ଭୁବନେଶ୍ବର: ରାଜ୍ୟବାସୀ ଏବେ ଡେଙ୍ଗୁ ଜ୍ବରରେ ଥରୁଛନ୍ତି। ରୋଗୀଙ୍କ ସଂଖ୍ୟା ୬ହଜାର ମୁହାଁ ହେଲାଣି। ଚଳିତ ମାସ ଶେଷ କିମ୍ବା ଅକ୍ଟୋବର ମାସ ପର୍ଯ୍ୟନ୍ତ ସଂକ୍ରମଣ ଜାରି ରହିପାରେ ବୋଲି ଅନୁମାନ କରାଯାଉଛି। ଏଭଳି ପରିସ୍ଥିତିରେ ରାଜ୍ୟରେ ଡେଙ୍ଗୁ ପରୀକ୍ଷା ପାଇଁ କିଟ୍‌ର ଅଭାବ ଦେଖା ଦେଇଛି। ରାଜ୍ୟ ଔଷଧ ନିଗମ(ଓଏସ୍‌ଏମ୍‌ସିଏଲ୍‌)ର ଷ୍ଟକ୍‌ ରିପୋର୍ଟରେ ଜିଲ୍ଲା ଓ ରାଜ୍ୟସ୍ତରରେ ପରୀକ୍ଷା ପାଇଁ ଆବଶ୍ୟକ କିଟ୍‌ ନାହିଁ। ତେଣୁ ଜିଲ୍ଲାମାନେ ଡେଙ୍ଗୁ ପରୀକ୍ଷା ପାଇଁ ଏନ୍‌ଏସ୍‌୧ ଏଲିସା କିଟ୍‌ କିଣିବା ଲାଗି ରାଜ୍ୟ ସ୍ବାସ୍ଥ୍ୟ ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛି। ରାଜ୍ୟ ସ୍ବାସ୍ଥ୍ୟସେବା ନି‌ର୍ଦ୍ଦେଶକ ଆଜି ଏ ସଂକ୍ରାନ୍ତରେ ଏକ ପତ୍ର ଲେଖିଛନ୍ତି। 

Advertisment

ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି, ଆସନ୍ତା ଏକ ମାସ ପାଇଁ ଜିଲ୍ଲା ମେଡିକାଲ କଲେଜ ଅଧୀକ୍ଷକ ନିଜ ନିଜ ସ୍ତରରେ ଏହି କିଟ୍‌ କିଣିବେ। ଔଷଧ ନିଗମ ପକ୍ଷରୁ ପର୍ଯ୍ୟାପ୍ତ ପରିମାଣର କିଟ୍‌ ଯୋଗାଣ ନ ହେବା ପର୍ଯ୍ୟନ୍ତ ଏହା ଜାରି ରହିବ। ଏଥିପାଇଁ ଆବଶ୍ୟକ ଅର୍ଥ ହସ୍ପିଟାଲମାନଙ୍କୁ ଦିଆଯାଉଥିବା ୧୦% ଅର୍ଥରୁ ଭରଣା କରାଯିବ। ଏହାସହ ନିର୍ଦ୍ଦେଶାବଳୀ ଅନୁଯାୟୀ ଡେଙ୍ଗୁ ପରୀକ୍ଷା ପାଇଁ ଆଇଜିଏମ୍‌ କିଟ୍‌(ଏନ୍‌ଆଇଭି ପୁନେ) ମଧ୍ୟ ବ୍ୟବହାର କରାଯାଇପାରିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ତେବେ ସଂକ୍ରମଣ ମଝିରେ ଔଷଧ ନିଗମ ପରୀକ୍ଷା କିଟ୍‌ ନ କିଣି ଜିଲ୍ଲାମାନଙ୍କୁ ଏହାକୁ କିଣିବାକୁ ନିର୍ଦ୍ଦେଶ ଦିଆଯିବାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି। 

ରାଜ୍ୟରେ ୬ହଜାରମୁହାଁ ଡେଙ୍ଗୁ ସଂକ୍ରମଣ
ଏଲିସା କିଟ୍‌ କିଣିବାକୁ ଜିଲ୍ଲାମାନଙ୍କୁ ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶ
ସ୍ବାସ୍ଥ୍ୟ ନିର୍ଦ୍ଦେଶାଳୟର ପ୍ରୋକ୍ୟୁରମେଣ୍ଟ ପରାମର୍ଶଦାତାଙ୍କ କାର୍ଯ୍ୟକୁ ନେଇ ପ୍ରଶ୍ନ

ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ କୌଣସି ବ୍ୟକ୍ତି ଡେଙ୍ଗୁରେ ସଂକ୍ରମିତ ହୋଇଥିଲେ ଏହାର ୫ଦିନ ଭିତରେ ଏନ୍‌ଏସ୍‌୧ ଏଲିସା କିଟ୍‌ରେ ପରୀକ୍ଷା କରାଗଲେ ତାହା ସ୍ପଷ୍ଟ ହୋଇଥାଏ। ସେହିପରି ଆଇଜିଏମ୍‌ କିଟ୍‌ରେ ଜ୍ବର ହେବାର ୮-୯ ଦିନ ପରେ ଡେଙ୍ଗୁ ସଂକ୍ରମଣ ଥିବା ସ୍ପଷ୍ଟ ହୋଇଥାଏ। ରାଜ୍ୟରେ ଏବେ ଦୈନିକ ଯେତିକି ଡେଙ୍ଗୁ ପରୀକ୍ଷା ହେଉଛି ତାହାର ୯୫% ‌କେବଳ ଏନ୍‌ଏସ୍‌୧ ଏଲିସା କିଟ୍‌ରେ ହୋଇଥାଏ। ଆଇଜିଏମ୍‌ କିଟ୍‌ ପରୀକ୍ଷା ସଂଖ୍ୟା କମ୍। ଗୋଟିଏ ପଟେ କିଟ୍‌ର ଅଭାବ ହେବା ଓ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆଇଜିଏମ୍‌ କିଟ୍‌କୁ ଏକପ୍ରକାର ପ୍ରୋତ୍ସାହିତ କରାଯିବାକୁ ନେଇ ବିଭାଗରେ ଜୋରଦାର ଆଲୋଚନା ହେଉଛି। କାରଣ ଡେଙ୍ଗୁ ଚିହ୍ନଟ ପାଇଁ ଯେତେ ବିଳମ୍ବ ହେବ ଏହି ସମୟ ଭିତରେ ସଂପୃକ୍ତ ରୋଗୀ ଜଣକ ଅନ୍ୟମାନଙ୍କୁ ସଂକ୍ରମିତ କରିବାର ଭୟ ରହିଛି। ଏହାସହ ରାଜ୍ୟ ସ୍ବାସ୍ଥ୍ୟ ନିର୍ଦ୍ଦେଶାଳୟରେ ପ୍ରୋକ୍ୟୁରମେଣ୍ଟ ପରାମର୍ଶଦାତା ଅଛନ୍ତି। କିଟ୍‌ କିଣିବା ଓ ଜିଲ୍ଲାମାନଙ୍କୁ ନିରନ୍ତର ଯୋଗାଣ ଦାୟିତ୍ବ ହେଉଛି ସଂପୃକ୍ତ ପରାମର୍ଶଦାତାଙ୍କର। ତେଣୁ ରାଜ୍ୟ ଔଷଧ ନିଗମ ସହ ଏହା ଉପରେ ଆଗୁଆ ଆଲୋଚନା ନ କରିବା ଓ କିଟ୍‌ର ଅଭାବ ହେବା ପରେ ଜିଲ୍ଲାମାନଙ୍କୁ କିଣିବା ପାଇଁ ନିର୍ଦ୍ଦେଶ ଦେବା ପଛରେ ଉଦ୍ଦେଶ୍ୟ ବୁଝା ପଡ଼ୁନାହିଁ। 

ଅପରପକ୍ଷରେ ରାଜ୍ୟରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୫୮୨୬ କୁ ବୃଦ୍ଧି ପାଇଛି। ଗତ ୨୪ଘଣ୍ଟାରେ ରାଜ୍ୟ‌ରେ ୫୨ଜଣ ନୂଆ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୁନ୍ଦରଗଡ଼ରେ ସର୍ବାଧିକ ୧୮୬୭, ଖୋର୍ଦ୍ଧା ୧୧୩୪, ବାଲେଶ୍ବର ୪୦୧, କଟକ ୩୪୦, ମୟୂରଭଞ୍ଜ ୨୬୭, ଭଦ୍ରକ ୨୧୦, ଯାଜପୁର ୧୯୨, ପୁରୀ ୧୪୩, ନୟାଗଡ଼ ୧୨୬, ବଲାଙ୍ଗୀର ୧୧୭, ରାୟଗଡ଼ା ୧୧୬, ‌ଜଗତସିଂହପୁର ୧୦୬ ଓ କେନ୍ଦୁଝରରେ ୧୦୪ ରୋଗୀ ଚିହ୍ନଟ ହୋଇଛନ୍ତି। ଦେବଗଡ଼ରେ ସର୍ବନିମ୍ନ ୩ଜଣ ଆକ୍ରାନ୍ତ ବାହାରିଛନ୍ତି। ରାଜ୍ୟରେ ଡେଙ୍ଗୁ ନମୁନା ପରୀକ୍ଷା ସଂଖ୍ୟା ୧ଲକ୍ଷ ଟପିଛି। ତେବେ ଗତବର୍ଷ ଏହି ସମୟରେ ରାଜ୍ୟରେ ‌୬୦୬୮ ରୋଗୀ ଚିହ୍ନଟ ହୋଇଥିଲେ।