କୋରାପୁଟ ଜିଲ୍ଲାରେ ଡେଙ୍ଗୁ ବ୍ୟାପୁଛି, ଚିହ୍ନଟ ହୋଇସାରିଲେଣି ୧୨୪ ଆକ୍ରାନ୍ତ

କୋରାପୁଟ : କୋରାପୁଟ ଜିଲ୍ଲାରେ ବେକାବୁ ହେଲାଣି ଡେଙ୍ଗୁ। କୋରାପୁଟ ସମେତ ଜୟପୁର, ଲକ୍ଷ୍ମୀପୁର, ଦଶମନ୍ତପୁର ଏବଂ କୋଟାପାଡ଼ ଅଞ୍ଚଳରେ ବଢ଼ିବାରେ ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା। ସ୍ବାସ୍ଥ୍ୟ ବିଭାଗର ହିସାବ ଅନୁଯାୟୀ, କୋରାପୁଟରେ ପରୀକ୍ଷା ହୋଇଥିବା ନମୁନା ମଧ୍ୟରୁ ୧୨୪ଜଣ ଆକ୍ରାନ୍ତ ହୋଇଛନ୍ତି। ତେବେ ସେଥିରୁ ୧୩ଜଣ ମାଲକାନଗିରି ଜିଲ୍ଲାର ବୋଲି କୁହାଯାଉଛି। ମାଲକାନଗିରି ଜିଲ୍ଲାରେ ନମୁନା ପରୀକ୍ଷା ବ୍ୟବସ୍ଥା ନଥିବାରୁ କୋରାପୁଟରେ ପରୀକ୍ଷା କରାଯାଇଥିଲା। ତେବେ, ବେସରକାରୀ ଭାବେ ସରକାରୀ ସଂଖ୍ୟାର ଦୁଇ ଗୁଣ ଆକ୍ରାନ୍ତ ହୋଇଥିବା କୁହାଯାଉଛି। ସେହିପରି ବହୁ ଆକ୍ରାନ୍ତ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାରୁ ଏହି ସଂଖ୍ୟା ଆହୁରି ବି ବଢ଼ିପାରେ।

ସୂଚନା ଅନୁସାରେ, କୋରାପୁଟ ଜିଲ୍ଲାରେ ଏ ପର୍ଯ୍ୟନ୍ତ ୧୧୩୨ ଜଣଙ୍କ ଡେଙ୍ଗୁ ପରୀକ୍ଷା କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୧୨୪ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଆକ୍ରାନ୍ତଙ୍କ ମଧ୍ୟରୁ କେତେଜଣ ଏଠାରେ ଚିକିତ୍ସିତ ହେଉଥିବାବେଳେ ଆଉ କେତେ ଜଣ ବ୍ରହ୍ମପୁର ଏବଂ ଭୁବନେଶ୍ବର ସ୍ଥାନାନ୍ତର ହୋଇଛନ୍ତି। କୋରାପୁଟ ମେଡିକାଲ କଲେଜରେ ପ୍ଲେଟଲେଟ୍‌ ଚିକିତ୍ସା ବ୍ୟବସ୍ଥା ରହିଥିଲେ ସୁଦ୍ଧା ଦୁଇଟି ଯାକ ମେସିନ ଅଚଳ ହୋଇଯାଇଥିବାରୁ ବାଧ୍ୟହୋଇ ଆକ୍ରାନ୍ତଙ୍କୁ ବ୍ରହ୍ମପୁର ପଠାଯାଉଛି। ସେହିପରି କୋରାପୁଟ ହସ୍ପିଟାଲର ଭେଷଜ ପୁରୁଷ ୱାର୍ଡକୁ ଡେଙ୍ଗୁ ୱାର୍ଡରେ ପରିବର୍ତ୍ତନ କରି ରୋଗୀଙ୍କ ଚିକିତ୍ସା କରାଯାଉଛି। ତେବେ ବହୁରୋଗୀ ବିଶାଖାପାଟଣା କିମ୍ବା କୌଣସି ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାରୁ କେତେ ସଂଖ୍ୟାରେ ରୋଗୀ ଡେଙ୍ଗୁ ଆକ୍ରାନ୍ତ ତାହାର ସ୍ପଷ୍ଟ ତଥ୍ୟ କାହା ନିକଟରେ ନାହିଁ।

