କଟକ : କରୋନା ଆତଙ୍କ ସମୟରେ ଡେଙ୍ଗୁ ଯେଭଳି ନୂଆ ସମସ୍ୟା ସୃଷ୍ଟି ନ କରେ, ସେଥିପାଇଁ ବର୍ଷା ପୂର୍ବରୁ ପଦକ୍ଷେପ ନେଇଛନ୍ତି ସରକାର। ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଏଣ୍ଟୋମୋଲୋଜିର ଏକ ଟିମ୍ କଟକର ଡେଙ୍ଗୁ ପ୍ରବଣ ଅଂଚଳରେ ବୁଲି ସ୍ଥିତି ସମୀକ୍ଷା କରିଛନ୍ତି। କଟକ ମହାନଗ‌ର ନିଗମର ବିଭିନ୍ନ ଅଞ୍ଚଳ ସମେତ ଏସ୍‌ସିବି କ୍ୟାମ୍ପସ୍‌, ଜଗତ୍‌ପୁର, ଯୋବ୍ରା, ଖପୁରିଆ, ଟାଙ୍ଗୀ, ଚୌଦ୍ବାର ଓ ମଙ୍ଗୁଳି ଆଦି ଡେଙ୍ଗୁ ପ୍ରବଣ ଅଞ୍ଚଳର ସ୍ଥିତି ସେମାନେ ସମୀକ୍ଷା କରିଛନ୍ତି।

Advertisment

ଜଗତ୍‌ପୁରରେ ଲକ୍‌ଡାଉନ୍‌ ଯୋଗୁଁ କମ୍ପାନି ସବୁ ବନ୍ଦ ରହିଥିବାବେଳେ ସେହି ସବୁ ଅଂଚଳରେ ଏଡିସ୍‌ ମଶ‌ା ବଂଶ ବିସ୍ତାର ଆରମ୍ଭ କରିଥିବା ଜଣାପଡ଼ିଛି। ଜଗତପୁରର କେତେକ ସ୍ଥାନରେ ଏଡିସ ମଶା ଲାର୍ଭା ଚିହ୍ନଟ ହୋଇଛନ୍ତି। ଏହି ଟିମ ଆସନ୍ତା ୨୬ ତାରିଖରେ ସିଡିଏମଓଙ୍କୁ ରିପୋର୍ଟ ଦେବା ପରେ ଆବଶ୍ୟକ ପଦକ୍ଷେପ ନିଆଯିବ।

କଟକରେ ଗଲା ଚାରି ବର୍ଷରେ ୪୭୦୦ ଡେଙ୍ଗୁ ରୋଗୀ ଚିକିତ୍ସିତ ହୋଇଥିବାବେଳେ ୮ଜଣଙ୍କର ମୃତ୍ୟୁ ଘଟିଥିବା ସରକାରୀ ତଥ୍ୟରୁ ଜଣାପଡିଛି। କଟକ ମହାନଗ‌ରରେ ଏସ୍‌ସିବି କ୍ୟାମ୍ପସ୍‌, ଜଗତ୍‌ପୁର, ଯୋବ୍ରା, ଖପୁରିଆ ଓ ମଙ୍ଗୁଳି ଆଦି ୫ଟି ସ୍ଥାନକୁ ଡେଙ୍ଗୁ ହଟ୍‌ସ୍ପଟ୍‌ ଜୋନ୍ ଭାବେ ଚିହ୍ନଟ କରାଯାଇଛି। ସେହି ଅଂଚଳରେ ମଶାର ଘନତ୍ବ କେତେ ରହିଛି ଓ ମଶା ତେଲ ପକାଇବା ପରେ ସ୍ଥିତି କ'ଣ ରହୁଛି, ତାର ଅନୁଧ୍ୟାନ କରାଯାଉଛି।

ସ୍ବାସ୍ଥ୍ୟ ବିଭାଗର ରିପୋର୍ଟ ଅନୁସାରେ ୨୦୧୬ରେ କଟକରେ ୩୦୯୨ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବାବେଳେ ୨୦୧୭ରେ ୪୮୮ଜଣ ଓ ୨୦୧୮ରେ ୯୩୮ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ସେହିପରି ୨୦୧୯ରେ ଶହେରୁ ଅଧିକ ଡେଙ୍ଗୁ ରାଗୀ ଚିହ୍ନଟ ‌ହୋଇଛନ୍ତି। ୨୦୧୬ରେ ଡେଙ୍ଗୁରେ ୫ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୦୧୮ରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ସରକାରୀ ତଥ୍ୟ କହୁଛି। କିନ୍ତୁ ଯେହେତୁ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପାଖରେ ଡାଇଗ୍ନୋଷ୍ଟିକ୍‌ ସେଣ୍ଟରର ରିପୋର୍ଟ ରହୁନି, ତେଣୁ ଏହି ରିପୋର୍ଟକୁ ଯୋଡାଗଲେ ଜିଲ୍ଲାରେ ଡେଙ୍ଗୁ ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ଅଧିକ ହେବ ବୋଲି କୁହାଯାଉଛି। କଟକ ମହାନଗରରେ ଡେଙ୍ଗୁ ନିରାକରଣ ପାଇଁ ଯେଉଁଭଳି ପଦକ୍ଷେପ ନିଆଯିବା କଥା ତା ଏଯାଏ ନିଆଯାଇନି। ୨୦୧୮ରେ ସହରର ବିଭିନ୍ନ ଡ୍ରେନ୍‌ରେ ମଶା ଲାର୍ଭା ଖିଆ ମାଛ (ଲାର୍ଭିଭୋରସ୍‌ ଫିସ୍‌ ) ଛଡାଯାଇଥିଲା। କିନ୍ତୁ ଏବେ କେବଳ ଏସ୍‌ସିବି ସ୍ତ୍ରୀ ରୋଗ ପ୍ରସୂତି ବିଭାଗ ପାଖରେ ଥିବା ଡ୍ରେନ୍‌ ଓ ରେଭେନ୍ସା କ୍ୟାମ୍ପସରେ ଥିବା ଡ୍ରେନ୍‌ରେ ଏହି ମାଛ ଥିବା ଜଣାପଡିଛି। ଛଡାଯାଇଥିବା ଅନ୍ୟ ସ୍ଥାନରେ ମାଛ ନାହାନ୍ତି। କିନ୍ତୁ ‌ଯେଉଁଠି ବି ମାଛ ରହିଛନ୍ତି ସେଠାରେ ସିଏମ୍‌ସି ପକ୍ଷରୁ ହାଚେରୀ ବା କୁଣ୍ଡ ତିଆରି କରି ରଖାଯିବା କଥା। ଡେଙ୍ଗୁ ନିୟନ୍ତ୍ରଣ ପାଇଁ ସିଏମ୍‌ସିକୁ ବାରମ୍ବାର ମଶା ଲାର୍ଭା ଖିଆ ମାଛ ହାଚେରୀ କରିବା ପାଇଁ ସ୍ବାସ୍ଥ୍ୟ ବିଭାଗ, ବିଭିନ୍ନ ସମୀକ୍ଷା ବୈଠକରେ ନିର୍ଦ୍ଦେଶ ଦିଆଯାଉଥିଲେ ସୁଦ୍ଧା ସେ ଦିଗରେ ସିଏମ୍‌ସି କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ ହେଉଛି। କେବଳ ପ୍ରତିବର୍ଷ ଡ୍ରେନ୍‌ ଓ ପାଣିଥିବା ସ୍ଥାନରେ ତୁରନ୍ତ ଏଦିଗରେ ସିଏମ୍‌ସି କର୍ତ୍ତୃପକ୍ଷ ଲାର୍ଭିଭୋରସ୍‌ ଫିସ୍‌ ଛାଡି ଦେଇ ଦାୟିତ୍ବ ଖସାଇ ଦେଉଛନ୍ତି। କିନ୍ତୁ ଏହାର ସ୍ଥାୟୀ ସମାଧାନ କରୁନାହାନ୍ତି। ଗତବର୍ଷ ଜୁଡିସିଆଲ ଏକାଡେମି ପାଖରେ ଥିବା ସ୍ଥାନରେ ସିଏମ୍‌ସି ପକ୍ଷରୁ ୪ ହଜାର ଲାର୍ଭିଭୋରସ୍‌ ଫିସ୍‌ ଛଡାଯାଇଛି। ସେଥିରୁ ଏବେ କେତେ ମାଛ ଅଛନ୍ତି ତା'ର ଯାଞ୍ଚ ହୋଇନାହିଁ।