ହିଞ୍ଜିଳିକାଟୁ/ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ ଡେଙ୍ଗୁ ଉଦ୍‌ବେଗଜନକ ଭାବେ ମାଡ଼ି ଚାଲିଛି। ରୋଗୀଙ୍କ ସଂଖ୍ୟା ପ୍ରତିଦିନ ବଢ଼ିବାରେ ଲାଗିଥିବା ବେଳେ ସଂଖ୍ୟା ୭୫ ଟପିସାରିଲାଣି। ଜିଲ୍ଲାର ଶେରଗଡ଼ ବ୍ଲକ ପରେ ଏବେ ପଡ଼ୋଶୀ ହିଞ୍ଜିଳିକାଟୁ ବ୍ଲକକୁ ‌ଡେଙ୍ଗୁ ଡେଇଁବା ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି। ହିଞ୍ଜିଳିକାଟୁ ସ୍ୱୟଂଶାସିତ ବିଜ୍ଞାନ ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ବିଭାଗ ସମ୍ମାନ ଶେଷ ବର୍ଷର ଜଣେ ଛାତ୍ର ଡେଙ୍ଗୁରେ ଆକ୍ରାନ୍ତ ହୋଇ ବ୍ରହ୍ମପୁର ବଡ଼ମେଡିକାଲରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ଜ୍ବର ହେବାରୁ ତାଙ୍କୁ ଗତମାସ ୨୦ ତାରିଖରେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ସୁସ୍ଥ ନହେବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ ଅଣାଯାଇଥିଲା। ଗତକାଲି ରକ୍ତନମୁନା ପରୀକ୍ଷା ପରେ ସେ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ବର୍ତ୍ତମାନ ସେ ବ୍ରହ୍ମପୁର ବଡ଼ମେଡିକାଲ ଡେଙ୍ଗୁ ୱାର୍ଡରେ ଭର୍ତ୍ତି ହୋଇଛନ୍ତି। ସେହିପରି ଡେଙ୍ଗୁ ରୋଗୀଙ୍କ ଚିକିତ୍ସା ପାଇଁ ବଡ଼ ମେଡିକାଲ କାଜୁଆଲଟି ପ୍ରଥମ ମହଲାରେ ସ୍ବତନ୍ତ୍ର ୱାର୍ଡ଼ ବ୍ୟବସ୍ଥା ହୋଇଥିବା ବେଳେ ସିଟି ହସ୍‌ପିଟାଲରେ ମଧ୍ୟ ଚିକିତ୍ସା ବ୍ୟବସ୍ଥା କରାଯାଇଛି। ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ଚିହ୍ନଟ ହୋଇଥିବା ୭୫ ରୋଗୀଙ୍କ ମଧ୍ୟରୁ ୪୮ଜଣ ବାହାର ରାଜ୍ୟରୁ ଆସିଥିବା ବେଳେ ୨୬ଜଣ ରୋଗୀ ଗଞ୍ଜାମ ଜିଲ୍ଲାର ବୋଲି ସ୍ବାସ୍ଥ୍ୟ ବିଭାଗ ତରଫରୁ କୁହାଯାଇଛି। ଗଞ୍ଜାମ ଜିଲ୍ଲାରେ ଗତ ୨୦୧୨ରେ ମୋଟ ୫୩୩ ଜଣ ରୋଗୀ ବଡ଼ ମେଡିକାଲ ଡେଙ୍ଗୁ ଵାର୍ଡରେ ଚିକିତ୍ସିତ ହୋଇଥିଲେ। ସେହିପରି ଗତବର୍ଷ ଜିଲ୍ଲାରେ ମୋଟ ୧୫୫ଜଣ ଡେଙ୍ଗୁ ପଜିଟିଭ୍‌ ରୋଗୀ ଚିହ୍ନଟ ହୋଇଥିଲେ।