଁ ରାଜ୍ୟ ସରକାର ୫ବର୍ଷରେ ୫୦ କୋଟି ଟଙ୍କାର ଅଟକଳ କରିପାରିଲେ ତାହାଲେ ଡେଙ୍ଗୁ ପାଇଁ ଯୋଜନା କରିବାରେ ଅସୁବିଧା କେଉଁଠି?
ଯଦି ରାଜ୍ୟ ସରକାର ଓ ବିଭାଗୀୟ ଅଧିକାରୀ ମ୍ୟାଲେରିଆ ନିରାକରଣର ପ୍ରଶଂସା ନେଇପାରୁଛନ୍ତି ତାହାଲେ ଡେଙ୍ଗୁର ଅପବାଦ ମୁଣ୍ଡାଇବେ ନାହିଁ କାହିଁକି? ଆହୁରି ଆଶ୍ଚର୍ଯ୍ୟଜନକ କଥା ହେଲା-ଏ କ୍ଷେତ୍ରରେ ମୁଖ୍ୟଶାସନ ସଚିବଙ୍କ ସ୍ତରରେ ଯେଭଳି ତନାଘନା ହେବା କଥା ତାହା ମଧ୍ୟ ପରିଲକ୍ଷିତ ହେଉନାହିଁ।
୨୦୦୬ ମସିହାରେ ରାଜ୍ୟରେ ପ୍ରଥମଥର ଲାଗି ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲେ। ପରବର୍ତୀ ବର୍ଷ ଗୁଡ଼ିକରେ ଧୀରେ ଧୀରେ ଏହା ବଢ଼ିବାକୁ ଆରମ୍ଭ କରିଥିଲା। ଏବେ ପରିସ୍ଥିତି ଏପରି ହେଲାଣି ଯେ ଡେଙ୍ଗୁ ରୋଗ ସହରରୁ ଯାଇ ଗାଁରେ ପଶିଲାଣି। ମୌସୁମୀ ବର୍ଷା ଆରମ୍ଭ ପୂର୍ବରୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କେବଳ ରାଜ୍ୟର ସବୁ ମହାନଗର ନିଗମ ଓ ସିଡିଏମ୍ଓମାନଙ୍କୁ ଡେଙ୍ଗୁ ପାଇଁ ସତର୍କ ରହିବା ଲାଗି ସଚେତନ ରହିବା ଲାଗି କୁହାଯାଉଛି। ଗତ ୫ବର୍ଷ ମଧ୍ୟରେ କେବଳ ୨୦୨୦ ମସିହାକୁ ବାଦ୍ ଦେଲେ ପ୍ରତିବର୍ଷ ହଜାର ହଜାର ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଚଳିତବର୍ଷ ଅକ୍ଟୋବର ୨୦ ତାରିଖ ସୁଦ୍ଧା ରାଜ୍ୟରେ ୫୧୫୭ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇ ସାରିଲେଣି। ଖୋର୍ଧା ଜିଲ୍ଲା ଓ ଭୁବନେଶ୍ବରକୁ ବାଦ୍ ଦେଲେ ରାୟଗଡ଼ା, ମାଲକାନଗିରି, କୋରାପୁଟ ଭଳି ଜିଲ୍ଲାରେ ବି ବହୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରୁ ଗ୍ରାମାଞ୍ଚଳରେ ବି ଡେଙ୍ଗୁ ବ୍ୟାପୁଥିବା ସ୍ପଷ୍ଟ ହେଉଛି।
ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ, ସହର ଓ ଗାଁ ଭିତରେ ଦୂରତା କମିବା ଫଳରେ କୌଣସି ରୋଗ ଆଉ କେବଳ ସହର ଭିତରେ ସୀମିତ ରହୁନାହିଁ। ଗାଁରେ ରହୁଥିବା ଲୋକମାନେ ମଧ୍ୟ ସହରୀ ଲୋକଙ୍କ ଜୀବନ ଶୈଳୀକୁ ଆପଣାଉଛନ୍ତି। ପଲିଥିନ୍, ପ୍ଲାଷ୍ଟିକ୍ ବୋତଲ, ଫୁଲ କୁଣ୍ଡ ଉଭୟ ସହର ଓ ଗାଁରେ ଦେଖିବାକୁ ମିଳୁଛି। ଏ ଦୃଷ୍ଟିରୁ ଡେଙ୍ଗୁ ନିୟନ୍ତ୍ରଣରେ ସ୍ବାସ୍ଥ୍ୟ ବିଭାଗ ଅପେକ୍ଷା ନଗର ଉନ୍ନୟନ, ବିଦ୍ୟାଳୟ ଓ ଗଣଶିକ୍ଷା, ମହିଳା ଓ ଶିଶୁ ବିକାଶ ଆଦି ବିଭାଗର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଯେହେତୁ ଡେଙ୍ଗୁ ରୋଗ ପାଇଁ କୌଣସି ଔଷଧ ନାହିଁ, ତେଣୁ ଏକାଧିକ ବିଭାଗର ସମନ୍ବୟରେ ହିଁ ଡେଙ୍ଗୁ ରୋଗର ନିୟନ୍ତ୍ରଣ ହୋଇପାରିବ। କେବଳ ବର୍ଷା ପୂର୍ବରୁ ସଚେତନତାକୁ ସୀମିତ ନ ରଖି ବର୍ଷବ୍ୟାପୀ ଡେଙ୍ଗୁ ସଚେତନତାକୁ ଜାରି ରଖିବା ଉଚିତ୍। ନଚେତ୍ ଏମିତି ବର୍ଷ ବର୍ଷ ଧରି ସଚେତନତା କରାଗଲେ ମଧ୍ୟ ଡେଙ୍ଗୁ ନିୟନ୍ତ୍ରଣରେ ବଡ଼ ଧରଣର ଫରକ୍ ଦେଖିବାକୁ ମିଳିବ ନାହିଁ।
ନାମ ଗୋପନ ସର୍ତରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଜଣେ ଅଧିକାରୀ କହିଛନ୍ତି, ମ୍ୟାଲେରିଆ ପାରାସାଇଟ୍ ଦ୍ବାରା ବ୍ୟାପୁଥିବା ବେଳେ ଡେଙ୍ଗୁ ଭୂତାଣୁ ଦ୍ବାରା ବ୍ୟାପିଥାଏ। ମ୍ୟାଲେରିଆ ପାଇଁ ଔଷଧ ରହିଛି, ଡେଙ୍ଗୁର କେବଳ ଲକ୍ଷଣଯୁକ୍ତ ଚିକିତ୍ସା ହୋଇଥାଏ। ଡେଙ୍ଗୁର ଟିକା ନ ଆସିବା ପର୍ଯ୍ୟନ୍ତ ରୋଗର ନିରାକରଣ ସମ୍ଭବ ନୁହେଁ। କେନ୍ଦ୍ର ସରକାରଙ୍କ ଗାଇଡାଇନ୍ ଅନୁଯାୟୀ ରାଜ୍ୟରେ ସଚେତନତା କରାଯାଉଛି। ସହରାଞ୍ଚଳରେ ଡେଙ୍ଗୁ ନିୟନ୍ତ୍ରଣ ପାଇଁ ଡେଙ୍ଗୁ ସ୍ବେଚ୍ଛାସେବୀ ନିୟୋଜିତ କରାଯାଉଛି। ହେଲେ ଲୋକମାନେ ସଚେତନ ନ ହେବା ପର୍ଯ୍ୟନ୍ତ ଏହି ସମସ୍ୟା ଲାଗି ରହିବ। ତେବେ ବର୍ଷବ୍ୟାପୀ ଡେଙ୍ଗୁ ସଚେତନତା ପାଇଁ ପ୍ରୟାସ କରାଯାଉଥିବା ଅଧିକାରୀ ଜଣକ ସୂଚନା ଦେଇଛନ୍ତି।