ଏସ୍‌ସିବିରେ ସନ୍ଦିଗ୍ଧ ଡେଙ୍ଗୁ ରୋଗୀଙ୍କ ମୃତ୍ୟୁ

କଟକ : ଏସ୍‌ସିବି ମେଡିକାଲ୍‌ରେ ରବିବାର ଜଣେ ସନ୍ଦିଗ୍ଧ ଡେଙ୍ଗୁ ରୋଗୀଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଉଛନ୍ତି ଟାଙ୍ଗୀର ପ୍ରତିମା ମହାନ୍ତି। ଗତକାଲି ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲ୍‌କୁ ଅଣାଯାଇଥିଲାବେଳେ ଘରୋଇ ପରୀକ୍ଷା କେନ୍ଦ୍ରରେ ହୋଇଥିବା ପରୀକ୍ଷାରୁ ତାଙ୍କୁ ଡେଙ୍ଗୁ ହୋଇଥିବା ଜଣାପଡ଼ିଥିଲା। ହେଲେ ଏସ୍‌ସିବି ମେଡିକାଲ୍‌ରେ ତାଙ୍କ ପରୀକ୍ଷା ହୋଇନଥିବାରୁ ଡେଙ୍ଗୁ ହୋଇଥିଲା କି ନାହିଁ ତାହାକୁ ସ୍ପଷ୍ଟ କରାଯାଇପାରୁନାହିଁ। ତେଣୁ ମେଡିକାଲ୍‌ରେ ଏହା ତୃତୀୟ ଡେଙ୍ଗୁ ମୃତ୍ୟୁ ଭାବେ ବିବେଚନା କରାଯାଉଛି।

ରବିବାର ଏସ୍‌ସିବି ମେଡିକାଲ୍‌ରେ ୫୯ ରକ୍ତନମୁନା ପରୀକ୍ଷା ହୋଇଥିଲାବେଳେ ସେଥିରୁ ୨୦ ନମୁନା ରିପୋର୍ଟ ପଜିଟିଭ୍‌ ବାହାରିଛି। କଟକରୁ ୯, ଜଗତସିଂହପୁରରୁ ୩, ବାଲେଶ୍ୱରରୁ ୨, ଭଦ୍ରକ, ଢେଙ୍କାନାଳ, ଯାଜପୁର, କେନ୍ଦ୍ରାପଡ଼ା, ମୟୁରଭଞ୍ଜ, ବିହାରରୁ ଜଣେ ଲେଖାଏଁ ରୋଗୀଙ୍କ ରକ୍ତ ନମୁନାରୁ ଡେଙ୍ଗୁ ପଜିଟିଭ୍‌ ବାହାରିଥିବା ସୂଚନା ଦିଆଯାଇଛି। ବର୍ତ୍ତମାନ ଓ୍ଵାର୍ଡରେ ୮୦ଜଣ ଓ ଆଇସିୟୁରେ ୬ଜଣ ଡେଙ୍ଗୁ ରୋଗୀ ଚିକିତ୍ସିତ ହେଉଥିବା ଏସ୍‌ସିବି ମେଡିକାଲ୍‌ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର