ଭୁବନେଶ୍ବର: ରାଜଧାନୀରେ ଡେଙ୍ଗୁ ସ୍ଥିତି ସଙ୍ଗିନ। କ୍ରମାଗତ ଭାବରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଜାନୁଆରିରୁ ଆଜି ପର୍ଯ୍ୟନ୍ତ ଭୁବନେଶ୍ବରରେ ୨୫୬୬ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହେଲେଣି। ତେଣୁ ଜ୍ବର ହେବା ମାତ୍ରେ ଲୋକଙ୍କ ଭିତରେ ଆତଙ୍କ ଖେଳିଯାଉଛି। ବିଏମ୍‌ସିର ସଚେତନତା, ମୁକାବିଲା ପାଇଁ ସମସ୍ତ ରଣକୌଶଳ ଫେଲ୍‌ ମାରିଛି। ପୂର୍ବ ବର୍ଷମାନଙ୍କରେ ରହିଥିବା ଅଭିଜ୍ଞତା ଆଧାରରେ ବିଏମ୍‌ସି ନିଜକୁ ପ୍ରସ୍ତୁତ କରି ପାରିନଥିବାରୁ ସହରରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ଅଭିଯୋଗ ହେଉଛି। ଜଣେ ମହିଳା ହସ୍ପିଟାଲରେ ଭର୍ତ୍ତି ହେବା ପରେ ସେଠାରେ ଡେଙ୍ଗୁ ଆକ୍ରାନ୍ତ ହେବା ସହ ମୃତ୍ୟୁ ବରଣ କରିଛନ୍ତି। ଫଳରେ ହସ୍ପିଟାଲରେ ମଧ୍ୟ ରହିବା ପାଇଁ ଲୋକେ ନିରାପଦ ମଣୁନାହାନ୍ତି। ଗତବର୍ଷ ଶୈଳଶ୍ରୀ ବିହାର, ସାଲିଆସାହି, ନୂଆପଲ୍ଲୀ ଓ ପୁରୁଣା ଭୁବନେଶ୍ବର ଡେଙ୍ଗୁ ହଟ୍‌ସ୍ପଟ୍‌ ପାଲଟିଥିଲା। ମୁକାବିଲା ପାଇଁ ବିଏମ୍‌ସି ସଚେତନତା ସୃଷ୍ଟି କରିବା ସହ ମଶା ଲାର୍ଭା ନଷ୍ଟ କରିବା ଅଭିଯାନ ଚଳାଇଥିଲା। ମଶା ଉତ୍ସ ଖୋଜିବାକୁ ଡ୍ରୋନ୍‌ ଉଡ଼ାଇଥିଲା। କିନ୍ତୁ ସବୁ ଫେଲ୍‌ ମାରିଥିଲା। ଡେଙ୍ଗୁ କମିବା ପରିବର୍ତ୍ତେ ବଢ଼ିବଢ଼ି ଚାଲିଥିଲା। ଏଥିରୁ ପ୍ରମାଣିତ ହୋଇଥିଲା ଯେ ଡେଙ୍ଗୁକୁ ଅଟକାଇବାଲାଗି ଉପରୋକ୍ତ ପଦକ୍ଷେପସବୁ ସକ୍ଷମ ବା ଯଥେଷ୍ଟ ନୁହେଁ। ଆଉ କ’ଣ କରାଯିବା ଉଚିତ, ସେ ବିଷୟରେ ମାନସମନ୍ଥନ କରାଯିବା ଉଚିତ ଥିଲା।

Advertisment

ଏହି ଅଭିଜ୍ଞତାରୁ ଚଳିତବର୍ଷ ବିଏମ୍‌ସିର ପୂର୍ବ ପ୍ରସ୍ତୁତି କରିବାର ଥିଲା। ହଟ୍‌ସ୍ପଷ୍ଟ୍‌ ଅଞ୍ଚଳ ଉପରେ ସ୍ବତନ୍ତ୍ର ନଜର ଦେଇ ଅନ୍ତତଃ ସେହି ଅଞ୍ଚଳରେ ଆକ୍ରାନ୍ତଙ୍କ ସଂଖ୍ୟା ଶୂନ କରିବା ଯୋଜନା କରିବା କଥା। ହେଲେ ବିଏମ୍‌ସି ବିଳମ୍ବରେ ଡେଙ୍ଗୁ ମୁକାବିଲା ଆରମ୍ଭ କଲା। ‌ଭୁବନେଶ୍ବରରେ ଯେତେବେଳେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୨୦୦ ପହଞ୍ଚିଥିଲା, ସେତେବେଳେ ହିଁ ବିଏମ୍‌ସିର ନିଦ ଭାଙ୍ଗିଥିଲା। ଘର ଘର ସମ୍ପର୍କ ଅଭିଯାନ, ଡ୍ରାଏ ଡେ’ କଥା ମନେ ପଡ଼ିଥିଲା। ହେଲେ ସେତେବେଳକୁ କୁମ୍ଭୀର ଯାଇ ମଝି ନଈରେ ପହଞ୍ଚିବା ଭଳି ସ୍ଥିତି ହୋଇଥିଲା। ଆଜି ସୁଦ୍ଧା ସାରା ରାଜ୍ୟରେ ୪୩୮୨ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କେବଳ ଭୁବନେଶ୍ବରରେ ଏହି ସଂଖ୍ୟା ୨୬୫୬ ହୋଇଛି। ରାଜଧାନୀରେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ସଚିବମାନେ ରହୁଥିବାରୁ ବିଏମ୍‌ସି ଡେଙ୍ଗୁ ମୁକାବିଲାକୁ ଗୁରୁତ୍ବ ଦେଉଛି। କେବଳ ଗୁରୁତ୍ବ ଦେଇ ନାହିଁ, ଅଧିକ ଅର୍ଥ ଖର୍ଚ୍ଚ କରିବା ସହ ସର୍ବାଧିକ ମାନବ ସମ୍ବଳ ବିନିଯୋଗ କରିଛି। ହେଲେ ଡେଙ୍ଗୁକୁ ନିୟନ୍ତ୍ରଣ କରି ହେଇନି ଓ ଲୋକେ ଆତଙ୍କିତ ଅଛନ୍ତି।

ବିଏମ୍‌ସି‌ର ୬୭ ୱାର୍ଡ ପାଇଁ ୮ଟି ଫଗିଂ ମେସିନ୍‌ ରହିଥିଲା। ଏହା ଯଥେଷ୍ଟ ନ ହେବାରୁ ବିଏମ୍‌ସି ୨୦ଟି ବ୍ୟାଟେରି ଚାଳିତ ଅଟୋ କିଣିବାକୁ ଯୋଜନା କରି ୭ଟି ଆଣିଛି। ଏଥିପାଇଁ ୨ କୋଟି ଖର୍ଚ୍ଚ ହେଉଛି। ସେହିଭଳି କୁହାଯାଉଛି ଯେ ମଶା ତେଲ ଓ ଧୂଆଁ ପାଇଁ ‌ଔଷଧ, ପେଟ୍ରୋଲ୍‌ ଓ ଅନ୍ୟାନ୍ୟ ତେଲ ପାଇଁ ମାସକୁ ୧୦ ଲକ୍ଷ ପାଖାପାଖି ଖର୍ଚ୍ଚ ହେଉଛି। ସଚେତନତା ପାଇଁ ବିଏମ୍‌ସି କର୍ମଚାରୀ, ସ୍ବଚ୍ଛସାଥୀ, ଡ‌ାକ୍ତର, ସ୍ବାସ୍ଥ୍ୟକର୍ମୀ ଲାଗିଛନ୍ତି। ବିଭିନ୍ନ ଜାଗା ବୁଲି ମଶା ଉତ୍ସ ଯାଞ୍ଚ କରିବା ପାଇଁ ସ୍ବତନ୍ତ୍ର ଟିମ୍‌ ରହିଛନ୍ତି। କମିସନର ବିଜୟ ଅମୃତା କୁଲାଙ୍ଗେ ନିୟମିତ ସମୀକ୍ଷା କରୁଛନ୍ତି। ହେଲେ ଏ ସବୁ କେବଳ ଧୂଆଁବାଣ ହୋଇଛି। ଘର ଘର ସମ୍ପର୍କ ଅଭିଯାନ ନାମକୁ ମାତ୍ର ହେଉଛି। କେହି କାହା ଘରକୁ ଯାଉ ନାହାନ୍ତି। ରାଜଧାନୀର କ୍ବଚିତ୍‌ ଲୋକ କହିବେ ଯେ ତାଙ୍କ ଘରକୁ ଡେଙ୍ଗୁ ସଂପର୍କରେ ବୁଝାଇବାଲାଗି କେହି ଆସିଥିଲେ। ଦାୟିତ୍ବ ନେଇଥିବା ଲୋକେ ବସ୍ତିକୁ ଯାଇ ଗୋଟିଏ ଦୁଇଟି ଫଟୋ ଉଠାଇ ଫେରି ଯାଉଛନ୍ତି। ଆଉ କିଛି ହେଉନି। ସବୁଠି ଆନ୍ତରିକତା ଓ ନିଷ୍ଠାର ବିରାଟ ଅଭାବ ପରିଲକ୍ଷିତ ହେଉଛି।

ସୂଚନା ମୁତାବକ, ଆଚାର୍ଯ୍ୟ ବିହାର, ବଡ଼ଗଡ଼ ବ୍ରିଟ୍‌ କଲୋନି, ବରମୁଣ୍ଡା, ବାପୁଜୀନଗର, ଭରତପୁର, ଭୀମଟାଙ୍ଗୀ, ବିଜେବିନଗର, ଚନ୍ଦ୍ରଶେଖରପୁର, ସିଆର୍‌ପି, ଡୁମୁଡୁମା, ଫରେଷ୍ଟପାର୍କ, ଗଙ୍ଗନଗର, ହାଉସିଂବୋର୍ଡ କଲୋନି, ଆଇଆର୍‌ସି ଭିଲେଜ୍‌, ଜୟଦେବ ବିହାର, ଝାରପଡ଼ା, କଳ୍ପନା, ଖାରବେଳ ନଗର, ଲକ୍ଷ୍ମୀସାଗର, ମଞ୍ଚେଶ୍ବର, ନାଗେଶ୍ବର ଟାଙ୍ଗୀ, ନୂଆପଲ୍ଲୀ, ନୀଳାଦ୍ରି ବିହାର, ପୁରୁଣା ଭୁବନେଶ୍ବର, ପଟିଆ, ପଳାଶପଲ୍ଲୀ, ପୋଖରୀପୁଟ୍‌, ରସୁଲଗଡ଼ (ଜିଜିପି କଲୋନି), ସହିଦନଗର, ସାଲିଆସାହି, ସତ୍ୟନଗର, ସୁନ୍ଦରପଦା, ୟୁନିଟ୍‌-୧, ୩, ୪, ୬ ଓ ୯କୁ ବିଏମ୍‌ସି ରେଡ୍‌ ଜୋନ୍‌ ଭାବରେ ଚିହ୍ନଟ କରିଛି। ସହିଦନଗରରେ ସର୍ବାଧିକ ୧୯୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ପଟିଆରେ ୧୬୯, ନୂଆପଲ୍ଲୀରେ ୧୪୬, ୟୁନିଟ୍‌-୯ରେ ୧୧୫, ସତ୍ୟନଗରରେ ୧୦୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।