ସ୍ୱର୍ଗରଥ ନ ମିଳିବାରୁ ବାପାଙ୍କ ଶବକୁ ବାଇକ୍‌ରେ ବୋହି ଘରକୁ ଆଣିଲା ପୁଅ

ନବରଙ୍ଗପୁର : କଳାହାଣ୍ଡିର ଦାନ ମାଝୀଙ୍କ ଘଟଣା  ଓଡ଼ିଶାବାସୀ ଭୁଲି ନଥିବା ବେଳେ ପୁଣି ଥରେ ସେଭଳି ଏକ ଘଟଣା ନଜରକୁ ଆସିଛି  । ଦାନ ମାଝୀ ନିଜ ସ୍ତ୍ରୀର ଶବକୁ କାନ୍ଧରେ ବୋହିଥିବା ବେଳେ ଜଣେ ପୁଅ ଏବେ ନିଜ ବାପାଙ୍କ ପାଇଁ ସେଭଳି କିଛି କରିଥିବା ଜଣା ପଡ଼ିଛି । ସ୍ୱର୍ଗରଥ ନ ମିଳିବାରୁ ପୁଅ ନିଜ ବାପାର ଶବକୁ ବାଇକ୍‌ରେ ବାନ୍ଧି ଘରକୁ ନେବା ଭଳି ଅତ୍ୟନ୍ତ ସ୍ପର୍ଶକାତର ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ନବରଙ୍ଗପୁର ଜିଲ୍ଲାରେ ଏହି ଘଟଣା ଘଟିଥିବା ବେଳେ କୁଡ଼ୁମାଧା ଗାଁର ଲୋକି ସାନ୍ତା ମୃତ ବ‌ାପାଙ୍କ ଶବକୁ ବ‌ାଇକରେ ବୋହିବା ଚିତ୍ର ଦେଖିବାକୁ ମିଳିଛି । ସ୍ୱର୍ଗରଥ ଯୋଗାଡ଼ ନ ହୋଇ ପାରିବାରୁ ଲୋକି ସାନ୍ତା ନିଜ ବାପାଙ୍କ ଶବକୁ ବାଇକ୍‌ରେ ବାନ୍ଧି ୨୦କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରିଥିଲେ । ରାସ୍ତାରେ ଏଭଳି ଦୃଶ୍ୟ ସମସ୍ତଙ୍କୁ ଆନ୍ଦୋଳିତ କରିଥିଲା ।

ସୂଚନା ମୁତାବକ, ଘଟଣାର ପୂର୍ବ ଦିନ ଲୋକିଙ୍କ ବାପାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରୁ ତାଙ୍କୁ ଦେଶୀ ଚିକିତ୍ସା ପାଇଁ ଝରିଗାଁ ବ୍ଲକ୍‌ର ବଂଶୀବନ୍ଧ ଗାଁରେ ରହୁଥିବା ସଂପର୍କୀୟଙ୍କ ଘରକୁ ନିଆଯାଇଥିଲା । ସେଠାରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରୁ ଡାକ୍ତରଖାନା ନେବା ପାଇଁ ଆମ୍ବୁଲାନ୍ସ ଡ଼କାଯାଇଥିଲେ ମଧ୍ୟ ଆମ୍ବୁଲାନ୍ସ ପହଞ୍ଚି ପାରି ନ ଥିଲା । ଯାହା ଦ୍ୱାରା ଲୋକିଙ୍କ ବାପାଙ୍କର ଚିକିତ୍ସା ଅଭାବରୁ ମୃତ୍ୟୁ ହୋଇଥିଲା । ମୃତ୍ୟୁ ଖବର ପାଇ ଶବ ଆଣିବାକୁ ପହଞ୍ଚିଥିଲେ ଲୋକି । କିନ୍ତୁ ଆମ୍ବୁଲାନ୍ସ କିମ୍ବା ସ୍ୱର୍ଗରଥ ଯୋଗାଡ଼ କରିବାରେ ଅସଫଳ ହୋଇ ଲୋକି ନିଜ ବାଇକ୍‌ ଯୋଗେ ବାପାଙ୍କ ଶବକୁ ଧରି ଘରକୁ ଫେରିଥିଲେ ।

ବାଟରେ କିଛି ସାମ୍ବାଦିକ ତାଙ୍କୁ ଶବ ବ୍ୟବଚ୍ଛେଦ ପାଇଁ ପରାମର୍ଶ ଦେବା ପରେ ଲୋକି ନିଜ ବାପାଙ୍କୁ ଉମରକୋଟ କମ୍ୟୁନିଟି ହେଲ୍‌ଥ କେୟାରକୁ ନେଇଥିଲେ । ସେଠାରେ ଶବ ବ୍ୟବଚ୍ଛେଦ ହେବା ପରେ ପରିବାର ଲୋକଙ୍କ ଶବ ହସ୍ତାନ୍ତର କରାଯାଇଥିଲା ।

ସମ୍ବନ୍ଧିତ ଖବର