ବାଦାମପାହାଡ଼: ମୟୂରଭଞ୍ଜ ଜିଲ୍ଲାର ବାଦାମପାହାଡ଼ ଅଞ୍ଚଳରେ ଡେଙ୍ଗୁ ବ୍ୟାପିଛି।  ଆଜି ଡେଙ୍ଗୁରେ ଯାଇଛି ଜଣଙ୍କ ଜୀବନ। ମୃତକ ହେଉଛନ୍ତି ଧାଙ୍ଗୁଡ଼ିମୁତା ଗାଁର ସନ୍ତୋଷ ସାହୁଙ୍କ ପୁଅ ମଣ୍ଟୁ(୫୦)। ସେହିପରି, ଏଥିରେ ଅନେକ ଆକ୍ରାନ୍ତ ହୋଇଥିବା ଅଭିଯୋଗ ହୋଇଛି। ସୂଚନାରୁ ପ୍ରକାଶ, ମଣ୍ଟୁଙ୍କୁ ବହୁଦିନ ହେଲା ଜ୍ବର ଲାଗି ରହୁଥିଲା। ଗତ ୧୪ ତାରିଖରେ ତାଙ୍କୁ ରାଇରଙ୍ଗପୁର ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ୍‌ କଲେଜ ଆଣ୍ଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ରବିବାର ସେଠାରେ ତାଙ୍କର ବେସରକାରୀ ଭାବେ ଡେଙ୍ଗୁ ପରୀକ୍ଷା କରାଯାଇଥିଲା। ରି ପୋର୍ଟ ପଜିଟିଭ୍‌ ଆସିବାରୁ ଚିକିତ୍ସା ଆରମ୍ଭ ହୋଇଥିଲା। ତେବେ ଆଜି ସକାଳେ ତାଙ୍କର ମୃତ୍ୟୁ ଘଟିଛି। ଅଭିଯୋଗ ଅନୁସାରେ ଏବେ ଆହୁରି ଅନେକ ଲୋକ ବାଦାମପାହଡ଼ ଅଞ୍ଚଳରେ ଡେଙ୍ଗୁରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ଭିତରୁ ଅଧିକାଂଶ ମେଡିକାଲ ନଯାଇ ଚେରମୂଳି ଚିକିତ୍ସା କରୁଛନ୍ତି। 
ସେପଟେ ଡେଙ୍ଗୁରେ ମଣ୍ଟୁଙ୍କ ମୃତ୍ୟୁ ପରେ ଗାଁରେ ପହଞ୍ଚିଛି ମେଡିକାଲ ଟିମ୍।

Advertisment

ଲୋକଙ୍କ ରକ୍ତ ନମୁନା ସଂଗ୍ରହ ସହ ଡେଙ୍ଗୁ ସମ୍ପର୍କରେ ସଚେତନତା କରାଯାଉଛି।  ବାଦାମପାହାଡ଼ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ରିତେଶ ଚୈତନ୍ୟ କହିଛନ୍ତି, ଡେଙ୍ଗୁ ମୃତ୍ୟୁ ନେଇ ମୋ’ ପାଖରେ କୌଣସି ସୂଚନା ନାହିଁ। ତେବେ କୁସୁମୀ ବ୍ଲକ୍‌ରେ ଜଣେ ଡେଙ୍ଗୁରେ ଆକ୍ରାନ୍ତ ହୋଇଛନ୍ତି। ତଥାପି ଆଜି ଧାଙ୍ଗୁଡ଼ିମୁତା ପଞ୍ଚାୟତ ଅଫିସ ପରିସରରେ ନମୁନା ସଂଗ୍ରହ ଚାଲିଛି ବୋଲି ଡକ୍ତର ଚୈତନ୍ୟ କହିଛନ୍ତି। ଅନ୍ୟପକ୍ଷରେ, ଡେଙ୍ଗୁ ମୃତ୍ୟୁକୁ ଖଣ୍ଡନ କରିଛନ୍ତି ମୟୂରଭଞ୍ଜ ସିଡିଏମ୍‌ଓ। ସେ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ କୌଣସି ଲୋକଙ୍କର ଡେଙ୍ଗୁରେ ମୃତ୍ୟୁ ଘଟି ନାହିଁ। ତେବେ ହସ୍ତଗତ ସୂଚନା ଅନୁସାରେ, ଖଣି ଖାଦାନ ଭରା ବାଦାମପାହାଡ଼ର କ୍ୟାମ୍ପ କଲୋନି, ହାଟ ସାହି, ସିପି ହାଟି, ଇନ୍ଦିରା କଲୋନି, ଧାଙ୍ଗୁଡ଼ିମୁତା, କାସିଆବେଡ଼ା, ମଝିଗାରେ ପରିମଳ ବ୍ୟବସ୍ଥା ବିଗିଡ଼ି ଯାଇଛି। ପ୍ରଶାସନ ଏଥିପ୍ରତି ନଜର ଦେବାକୁ ସାଧାରଣରେ ଦାବି ହେଉଛି।