ଚନ୍ଦନେଶ୍ୱର: ବାର୍ଡଫ୍ଳୁ ଆତଙ୍କ ପାଇଁ ଓଡ଼ିଶା କୁକୁଡ଼ା ଯୋଗାଣ ଉପରେ ପଶ୍ଚିମବଙ୍ଗ ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି। ଯାହାକୁ ନେଇ କୁକୁଡ଼ା ଚାଷୀ ଓ ବ୍ୟବସାୟୀମାନେ ଚିନ୍ତାରେ ପଡ଼ିଛନ୍ତି। ପୁରୀ ଜିଲ୍ଲାର ବିଭିନ୍ନ ସ୍ଥାନରୁ ବାଲେଶ୍ବରକୁ ଆସିଥିବା ବ୍ରଏଲର୍‌ କୁକୁଡ଼ା ପଶ୍ଚିମବଙ୍ଗକୁ ପଠାଯାଇଥାଏ। ତେବେ, ପିପିଲିରେ କୁକୁଡ଼ାଙ୍କୁ ବାର୍ଡଫ୍ଲୁ ହୋଇଥିବା ଜଣାପଡ଼ିବା ପରେ ପଶ୍ଚିମବଙ୍ଗ ପଲ୍‌ଟ୍ରି ଫେଡେରେସନ୍‌ ପକ୍ଷରୁ ନିଜ ରାଜ୍ୟର ସୀମାନ୍ତ ଜିଲ୍ଲାଗୁଡ଼ିକର ଜିଲ୍ଲାପାଳ, ତହସିଲଦାର, ବିଡିଓ, ସୁପର୍‌ଭାଇଜର ତଥା ପୁଲିସକୁ ଡବ୍ଲ୍ୟୁବିପିଏଫ୍‌/୦୬୪/୨୪ ନମ୍ବରର ଏକ ଚିଠି ଦିଆଯାଇଛି। ଯେଉଁଥିରେ ଓଡ଼ିଶା କୁକୁଡ଼ା ଯେପରି ପଶ୍ଚିମବଙ୍ଗକୁ ନ ଆସିବ, ସେନେଇ ସତର୍କ ରହିବାକୁ କୁହାଯାଇଛି।  ଆଜିଠାରୁ ପଶ୍ଚିମବଙ୍ଗ ପ୍ରଶାସନ ଓଡ଼ିଶା କୁକୁଡ଼ା ଉପରେ ରୋକ୍‌ ଲଗାଇଛନ୍ତି।

Advertisment

ଏପରି ସମୟରେ କୁକୁଡ଼ା ଚାଷୀ ଓ ବେପାରୀମାନଙ୍କ ମଧ୍ୟରେ ଭାଳେଣି ପଡ଼ିଯାଇଛି। ସେମାନେକ୍ଷତିଗ୍ରସ୍ତ ହେବେ ବୋଲି କୁହାଯାଉଛି। ଭୋଗରାଇ କୁକୁଡ଼ା ଫାର୍ମ ମାଲିକ ସଂଘ ପକ୍ଷରୁ ପିପିଲିରୁ ସଂକ୍ରମିତ କୁକୁଡ଼ା ଅଣାଯିବା ଉପରେ କଟକଣା ଜାରି ସହ ଆମଦାନିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି। ଏନେଇ କୁକୁଡ଼ା ଫାର୍ମ ମାଲିକ ସଂଘର ଗୌରାଙ୍ଗ ଗିରି, ନାରାୟଣ ଗିରି, ପ୍ରଶାନ୍ତ ପ୍ରଧାନ, ରାଜକୁମାର ଦାସ, ରାଧାଶ୍ୟାମ ପରିଡ଼ା, ଅନନ୍ତ ସାହୁ, ରାମଚନ୍ଦ୍ର ପରିଡ଼ା, ରମାକାନ୍ତ ମାଝୀ, ସତ୍ୟବ୍ରତ ପଣ୍ଡା ପ୍ରମୁଖ ଭୋଗରାଇ ପ୍ରାଣୀଧନ ଅଧିକାରୀ ଚିନ୍ମୟ ସାହୁଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିବା ଜଣାପଡ଼ିଛି।
ଘଟଣା ସମ୍ପର୍କରେ ପ୍ରାଣୀଧନ ଅଧିକାରୀ ଶ୍ରୀ ସାହୁ କହିଛନ୍ତି, ବାର୍ଡଫ୍ଲୁ ନେଇ ଏଯାଏ ବାଲେଶ୍ବରରେ ସେମିତି କିଛି ସ୍ଥିତି ନାହିଁ। ତଥାପି ନଜର ରଖିଛୁ। ସମସ୍ୟାର କିପରି ଶୀଘ୍ର ସମାଧାନ ହେବ, ସେନେଇ ପଶ୍ଚିମବଙ୍ଗ ପ୍ରଶାସନ ସହ ଆଲୋଚନା କରିବୁ।

