ରାୟଗଡ଼ାରେ ଆଉ ୨ ଡେଙ୍ଗୁ ରୋଗୀ ଚିହ୍ନଟ : ବିଶାଖାପାଟଣାକୁ ଛୁ’ ମାରୁଛନ୍ତିି ରୋଗୀ!

ରାୟଗଡ଼ା : କୋରାପୁଟ ମେଡ଼ିକାଲରେ ଡେଙ୍ଗୁ ରୋଗ ପାଇଁ କୌଣସି ବ୍ୟବସ୍ଥା ନାହିଁ। ଚିକିତ୍ସା ପାଇଁ କୌଣସି ଅନୁକୂଳ ବ୍ୟବସ୍ଥା ନଥିବାରୁ ରୋଗୀମାନେ ନକହି ବିଶାଖାପାଟଣା ଚାଲିଯାଉଥିବା ଦେଖିବାକୁ ମିଳୁଛି।

ଏମାନେ ସମସ୍ତେ ରାୟଗଡ଼ା ଅଞ୍ଚଳର ରୋଗୀ। କିଛିଦିନ ଧରି ରାୟଗଡ଼ା ଅଞ୍ଚଳରେ ଡେଙ୍ଗୁର ପ୍ରକୋପ ଦିନକୁ ଦିନ ବୃଦ୍ଧିପାଉଛି। ଜେକେପୁର ଅଂଚଳରେ ଆଜି ଆଉ ଦୁଇ ଜଣ ଡେଙ୍ଗୁରେ ପୀଡ଼ିତ ଥିବା ଜଣାପଡ଼ିଛି।

ଏହି ୨ ଜଣ ହେଲେ, ମୁକ୍ତା କଲୋନିରେ ରହୁଥିବା ସ୍ୱପ୍ନ ନାୟକ(୨୯) ଏବଂ ଅଭିପ୍ପସା ଶତପଥୀ(୧୨)। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ସୁବିଧା ନ ଥିବାରୁ ୨ ଜଣ ବିଶାଖାପାଟଣାର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ସେହିଭଳି, କୋରାପୁଟ ମେଡ଼ିକାଲ କଲେଜରେ ଚିକିତ୍ସିତ ଅବସ୍ଥାରେ ସୁଲଭା ଗ୍ରାମର ଦୁଇ ଭାଇ ଇ.ଏଙ୍କେଟି ଏବଂ ଇ. ଦୁର୍ଗା ପ୍ରସାଦ ଫେରାର୍‌ ହୋଇ ବିଶାଖାପାଟନାରେ ଚିକିତ୍ସିତ ହେଉଥିବା ଜଣାଯାଇଛି। କୋରାପୁଟ ମେଡ଼ିକାଲ କଲେଜରେ ଉପଯୁକ୍ତ ଚିକିତ୍ସା କରାଯାଇନଥିବାରୁ ସେମାନେ ବିଶାଖାପାଟଣା ଚାଲି ଆସିଥିଲେ ବୋଲି ପରିବାର ଲୋକ କହିଛନ୍ତି।

ଅପରପକ୍ଷରେ ରାୟଗଡ଼ା ବ୍ଲକ୍‌ର ବୀର ନାରାୟଣପୁର ପରେ ଜେକେପୁର ଏବଂ ସୁଲଭା ଗ୍ରାମରେ ଡେଙ୍ଗୁ ବ୍ୟାପିଛି। ସରକାରୀ ଭାବେ ବର୍ତମାନ ସୁଦ୍ଧା ୧୫ ଜଣ ଡେଙ୍ଗୁ ରୋଗରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ଜିଲ୍ଲାର ବହୁସ୍ଥାନରେ ଡେଙ୍ଗୁ ରୋଗ କାୟା ବିସ୍ତାର କରି ଚାଲିଥିବାବେଳେ ମୁଖ୍ୟ ଚିକିତ୍ସାଳୟରେ ଆବଶ୍ୟକୀୟ ଚିକିତ୍ସା ବ୍ୟବସ୍ଥା ନାହିଁ। ଚିକିତ୍ସାଳୟର ଏକ କୋଠରୀରେ ୧୦ଟି ଶଯ୍ୟା ରହିଛି। ଡେଙ୍ଗୁ ଓ୍ଵାର୍ଡ ବୋଲି ଏକ ଫଳକ ମଧ୍ୟ ଲେଖାଯାଇଛି। ମାତ୍ର, ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ। ଚିକିତ୍ସାଳୟ କର୍ତ୍ତୃପକ୍ଷ କୋରାପୁଟ ଓ ବ୍ରହ୍ମପୁର ଯିବା ପାଇଁ ସୁପାରିଶ କରି ହାତ ଝାଡ଼ି ଦେଉଛନ୍ତି । ମାତ୍ର, କୋରାପୁଟ ମେଡ଼ିକାଲରେ ବି ଅବସ୍ଥା ତଦ୍ରୂପ। ଏଠାରେ ମଧ୍ୟ ଉପଯୁକ୍ତ ଚିକତ୍ସା ନ ପାଇ ରୋଗୀମାନେ ବିଶାଖାପାଟଣା ଚାଲି ଯାଉଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର