ଭୁବନେଶ୍ବର: ଗତ ୩ମାସ ଧରି ରାଜଧାନୀ ସମେତ ଓଡ଼ିଶାରେ ଡେଙ୍ଗୁ ସଂକ୍ରମଣ ବ୍ୟାପିଛି। ବିଶେଷକରି ଭୁବନେଶ୍ବରରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୨ହଜାର ଟପିଗଲାଣି। ଡେଙ୍ଗୁକୁ ନେଇ ଖୋଦ୍ ରାଜ୍ୟ ସରକାରଙ୍କ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି। ବିଏମ୍ସି ବି ଘରକୁ ଘର ବୁଲି ଲୋକଙ୍କ ସଚେତନ କରୁଛି। ହେଲେ ରାଜ୍ୟର ମୁଖ୍ୟ ଶାସନ ସଚିବ ପି.କେ ଜେନାଙ୍କ ଘରୁ ଡେଙ୍ଗୁ ରୋଗ ସୃଷ୍ଟିକାରୀ ଏଡିସ୍ ମଶାର ଲାର୍ଭା ଚିହ୍ନଟ ହୋଇଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି। ଜଣେ ସରକାରୀ କର୍ମଚାରୀ ନିଜ ନାମ ଗୋପନ ସର୍ତ୍ତରେ 'ସମ୍ବାଦ'କୁ ଏହି ସୂଚନା ଦେଇଛନ୍ତି। ଶ୍ରୀ ଜେନା ଡେଙ୍ଗୁରେ ଆକ୍ରାନ୍ତ ହେବା ପରେ ତାଙ୍କ ସରକାରୀ ବାସଭବନକୁ ବିଏମ୍ସି ଟିମ୍ ସହିତ ସାନିଟାରି ଇନ୍ସପେକ୍ଟର ଓ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଟିମ୍ ଯାଇଥିଲା। ମୁଖ୍ୟ ଶାସନ ସଚିବଙ୍କ ଘରେ ବିଭିନ୍ନ ସ୍ଥାନରେ ଜମି ରହିଥିବା ପାଣିରୁ ଡେଙ୍ଗୁ ଲାର୍ଭା ଚିହ୍ନଟ ହୋଇଥିଲା। ମାତ୍ର ତାଙ୍କ ଆଖପାଖର କ୍ବାଟର୍ସରୁ ଯାଞ୍ଚ ପାଇଁ ଯାଇଥିବା ଟିମ୍ କୌଣସି ଲାର୍ଭା ପାଇ ନ ଥିଲେ। ଘରେ ସ୍ଥିର ପାଣି ନ ରଖିବା ଲାଗି ରାଜ୍ୟ ସରକାର ଲୋକମାନଙ୍କୁ କହୁଥିବା ବେଳେ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କ ଘରେ ଏଭଳି ପାଣି ଜମିବା ଓ ତହିଁରୁ ଲାର୍ଭା ବାହାରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଅନ୍ୟକୁ ସଚେତନ କରିବାକୁ ଯାଇ ମୁଖ୍ୟ ଶାସନ ସଚିବ ନିଜେ ସଚେତନ ହୋଇପାରିନାହାନ୍ତି।
ରାଜ୍ୟରେ ଡେଙ୍ଗୁ ସ୍ଥିତି ଅତ୍ୟନ୍ତ ସଙ୍ଗିନ୍ ରହିଛି। ଦୈନିକ ୨ଶହ ଉପରେ ରୋଗୀଙ୍କୁ ଚିହ୍ନଟ କରାଯାଉଛି। ଗତ ୧୦ ତାରିଖରେ ରାଜ୍ୟରେ ୨୩୩ ଜଣ ଚିହ୍ନଟ ହୋଇଥିବା ବେଳେ ୧୧ ତାରିଖରେ ୨୪୦ଜଣଙ୍କୁ ଚିହ୍ନଟ କରାଯାଇଛି। ଅର୍ଥାତ୍ ପ୍ରତିଦିନ ରୋଗୀଙ୍କ ସଂଖ୍ୟା ବଢ଼ୁଛି ସିନା କମୁନାହିଁ। ଡେଙ୍ଗୁକୁ ନିୟନ୍ତ୍ରଣ କରିବାରେ ରାଜ୍ୟ ସରକାର ଏକପ୍ରକାର ଅସହାୟ ହୋଇପଡ଼ିଛନ୍ତି। ଡେଙ୍ଗୁକୁ ନେଇ କୌଣସି ପ୍ରକାର ସଚେତନତା କାମ କରୁନାହିଁ। ବରଂ ହସ୍ପିଟାଲରେ ଦିନକୁ ଦିନ ରୋଗୀଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ରାଜ୍ୟର ୯ଟି ଜିଲ୍ଲାରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଶହେ ଉପରେ ରହିଛି। ରାଜ୍ୟରେ ଖୋର୍ଧା ଜିଲ୍ଲାରେ ସର୍ବାଧିକ ୨୨୩୩ଜଣ ଆକ୍ରାନ୍ତ ବାହାରିଛନ୍ତି। ଏଥିରେ ୯୦%ରୁ ଅଧିକ ହେଉଛନ୍ତି କେବଳ ଭୁବନେଶ୍ବରରୁ। ଖୋର୍ଧା ଜିଲ୍ଲା ବାଦ୍ ପୁରୀ ୫୯୦, କଟକ ୫୨୭, ବାଲେଶ୍ବର ୪୯୬, ଜଗତସିଂହପୁର ୨୭୨, ନୟାଗଡ଼ ୨୧୦, ସୁନ୍ଦରଗଡ଼ ୧୭୪, କେନ୍ଦ୍ରାପଡ଼ା ୧୧୪ ଓ କେନ୍ଦୁଝରରୁ ୧୧୩ଜଣ ଆକ୍ରାନ୍ତ ବାହାରିଲେଣି। ରାଜ୍ୟରେ ସମୁଦାୟ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୫୩୩୭କୁ ବୃଦ୍ଧି ପାଇଛି। ଗତବର୍ଷ ଏହି ସମୟରେ ରାଜ୍ୟରେ ୩୧୩୬ ଡେଙ୍ଗୁ ରୋଗୀ ବାହାରିଥିଲେ।
ବିଶେଷଜ୍ଞ ମତରେ ରାଜ୍ୟରେ ଡେଙ୍ଗୁ ସ୍ଥିତିରେ ଆହୁରି ୧ମାସ ପର୍ଯ୍ୟନ୍ତ କୌଣସି ସୁଧାର ଆସିବ ନାହିଁ। ସେପ୍ଟେମ୍ବର ମାସରେ ଯେଉଁଭଳି ଭାବେ ବର୍ଷା ଲାଗି ରହିଛି, ଅକ୍ଟୋବର ଶେଷ ବେଳକୁ ହୁଏତ ଡେଙ୍ଗୁ ସଂକ୍ରମଣ ହ୍ରାସ ପାଇପାରେ। ସହର ବଢ଼ିବା ସହିତ ଲୋକସଂଖ୍ୟା ବଢ଼ିବା କାରଣରୁ ଡେଙ୍ଗୁ ସଂକ୍ରମଣ ବଢ଼ୁଛି। ଏହି ମଶା କେବଳ ସଫା ପାଣିରେ ଅଣ୍ଡା ଦେଉଥିବାରୁ ସମସ୍ତଙ୍କ ଘରେ ବୁଲି ଏହାର ଯାଞ୍ଚ କରିବା ଏକପ୍ରକାର କଷ୍ଟକର। ତେଣୁ ଲୋକମାନେ ସଚେତନତା ହେବା ଜରୁରୀ ହୋଇପଡ଼ିଛି ବୋଲି ବିଶେଷଜ୍ଞ ମତ ରଖିଛନ୍ତି।
ଅପରପକ୍ଷରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଅଧିକାରୀଙ୍କ କହିବା କଥା ରାଜ୍ୟରେ ଅଧିକ ସଂଖ୍ୟାରେ ନମୁନା ପରୀକ୍ଷା କରାଯାଉଛି। ବର୍ଷା ପାଇଁ ହୁଏତ ଆଉ କିଛିଦିନ ପର୍ଯ୍ୟନ୍ତ ସଂକ୍ରମଣ ଲାଗି ରହିପାରେ। କିଛି ମାସ ପୂର୍ବରୁ ଓଡ଼ିଶା ଡେଙ୍ଗୁ ସଂକ୍ରମଣରେ ଦେଶରେ ୧୩-୧୪ ତମ ସ୍ଥାନରେ ରହିଥିଲା। ମାତ୍ର ଏବେର ସ୍ଥିତି ସଂପର୍କରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କୌଣସି ସୂଚନା ଆସି ନ ଥିବା ଅଧିକାରୀ ଜଣକ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/08/dengue-ff-750x430-1.jpg)