କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁରେ ଡେଙ୍ଗୁ ସ୍ଥିତି ଅସମ୍ଭାଳ

କୋକସରା : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁରେ ଗତ ସପ୍ତାହେରୁ ଅଧିକ ହେଲା ମ୍ୟାଲେରିଆ ଓ ଡେଙ୍ଗୁ ଜ୍ୱରକୁ ନେଇ ଭୟର ବାତାବରଣ ସୃଷ୍ଟି ହୋଇଛି। ଡେଙ୍ଗୁ ସ୍ଥିତି ସୁଧୁରିବା ବଦଳରେ ଅସମ୍ଭାଳ ହୋଇପଡ଼ିଛି। ରବିବାର ସୁଦ୍ଧା ଏହି ଗାଁରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୪୫କୁ ବୃଦ୍ଧି ପାଇଥିବା ସୂଚନା ମିଳିଛି।

ଗତ ୮ତାରିଖରୁ ସ୍ୱାସ୍ଥ୍ୟ ବିଭାଗ ତରଫରୁ ରୋଗୀଙ୍କ ରକ୍ତ ନମୁନା ସଂଗ୍ରହ କରି ଭବାନୀପାଟଣା ପଠା ଯାଇଥିଲା। ୪୫ ଜଣଙ୍କ ରକ୍ତ ନମୁନାରେ ଡେଙ୍ଗୁ ପଜିଟିଭ ଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି। ଡେଙ୍ଗୁ ଜ୍ୱରରେ ଆକ୍ରାନ୍ତ ୭ ଜଣଙ୍କୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭିର୍ତ୍ତି କରାଯାଇଥିବା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସରୋଜ ତିହାଡି ପ୍ରକାଶ କରିଛନ୍ତି। ସେମାନେ ହେଲେ ଲଡୁଗାଁ ଗ୍ରାମର ନୀତେଶ କୁମାର, ଦେବୀଶ୍ୱର ପାଣିଗ୍ରାହୀ, ମେନକା ପାଣିଗ୍ରାହୀ, ବଣ୍ଟୁ ପାଣିଗ୍ରାହୀ, ହାରାବତୀ ନାଏକ, ସାଗର ବାଗ, କାଇ ପାଣିଗ୍ରାହୀ। ଅନ୍ୟପଟେ ବେସରକାରୀ ହିସାବରେ ରୋଗୀଙ୍କ ସଂଖ୍ୟା ୫୦ରୁ ଅଧିକ ହେବ ବୋଲି ଜଣାପଡ଼ିଛି। ଗତ ୮ ତାରିଖରୁ ୧୧ତାରିଖ ସୁଦ୍ଧା ୧୩୫ ଜଣଙ୍କ ରକ୍ତ ନମୁନା ସଂଗ୍ରହ କରି ସରକାରୀ ଲାବୋରୋଟାରିରେ ପରୀକ୍ଷା କରାଯାଇଛି। ରବିବାର ପୁଣି ୪୨ ଜଣଙ୍କ ରକ୍ତ ନମୁନା ସଗ୍ରହ କରି ପରୀକ୍ଷା ପାଇଁ ପଠା ଯାଇଛି। ସୋମବାର ରିପୋର୍ଟ ଆସିବା ପରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିପାରେ ବୋଲି ଅନୁମାନ କରାଯାଉଛି। ସେହିପରି ମ୍ୟାଲେରିଆରେ ମଧ୍ୟ ଅନେକ ଲୋକ ଆକ୍ରାନ୍ତ ଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର