ବିଏମ୍ସି ସମେତ ୫ ମହାନଗର ନିଗମକୁ ଜାରି ହୋଇଥିଲା ଚିଠି
ଯଦି ଭୁବନେଶ୍ବର ଅବସ୍ଥା ଏମିତି, ଅନ୍ୟ ଅଞ୍ଚଳ ସ୍ଥିତି କେମିତି
ଭୁବନେଶ୍ବର : ଡେଙ୍ଗୁ ହେଉଛି ରାଜ୍ୟର ଏକ ପ୍ରମୁଖ ଜନସ୍ବାସ୍ଥ୍ୟ ସମସ୍ୟା। ବର୍ଷା ସହିତ ଡେଙ୍ଗୁ ସଂକ୍ରମଣ ଜଡ଼ିତ। ଆଗକୁ ମୌସୁମୀ ଆସୁଛି। ଡେଙ୍ଗୁ ରୋଗ ସୃଷ୍ଟିକାରୀ ଏଡିସ୍ ମଶା ସଫା ପାଣିରେ ବଂଶ ବିସ୍ତାର କରିଥାଏ। ଗତ କିଛିବର୍ଷ ହେବ ପାର୍କ, ଗାର୍ଡେନ, ଫାଉଣ୍ଡେନ୍, ପାଣି ଟାଙ୍କି, ବୁଲା ଗାଈଗୋରୁଙ୍କ ପାଇଁ ରହୁଥିବା ପାତ୍ର, ଲୋକମାନେ ଘରେ ସାଜସଜା ପାଇଁ ରଖୁଥିବା ଗଛର ପାତ୍ରରେ ଡେଙ୍ଗୁ ମଶା ବଂଶ ବିସ୍ତାର କରୁଥିବା ଦେଖିବାକୁ ମିଳୁଛି। ତେଣୁ ଏବେଠାରୁ ଅବ୍ୟବହୃତ ଟାୟାର, ପ୍ଲାଷ୍ଟିକ କଣ୍ଟେନର, ମାଟି ପାତ୍ର, ବାଉଁଶ ଷ୍ଟମ୍ପ, ଡିସ୍ପୋଜେବୁଲ କପ୍ ଓ ଅନ୍ୟାନ୍ୟ ଜିନିଷକୁ ହଟାଯାଉ। ଠିକ୍ ମାସେ ତଳେ ଏଭଳି ଢଙ୍ଗରେ ବିଏମ୍ସି ସମେତ କଟକ, ବ୍ରହ୍ମପୁର, ରାଉରକେଲା ଓ ସମ୍ବଲପୁର ମହାନଗର ନିଗମକୁ ଚିଠି ଲେଖି ସତର୍କ କରିଥିଲା ସ୍ବାସ୍ଥ୍ୟ ବିଭାଗ।
ରାଜଧାନୀରେ ଅଳ୍ପ କିଛି ଦୂରରେ ଥିବା ବିଏମ୍ସି ସ୍ବାସ୍ଥ୍ୟ ବିଭାଗର ଏହି ଚିଠି ଉପରେ କାର୍ଯ୍ୟାନୁଷ୍ଠାନ ନେବ କ’ଣ ଚୁପ୍ ରହିଲା। ଡେଙ୍ଗୁ ନେଇ ଲୋକମାନଙ୍କୁ ସଚେତନ କରାଗଲା ନା ସ୍ପେଶାଲ ଡ୍ରାଇଭ୍ ଜରିଆରେ ସ୍ବାସ୍ଥ୍ୟ ବିଭାଗ ସତର୍କ କରିଥିବା ସ୍ଥାନକୁ ହଟାଗଲା। ଆରମ୍ଭରୁ କୌଣସି ପଦକ୍ଷେପ ନ ନିଆଯିବା କାରଣରୁ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଡେଙ୍ଗୁ ସଂପୂର୍ଣ୍ଣ ବଂଶ ବିସ୍ତାର କରିଛି। ଏପରିକି ଡେଙ୍ଗୁ ପାଇଁ ଗୋଟିଏ ମୁଣ୍ଡ ଗଡ଼ି ସାରିଲାଣି। ଯଦି ରାଜଧାନୀରେ ଏଭଳି ଅବସ୍ଥା, ତାହାଲେ ରାଜ୍ୟର ଅନ୍ୟ ମହାନଗର