ଫିଭର ସର୍ଭେଲାନ୍‌ସ ସହ ଆବଶ୍ୟକ ପଦକ୍ଷେପ ନିଆଯାଉଛି: ସ୍ବାସ୍ଥ୍ୟ ବିଭାଗ

ଭୁବନେଶ୍ବର: ବାର୍ଡ ଫ୍ଲୁର ହଟ୍‌ସ୍ପଟ୍‌ ପାଲଟିଛି ପିପିଲି। ବାର୍ଡ ଫ୍ଲୁ ଆତଙ୍କ ପରେ ଦୁଇ ଦିନରେ ଏଠାରେ ୫ହଜାରରୁ ଅଧିକ କୁକୁଡ଼ାଙ୍କୁ ମରାଗଲାଣି। ଆଗକୁ ଆହୁରି କୁକୁଡ଼ା ମାରିବା ଲାଗି ନିଷ୍ପତ୍ତି ନିଆଯାଇଛି। ଏହାକୁ ନେଇ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି। ଲୋକମାନେ କୁକୁଡ଼ା ମାଂସ ଖାଇବେ କି ନାହିଁ ତାହାକୁ ନେଇ ଦ୍ବନ୍ଦ୍ବରେ ପଡ଼ିଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡ.ବିଜୟ ମହାପାତ୍ର କହିଛନ୍ତି, ବାର୍ଡ ଫ୍ଲୁ ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଉଛି। ଏହାର ନିୟନ୍ତ୍ରଣ ପାଇଁ ଏକାଧିକ ବିଭାଗର ସହାୟତା ଲୋଡ଼ା ଯାଇଛି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶାବଳୀ ଜାରି ହୋଇଛି। ମେଡିକାଲ କଲେଜରେ ଥିବା କମ୍ୟୁନିଟି ମେଡିସିନ୍‌ ବିଭାଗକୁ ଏହା ସହ ଯୋଡ଼ା ଯାଇଛି। କମ୍ୟୁନିଟି ମେଡିସିନ୍ ବିଭାଗ ଏହାର ସଂପୂର୍ଣ୍ଣ ତଦାରଖ କରିବ। ଏହି ରୋଗ ପ୍ରଥମେ ଜ୍ବରରୁ ଆରମ୍ଭ ହୋଇଥାଏ। ସେଥିପାଇଁ ଆଇଡିଏସ୍‌ପି ଅନୁଯାୟୀ ଫିଭର ସର୍ଭେଲାନ୍‌ସ କରାଯାଉଛି। ନମୁନା ପରୀକ୍ଷା ସହ ସଂପୃକ୍ତ ବ୍ୟକ୍ତିଙ୍କୁ ଅନ୍ୟମାନଙ୍କଠାରୁ ଦୂରେଇ ରହିବା ଲାଗି ନିର୍ଦ୍ଦେଶ ଦିଆଯାଇଛି।  ଜିଲ୍ଲାସ୍ତରୀୟ ଟିମ୍‌ ଘଟଣାସ୍ଥଳକୁ ଘନ ଘନ ଗସ୍ତ କରୁଛନ୍ତି। ରାଜ୍ୟସ୍ତରୀୟ ଆର୍‌ଆର୍‌ଟି ମଧ୍ୟ ସେଠାକୁ ଗସ୍ତ କରିଛନ୍ତି।  ବାର୍ଡ ଫ୍ଲୁକୁ ନେଇ ଆତଙ୍କିତ ହେବା ଉଚିତ୍ ନୁହେଁ। ପିପିଲିର ଯେଉଁଠାରେ ବାର୍ଡ ଫ୍ଲୁ ଉତ୍ସ ଦେଖାଦେଇଛି ସେଠାରେ ପଶୁ ଚିକିତ୍ସା ବିଭାଗର ସିଭିଡିଓଙ୍କ ନେତୃତ୍ବରେ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ଆବଶ୍ୟକ କଣ୍ଟେନମେଣ୍ଟ ଜୋନ୍ କରାଯାଇଛି। କୌଣସି ବ୍ୟକ୍ତି ଜ୍ବରରେ ଆକ୍ରାନ୍ତ ହେଲେ ତାଙ୍କର ନମୁନା ପରୀକ୍ଷା ଓ ଆବଶ୍ୟକ ଚିକିତ୍ସା ଯୋଗାଇ ଦିଆଯିବ। ପ୍ରତ୍ୟେକ ଦିନ ତଥ୍ୟ ସଂଗ୍ରହ କରାଯାଉଥିବା ସେ କହିଛନ୍ତି। 

ଏମ୍‌ସ ଭୁବନେଶ୍ବରର ମାଇକ୍ରୋବାୟୋଲୋଜି ବିଭାଗର ମୁଖ୍ୟ ଡ.ବୈଜୟନ୍ତୀମାଳା ମିଶ୍ର କହିଛନ୍ତି, ଭାରତୀୟଙ୍କ ରୋଷେଇ ଶୈଳୀରେ କୁକୁଡ଼ା ମାଂସରୁ ମଣିଷକୁ ଭୂତାଣୁ ବ୍ୟାପିବା ଏକପ୍ରକାର ଅସମ୍ଭବ। ତେବେ ଅଧା-ଅଳ୍ପ ସିଝା କୁକୁଡ଼ା ମାଂସ ନ ଖାଇବା ଭଲ। ବାର୍ଡ ଫ୍ଲୁରେ ଆକ୍ରାନ୍ତ କୁକୁଡ଼ାଙ୍କୁ କାଟିବା କିମ୍ବା ସେମାନଙ୍କୁ ଧରାଧରି କରୁଥିବା ବ୍ୟକ୍ତିମାନେ ଅଧିକ ସତର୍କ ରହିବାର ଆବଶ୍ୟକତା ରହିଛି। କୁକୁଡ଼ାଙ୍କ ମଳ ଓ ଲାଳ ଇତ୍ୟାଦିରେ ଭୂତାଣୁ ରହିଥାଏ। ଭାରତରେ ଏ ପର୍ଯ୍ୟନ୍ତ ପକ୍ଷୀଠାରୁ ମଣିଷ ଶରୀରକୁ ଭୂତାଣୁ ବ୍ୟାପିଥିବା ନଜରକୁ ଆସିନାହିଁ। ଯଦି ଦୁର୍ଭାଗ୍ୟବଶତଃ ଏହା ମଣିଷ ଶରୀରକୁ ବ୍ୟାପେ ତାହାଲେ ଏହା ଘାତକ ହୋଇଥାଏ। କାରଣ ଏହି ଭୂତାଣୁ ପାଇଁ ମଣିଷ ଶରୀରରେ ଆବଶ୍ୟକ ଆଣ୍ଟିବଡି ନ ଥାଏ ବୋଲି ଡା.ମିଶ୍ର କହିଛନ୍ତି। ଅପରପକ୍ଷରେ ପିପିଲିରେ ବାର୍ଡ ଫ୍ଲୁ ବ୍ୟାପିବା ପରେ ଓଡ଼ିଶାରୁ କୌଣସି ଜୀବନ୍ତ କୁକୁଡ଼ା କିମ୍ବା ଉତ୍ପାଦ ନ ଆଣିବା ଲାଗି ପଶ୍ଚିମବଙ୍ଗ ପଲଟ୍ରି ଫେଡେରେସନ୍‌ ବ୍ୟବସାୟୀମାନଙ୍କୁ ତାଗିଦ୍ କରିଛି।