ଆନ୍ଧ୍ରସୀମାନ୍ତ ସୁମାଣ୍ଡିରେ ମାଡ଼ୁଛି ଡେଙ୍ଗୁ

ଚିକିଟି : କ‌ରୋନା ମହାମାରୀର ଆତଙ୍କ ନଥମୁଣୁ ଚିକିଟି ବ୍ଲକ୍ ତଥା ଆନ୍ଧ୍ର ସୀମାନ୍ତ ସୁମାଣ୍ଡିରେ ‌ଡେଙ୍ଗୁ ଜ୍ବର ଭୟାନକ ଭାବେ ବ୍ୟାପିବାରେ ଲାଗିଛି। ମାସକ ଭିତରେ ଏହି ଗ୍ରାମରୁ ପ୍ରାୟ ୨୦ରୁ ଅଧିକ ଲୋକ ଆକ୍ରାନ୍ତ ହୋଇସାରିଛନ୍ତି। ୯ ଜଣ ସୁସ୍ଥ ହୋଇ ବ୍ରହ୍ମପୁର ବଡ଼ ମେଡିକାଲରୁ ଫେରିଥିବା ବେଳେ ୪ଜଣ ଚିକିତ୍ସିତ ହେଉଛନ୍ତି। ସେହିପରି ୧୦ଜଣ ଆନ୍ଧ୍ରପ୍ରଦେଶ ଇଚ୍ଛାପୁରର ବିଭିନ୍ନ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଡେଙ୍ଗୁ ବ୍ୟାପିବା ପରେ ଗାଁରେ ଆତଙ୍କ ଖେଳିଯାଇଛି।

ମିଳିଥିବା ସୂଚନାନୁସାରେ, ଗ୍ରାମର କିଛି ଯୁବକ ଡେଙ୍ଗୁରେ ଆକ୍ରାନ୍ତ ହୋଇ ବର୍ତ୍ତମାନ ବ୍ରହ୍ମପୁର ବଡ଼ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଅନ୍ୟପକ୍ଷରେ ଏଭଳି ଘଡ଼ିସନ୍ଧି ସମୟରେ ୮ହଜାର ଜନସଂଖ୍ୟା ବିଶିଷ୍ଟ ରେଡ୍ଡୀସୁମାଣ୍ଡି ଓ କେଉଟସୁମାଣ୍ଡି ଗ୍ରାମରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇ ପଡ଼ିଛି। ଡେଙ୍ଗୁ ବ୍ୟାପିବା ପରେ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି। ସ୍ଥାନୀୟ ସରପଞ୍ଚ ଜୟସୁଧା ରେଡ୍ଡୀ ଓ ତାଙ୍କ ସହଯୋଗୀ ଜୀବାନନ୍ଦ ରେଡ୍ଡୀ ପ୍ରମୁଖ  ଘରକୁ ଘର ବୁଲି ସଚେତନତା ସୃଷ୍ଟି କରୁଛନ୍ତି। ସବୁଠୁ ଚିନ୍ତାର ବିଷୟ ହେଲା, ଗାଁର ପ୍ରତି ଘରେ ଏବେ ଜ୍ବର ରୋଗୀ ଅଛନ୍ତି। ଫଳରେ ଆଗକୁ ସଂଖ୍ୟା ବୃଦ୍ଧି ହୋଇପାରେ।

ସୂଚନା ଥାଉକି, ୫ ବର୍ଷ ତଳେ ଗିରିସୋଲାରେ ଡେଙ୍ଗୁର ଆତଙ୍କ ଦେଖାଦେଇଥିଲା। ଏଥିରେ ଅନେକ ଲୋକ ପ୍ରାଣ ହରାଇଥିଲେ।

ସମ୍ବନ୍ଧିତ ଖବର