ନିଗମ ଓ ସହରାଞ୍ଚଳରେ କ’ଣ ପଦକ୍ଷେପ ନିଆଯାଇଥିବ ତାହା ଜଳ ଜଳ ଦେଖାଯାଉଛି। ଡେଙ୍ଗୁ ନେଇ କେବଳ ୫ ମହାନଗର ନିଗମ ନୁହେଁ, ରାଜ୍ୟର ସମସ୍ତ ଜିଲ୍ଲା ସିଡିଏମ୍ଓମାନଙ୍କୁ ମଧ୍ୟ ପରବର୍ତୀ ସମୟରେ ବିଭାଗ ପକ୍ଷରୁ ଚିଠି ଜାରି ହୋଇଥିଲା।
/sambad/media/post_attachments/wp-content/uploads/2019/11/dengue-300x152.jpg)
ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ଚିଠିରେ କୁହାଯାଇଛି ଯେ ଡେଙ୍ଗୁର ମୁକାବିଲା ପାଇଁ ଦେଶରେ କୌଣସି ଟିକା ଉପଲବ୍ଧ ହେଉନାହିଁ। ତେଣୁ ଏହାର ମଶାର ବଂଶ ବିସ୍ତାରକୁ ରୋକିବା ହିଁ ମୁଖ୍ୟ ରଣନୀତି ହେବା ଦରକାର। ତେଣୁ ମଶା ମାରିବା ସହିତ ଡ୍ରାଏ ଡେ’ ପାଳନ କରିବା ଗୁରୁତ୍ବ ଦିଆଯାଉ। ମହାନଗର, ମ୍ୟୁନିସିପାଲଟି ଅଞ୍ଚଳରେ ଥିବା ସହରାଞ୍ଚଳ ସ୍ବାସ୍ଥ୍ୟ ଅଧିକାରୀ, ଏନ୍ୟୁଏଚ୍ଏମ୍ଙ୍କ ଜରିଆରେ ସଂକ୍ରମଣ ଋତୁ ଶେଷ ହେବା ପର୍ଯ୍ୟନ୍ତ ମଶା ନିୟନ୍ତ୍ରଣ ପାଇଁ ପଦକ୍ଷେପ ଗ୍ରହଣ କରାଯାଉ। ଆବଶ୍ୟକ ପଡ଼ିଲେ ରାଜ୍ୟସ୍ତରରୁ ସମସ୍ତ ପ୍ରକାର ସହଯୋଗ ଦିଆଯିବ ବୋଲି ବିଭାଗ ପକ୍ଷରୁ ଜାରି ଚିଠିରେ ଉଲ୍ଲେଖ ରହିଛି।
ଅପରପକ୍ଷରେ ରାଜ୍ୟର ଅନେକ ଘରୋଇ ହସ୍ପିଟାଲ/ଡାଏଗ୍ନୋଷ୍ଟିକ୍ ସେଣ୍ଟର ଡେଙ୍ଗୁ, ମ୍ୟାଲେରିଆ ଓ ଜେଇ ଇତ୍ୟାଦି ରୋଗର ପରୀକ୍ଷା କରୁଛନ୍ତି। ମାତ୍ର ଏସବୁର ନମୁନା ସ୍ବାସ୍ଥ୍ୟ ବିଭାଗର ଥିବା ସେଣ୍ଟିନାଲ ସାଇଟକୁ ପଠାଉ ନ ଥିବାରୁ ଏହାକୁ ନେଇ ବିବାଦ ସୃଷ୍ଟି ହେଉଛି। ତେଣୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆଜି ଆଉଥରେ ଚିଠି ଜାରି ହେବା ସହିତ ନମୁନା ପଠାଇବାକୁ କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/dengue.jpg)