ପୁରୀ: ବଢ଼ୁଛି ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା। ମାତ୍ର ୫ ଦିନ ମଧ୍ୟରେ ୪୩ ଜଣ ଡେଙ୍ଗୁ ରୋଗୀଙ୍କୁ ଚିହ୍ନଟ କରାଯାଇଛି। ରାଜଧାନୀ ସହ ତାଳ ଦେବାକୁ ପ୍ରସ୍ତୁତ ହେଲାଣି ପୁରୀ। ଗତ ୪ ତାରିଖର ତଥ୍ୟ ଅନୁଯାୟୀ ମୋଟ୍ ୫୭ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ୯ ତାରିଖ ସୁଦ୍ଧା ଏହି ଅଙ୍କ ୯୯ ଛୁଇଁଛି। ଆଜି ତାରିଖରେ ଏହି ସଂଖ୍ୟା ୧୦୦ ଅତିକ୍ରମ କରିସାରିଲାଣି। ବହିରାଗତ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ। ଭୁବନେଶ୍ବରକୁ ଦୈନିକ ଯା’ଆସ କରୁଥିବା ବ୍ୟକ୍ତିବିଶେଷ ବେଶି ଆକ୍ରାନ୍ତ ହୋଇଛନ୍ତି। ଭୁବନେଶ୍ବରରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ଯେତେ ବଢ଼ୁଛି, ଏଠାରେ ତା’ର ପ୍ରଭାବ ପରିଲକ୍ଷିତ ହେଉଛି।
ବିସ୍ଫୋରଣ ଭଳି ସ୍ଥିତି ଉପୁଜିନାହିଁ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଯଦିଓ କୁହାଯାଇଛି, ମାତ୍ର ଏଇ ୫ ଦିନର ତଥ୍ୟ ସତର୍କ ଘଣ୍ଟି ବଜାଇସାରିଛି। ପୌରାଞ୍ଚଳରେ ସର୍ବାଧିକ ୨୩ ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏହା ପଛକୁ ରହିଛି ଚନ୍ଦନପୁର। ସେଠାରେ ୨୨ଜଣ ଆକ୍ରାନ୍ତ ହୋଇଛନ୍ତି। ସରକାରୀ ସ୍ତରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ତୃଣମୂଳ ସ୍ତରରେ ଡେଙ୍ଗୁ ରୋଗୀଙ୍କୁ ଚିହ୍ନଟ କରିବା ପାଇଁ କାର୍ଯ୍ୟ କରୁଥିବା ସ୍ବାସ୍ଥ୍ୟକର୍ମୀଙ୍କ ସହାୟତାରେ ପଦକ୍ଷେପ ନିଆଯାଉଛି। ମାତ୍ର ସଚେତନତାର ଅଭାବ ଓ ହେୟଜ୍ଞାନ ପାଇଁ ପୁରୀରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ଅତିକ୍ରମ କରିଲାଣି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ୯୯ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୩୮ ଜଣ ବହିରାଗତ ରୋଗୀ ହୋଇଥିବା ବେଳେ ୩୦ ଜଣ ସ୍ଥାନୀୟ ଭାବେ ଡେଙ୍ଗୁ ଆକ୍ରାନ୍ତ ହୋଇଛନ୍ତି। ଆଉ ୨୯ ଜଣ ସ୍ଥାନୀୟ ନା ବହିରାଗତ ଭାବେ ଡେଙ୍ଗୁ ଆକ୍ରାନ୍ତ ହୋଇଛନ୍ତି ତାହା ଏବେ ତଦନ୍ତ ପରିସରଭୁକ୍ତ ଅଛି।
ଜିଲ୍ଲା ମ୍ୟାଲେରିଆ ଅଧିକାରୀ ଡା. ଲଲାଟେନ୍ଦୁ ନାୟକ କହିଛନ୍ତି, ଏବେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୬ ଶଯ୍ୟା ବିଶିଷ୍ଟ ଡେଙ୍ଗୁ ଚିକିତ୍ସା କେନ୍ଦ୍ର ରହିଛି। ଆବଶ୍ୟକସ୍ଥଳେ ଏକାନ୍ତବାସ ୱାର୍ଡର କିଛି ଶଯ୍ୟାକୁ ବ୍ୟବହାର କରାଯିବା ନେଇ ପ୍ରସ୍ତୁତି କରାଯାଇଛି।