ବିଂଝାରପୁରରେ ଡେଙ୍ଗୁ ନେଲା ଜୀବନ

ବିଂଝାରପୁର/ସିଂହପୁର: ବିଂଝାରପୁର ବ୍ଲକରେ ଡେଙ୍ଗୁ ଏକ ଜୀବନ ନେଇଛି। ମୃତ ମହିଳା ଜରୀ ପଞ୍ଚାୟତର ନାଉବାଙ୍କ ଗାଁର କୈଳାଶ ଜେନାଙ୍କ ପତ୍ନୀ ମଞ୍ଜୁଳା ଜେନା (୫୮)। ଡେଙ୍ଗୁରେ ଆକ୍ରାନ୍ତ ହୋଇ ସେ କଟକ ବଡ଼ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲେ। ସେଠାରେ ଗତକାଲି ତାଙ୍କର ମୃତ୍ୟୁ ଘଟିଛି। ସେହିପରି ନାଉବାଙ୍କ ଗାଁର ଗୌତମ ଜେନା କଟକରେ ଚିକିତ୍ସା ହୋଇ ଗତକାଲି ଘରକୁ ଫେରିଛନ୍ତି।

୪ ମାସ ହେଲା ବ୍ଲକର ସିଂହପୁର, ଜରୀ, ବାଙ୍ଗରା, ହଳଦଡିହ ଓ ଆଉଁରୀ ପଞ୍ଚାୟତରେ ଡେଙ୍ଗୁ ଜର ବ୍ୟାପୁଥିବା ନେଇ ଗଣମାଧ୍ୟମରେ ବାରମ୍ଵାର ଖବର ପ୍ରକାଶ ପାଇଥିଲେ ମଧ୍ୟ ବିଂଝାରପୁର ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ପକ୍ଷରୁ କୌଣସି ପ୍ରତିଷେଧମୂଳକ ପଦକ୍ଷେପ ନିଆଯାଇ ନଥିଲା। ଏପରି ବେପରୁଆ ମନୋଭାବ କାରଣରୁ ଏକ ଜୀବନ ଯାଇଥିବା ଅଭିଯୋଗ ହୋଇଛି।

ବିଶେଷକରି ଏଠାରେ ଡାକ୍ତରଖାନାଗୁଡ଼ିକରେ ଡେଙ୍ଗୁ ଜରର ଚିକିତ୍ସା ସେବା ଉପଲବ୍‌ଧ ହୋଇପାରୁ ନଥିବାରୁ କଟକ ବଡ଼ଡାକ୍ତରଖାନା, ନଚେତ ବେସରକାରୀ ଚିକିତ୍ସାଳୟ କିମ୍ବା କ୍ଲିନିକକୁ ଯିବାକୁ ବାଧ୍ୟ ହେଉଛନ୍ତି। ତେଣୁ ଡେଙ୍ଗୁ ରୋଗୀଙ୍କ ସଂପର୍କରେ ଠିକ ସୂଚନା ମିଳୁନାହିଁ। ବିଂଝାରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଗତ ଦୁଇ ମାସରେ ପାଖାପାଖି ଶହେ ଜଣ ଡେଙ୍ଗୁ ରୋଗୀ ଆସିଥଲେ। ସେହିପରି ଗତମାସ ଏହି ବ୍ଲକର ନିର୍ମଳ ଗ୍ରାମ ସିଂହପୁର ପଞ୍ଚାୟତରେ ୬ ଜଣ ଡେଙ୍ଗୁରେ ଆକ୍ରାନ୍ତ ହୋଇ ଘରୋଇ ଡାକ୍ତରଖାନାରେ ଆରୋଗ୍ୟ ହୋଇଥିଲେ।

ସରପଞ୍ଚ ନନ୍ଦକିଶୋର ମଲ୍ଲିକ, ପ୍ରଧାନଶିକ୍ଷକ ପ୍ରତାପ ପାତ୍ର, ବିଜେଡି ନେତା କ୍ଷେତ୍ରବାସୀ ଜେନା ଜେନା ସାହିରେ ପହଞ୍ଚି ମୃତ ମଞ୍ଜୁଳାଙ୍କ ପରିବାରକୁ ଭେଟି ସମବେଦନା ଜଣାଇବା ସହିତ ଅନ୍ତିମ ସଂସ୍କାର ପାଇଁ ବ୍ୟବସ୍ଥା କରିଥିଲେ। ପ୍ରକାଶ ଥାଉକି ବ୍ଲକର ସିଂହପୁର, ଜରୀ, ବାଙ୍ଗରା, ହଳଦିଡିହ ଓ ଆଉଁରୀ ପଞ୍ଚାୟତରେ ଡେଙ୍ଗୁ ଜରରେ ଲୋକେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର