ରାଉରକେଲା : କଟକ, ଭୁବନେଶ୍ବର ପରେ ରାଉରକେଲାବାସୀଙ୍କୁ ଘାରିଲାଣି ଡେଙ୍ଗୁ ଭୟ। ବର୍ତ୍ତମାନ ସୁଦ୍ଧା ସହରରେ ଚିହ୍ନଟ ହେଲେଣି ୯ ଡେଙ୍ଗୁ ରୋଗୀ। ଏଥି ମଧ୍ୟରୁ କେବଳ ଜୁନ୍ରେ ୩ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ରାଉରକେଲା ମହାନଗର ନିଗମ (ଆର୍ଏମ୍ସି) ଓ ଇସ୍ପାତ ସହରାଞ୍ଚଳରେ ମୋଟ ୨୨୩ ଜଣଙ୍କର ରକ୍ତ ନମୁନା ପରୀକ୍ଷା କରାଯାଇଥିଲା। ଏମାନଙ୍କ ମଧ୍ୟରୁ ୯ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ରୋଗୀମାନେ ରେଳବାଇ କଲୋନି, ମାଲଗୋଦାମ, ମଧୁସୂଦନପାଲୀ, ଟିମ୍ବରକଲୋନି, ଉଦିତନଗର ଅଞ୍ଚଳର। ୯ ଡେଙ୍ଗୁ ଆକ୍ରାନ୍ତଙ୍କ ମଧ୍ୟରୁ କିଛି ରୋଗୀ ରାଉରକେଲା ସରକାରୀ ଡାକ୍ତରଖାନା (ଆର୍ଜିଏଚ୍ ) ଓ ଅନ୍ୟ କିଛି ରୋଗୀ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥାରୁ ଦିନକୁ ଦିନ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢ଼ୁଛି। ପ୍ରତିବର୍ଷ ଏସବୁ ଅଞ୍ଚଳରେ ସର୍ବାଧିକ ଡେଙ୍ଗୁ ଚିହ୍ନଟ ହେଉଥିଲେ ହେଁ ଆର୍ଏମ୍ସି ଓ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ପକ୍ଷରୁ ଆଜି ପର୍ଯ୍ୟନ୍ତ ସେମିତି କୌଣସି ଠୋସ୍ ପଦକ୍ଷେପ ନିଆଯାଇ ନାହିଁ।
ବର୍ଷା ଆରମ୍ଭରୁ ୯ ଡେଙ୍ଗୁ ଚିହ୍ନଟ ହେବା ପରେ ସହରବାସୀଙ୍କ ଚିନ୍ତା ବଢ଼ିଛି। ଆର୍ଏମ୍ସି ଅଧୀନରେ ରହିଥିବା ପ୍ରାୟ ୧୫୦ରୁ ଅଧିକ ବସ୍ତି ମଧ୍ୟରୁ ଅଧିକାଂଶ ବସ୍ତିରେ ପରିମଳ ବ୍ୟବସ୍ଥା ସଙ୍ଗୀନ ହୋଇପଡ଼ିଛି। ମାଲଗୋଦାମ, ନୟାବଜାର, ଉଦିତନଗର ବିରଜାପାଲି, ଆମ୍ବେଦକରନଗର, ପାନପୋଷ ବାଲୁଘାଟ, ପାନପୋଷ ବସ୍ତି, ଖରିଆବାହାଲ ଏମିତି ଅନେକ ବସ୍ତିରେ ଡ୍ରେନ୍ଗୁଡ଼ିକ ମାସ ମାସ ଧରି ସଫା ହେଉ ନଥିବାରୁ ମଶାଙ୍କ ପ୍ରାର୍ଦୁଭାବ ବଢ଼ୁଛି। ବେଳ ଥାଉ ଥାଉ ଉଭୟ ଆର୍ଏମ୍ସି ଓ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିହିତ ପଦକ୍ଷେପ ନିଆନଗଲେ ଗତବର୍ଷ ଘଟଣାର ପୁନୁରାବୃତ୍ତି ହେବ।
ଉଲ୍ଲେଖଯୋଗ୍ୟ, ଗତବର୍ଷ ରାଉରକେଲା ସହରରେ ୧୩୬ ଡେଙ୍ଗୁ ଚିହ୍ନଟ ହୋଇଥିଲେ। ରେଳବାଇ କଲୋନି, ଇସ୍ପାତ ସହରାଞ୍ଚଳରୁ ସର୍ବାଧିକ ଡେଙ୍ଗୁ ରେଗୀ ଚିହ୍ନଟ ହୋଇଥିଲେ। ସେପଟେ ଡେଙ୍ଗୁ ରୋଗୀ ଚିହ୍ନଟ ହେବା ପରେ ମଧ୍ୟ ଆର୍ଏମ୍ସି ପରିମଳ ବିଭାଗ ପକ୍ଷରୁ କଲୋନି ଓ ବସ୍ତିରେ ମଶା ଧୂଆଁ ଛଡା ଯାଉନଥିବା କଲୋନିବାସୀ ଅଭିଯୋଗ କରିଛନ୍ତି। ବାସନ୍ତୀ କଲୋନି, ଛେଣ୍ଡ କଲୋନି, ସିଭିଲଟାଉନସିପ୍ ସମେତ ସହର ପ୍ରମୁଖ ବଜାରରେ ମଶା ଧୂଆଁ ଛଡା ଯାଉ ନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଅଧିକାଂଶ ଡ୍ରେନ୍, ନାଳିରେ କେମିକାଲ ସିଞ୍ଚନ ହେଉନି। ସହରର ପ୍ରମୁଖ ଡ୍ରେନ୍ ଠାରୁ ଆରମ୍ଭ କରି ଛୋଟ ଡ୍ରେନ୍ରେ ଅଳିଆ ଆବର୍ଜନା ଭର୍ତ୍ତି ହୋଇ ପଡିଥିବାରୁ କେବଳ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହେଉ ନାହିଁ, ଡେଙ୍ଗୁ ହେବାର ମଧ୍ୟ ସମ୍ଭାବନା ରହିଛି। ଗତବର୍ଷ ଡେଙ୍ଗୁ ଅଣାୟତ ହେବାରୁ ସ୍ଥିତି ଅନୁଧ୍ୟାନ ପାଇଁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଦୁଇଜଣିଆ କୀଟତତ୍ବବିତ୍ ରାଉରକେଲା ଆସିଥିଲେ। ସେମାନେ ଜିଲ୍ଲାରେ ଡେଙ୍ଗୁର ସ୍ଥିତି ସଂକ୍ରାନ୍ତରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସରୋଜ ମିଶ୍ର ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।