ଭୁବନେଶ୍ବର : ଓଡ଼ିଶା ପ୍ରାଣୀ ଚିକିତ୍ସା ସେବା କ୍ୟାଡରର ଅଧିକାରୀମାନଙ୍କ ଛୁଟି ଏବଂ ସାମୁହିକ ଛୁଟିର ଆବେଦନ ଗ୍ରହଣ ନ କରିବା ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି କରାଯାଇଛି। ଏହି ପରିପ୍ରେକ୍ଷୀରେ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ ଜଣାଇଛନ୍ତି ଯେ, ପ୍ରାଣୀ ଚିକିତ୍ସା ସେବା କ୍ୟାଡରର ଅଧିକାରୀମାନେ ସରକାରୀ କାର୍ଯ୍ୟରେ ଡିଜିଟାଲ ବୟକଟ୍, ସମୂହ ଛୁଟି ଏବଂ ସାମୁହିକ ଇସ୍ତଫା ପ୍ରଦାନର ଯୋଜନା କରୁଥିବା ବିଭାଗର ଦୃଷ୍ଟିକୁ ଆସିଛି। ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳଙ୍କୁ ଏହି ମର୍ମରେ ଚିଠି ହୋଇଛି। ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସକମାନେ ପ୍ରାଣୀ ଚିକିତ୍ସା ସେବା କ୍ୟାଡରର ଅଧିକାରୀମାନଙ୍କ କାର୍ଯ୍ୟକ୍ରମ ଉପରେ ନଜର ରଖି ଏହି ସମ୍ପର୍କରେ ଜିଲ୍ଲାପାଳମାନଙ୍କୁ ଅବଗତ କରାଇବେ।
ଅନ୍ୟ ଏକ ପତ୍ରରେ ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଡ. ୟେଦୁଲ୍ଲା ବିଜୟ ନିର୍ଦ୍ଦେଶାଳୟ ଅଧୀନସ୍ଥ ସମସ୍ତ କାର୍ଯ୍ୟାଳୟର ମୁଖ୍ୟମାନଙ୍କୁ ନିର୍ଦ୍ଦେଶାଳୟର ବିନା ଅନୁମତିରେ ସଦର ମୁଖ୍ୟାଳୟ ନ ଛାଡ଼ିବା ପାଇଁ କୁହାଯାଇଛି। ସେମାନଙ୍କ ଅଧୀନରେ କାର୍ଯ୍ୟରତ ଓଡ଼ିଶା ପ୍ରାଣୀ ଚିକିତ୍ସାସେବା କ୍ୟାଡର କର୍ମଚାରୀମାନଙ୍କର କୌଣସି ଛୁଟି ଏବଂ ସମୂହ ଛୁଟି ଆବେଦନ ଗ୍ରହଣ ନକରିବା ପାଇଁ କଡ଼ାକଡ଼ି ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସରକାର ପରିସ୍ଥିତିକୁ ଗମ୍ଭୀରତାର ସହ ଗ୍ରହଣ କରିଛନ୍ତି। ଜନସାଧାରଣଙ୍କ ସ୍ୱାର୍ଥରକ୍ଷାର ପ୍ରୟୋଜନୀୟତା ଦୃଷ୍ଟିରୁ କର୍ମଚାରୀଙ୍କୁ ଛୁଟି ପ୍ରଦାନ ନକରିବା କିମ୍ବା ପ୍ରଦାନ କରାଯାଇଥିବା ଛୁଟିକୁ ବାତିଲ କରିବା ନିମନ୍ତେ କର୍ତ୍ତୃପକ୍ଷଙ୍କୁ ଓଡ଼ିଶା ସର୍ଭିସ୍ କୋଡ୍ ଧାରା ୧୩୧ ଅନୁଯାୟୀ କ୍ଷମତା ପ୍ରଦାନ କରାଯାଇଛି।
ପୂର୍ବର ଅନୁମତି ବିନା କେହି ଛୁଟିରେ ଯାଇପାରିବେ ନାହିଁ। ଏହି ପରିପ୍ରେକ୍ଷୀରେ ପ୍ରାଣୀଚିକିତ୍ସା ସେବା କ୍ୟାଡର ଅଧିକାରୀଙ୍କୁ ଜନସାଧାରଣଙ୍କ ଶାନ୍ତି ଓ ସ୍ୱାର୍ଥ ବ୍ୟାହତ ହେଉଥିବା କୌଣସି ଆନ୍ଦୋଳନ, ବିକ୍ଷୋଭ, ଶୋଭାଯାତ୍ରାରେ ସାମିଲ ନହେବା ପାଇଁ କଡ଼ା ଚେତାବନୀ ଦିଆଯାଇଛି। ଏଥି ସହିତ କୌଣସି ଡିଜିଟାଲ୍ ସରକାରୀ କାର୍ଯ୍ୟରୁ କର୍ମଚାରୀମାନେ ଦୂରେଇ ରହିବା ‘୫-ଟି’ ଉପକ୍ରମର ବିରୁଦ୍ଧାଚରଣ କରୁଥିବାରୁ ଏଥିରୁ ବିରତ ରହିବା ପାଇଁ ନିର୍ଦ୍ଦେଶକ ଅଧିକାରୀମାନଙ୍କୁ ପତ୍ର ମାଧ୍ୟମରେ ଜଣାଇଛନ୍ତି। ଏ ଦିଗରେ କୌଣସି ଖିଲାପ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ଦ୍ଦେଶକ ଅବଗତ କରାଇଛନ୍ତି।