ତେବେ, ପ୍ରତିବର୍ଷର ପରିସଂଖ୍ୟାନକୁ ଦୃଷ୍ଟିରେ ରଖିଲେ କୋରାପୁଟରେ ଡେଙ୍ଗୁ ସ୍ବାସ୍ଥ୍ୟଜନିତ କାରଣର ବଡ଼ସମସ୍ୟା ପାଲଟିଛି। ୨୦୨୦ ମସିହାରେ ୧୫୨୭ ଜଣଙ୍କ ଡେଙ୍ଗୁ ପରୀକ୍ଷା ହୋଇଥିଲା ଏବଂ ୧୦୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ୨୦୧୯ ମସିହାରେ ମାତ୍ର ୧୪୯ ଜଣଙ୍କ ପରୀକ୍ଷା କରାଯାଇଥିବା ବେଳେ ୨୧ଜଣ ଡେଙ୍ଗୁ ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା। ୨୦୧୮ ମସିହାରେ ୨୭୫ ଜଣଙ୍କ ପରୀକ୍ଷା କରାଯାଇଥିଲା ଏବଂ ୧୭ ପଜିଟିଭ ବାହାରିଥିଲେ। ୨୦୧୭ ମସିହାରେ ୪୩ ଜଣଙ୍କ ପରୀକ୍ଷା କରାଯାଇଥିବା ବେଳେ ୩ଜଣ ପଜିଟିଭ ଥିଲେ। ୨୦୧୬ ମସିହାରେ ୨୪ଜଣଙ୍କ ପରୀକ୍ଷା କରାଯାଇଥିଲେ ସୁଦ୍ଧା ଜଣେ ବି ଚିହ୍ନଟ ହୋଇ ନଥିଲେ। ସେହିପରି ୨୦୧୫ ମସିହାରେ ୩୨ ଜଣଙ୍କ ପରୀକ୍ଷା କରାଯାଇଥିବା ବେଳେ ସମସ୍ତେ ଡେଙ୍ଗୁ ନେଗେଟିଭ ରହିଥିଲେ। ତେବେ ୨୦୧୪ ମସିହାରେ ୮୧ ଜଣଙ୍କ ପରୀକ୍ଷା କରାଯାଇଥିବା ବେଳେ ୫ଜଣ ପଜିଟିଭ ରହିଥିବା ଜଣାପଡ଼ିଥିଲା। ଅନ୍ୟପକ୍ଷରେ, ଚଳିତବର୍ଷ କୋରାପୁଟ ସହରରୁ ୫୭ଜଣ, ଲକ୍ଷ୍ମୀପୁରରୁ ୨୮ଜଣ, ଦଶମନ୍ତପୁରରୁ ୬ଜଣ, ଜୟପୁରରୁ ୫ଜଣ, କୁନ୍ଦୁରାରୁ ଜଣେ, ମାଥାଲପୁଟରୁ ୩ଜଣ, ସେମିଳିଗୁଡାରୁ ଜଣ, ଲମତାପୁଟରୁ ଜଣେ, ନନ୍ଦପୁରରୁ ୪ଜଣ ଓ ସୁନାବେଡ଼ା ପୌରାଞ୍ଚଳରୁ ଜଣେ ରୋଗୀ ଚିହ୍ନଟ ହୋଇଛନ୍ତି।

ଅନ୍ୟପକ୍ଷରେ, କୋରାପୁଟରେ ଡେଙ୍ଗୁ ରୋଗୀ ବଢୁଥିବା କୁହାଯାଉଥିଲେ ମଧ୍ୟ ଏହା ଚିନ୍ତାଜନକ ନୁହେଁ ବୋଲି କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଅରୁଣ ପାଢୀ। ‌ଜିଲ୍ଲାରେ ଏ ପର୍ଯ୍ୟନ୍ତ ମାତ୍ର ୧୨୪ (୧୩ଜଣ ମାଲକାନଗିରିରୁ ଚିହ୍ନଟ) ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଏ‌ପଟେ ଡେଙ୍ଗୁ ବ୍ୟାପିବା ଋତୁ ହୋଇଥିବାରୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ନେଇ ଆଶଙ୍କା କରାଯାଇଛି। ତେଣୁ ଏହାକୁ ନେଇ ଭୟଭୀତ ହେବାର ନାହିଁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର