କାମ କରିବାକୁ ଅରାଜି ହେବାରୁ ଓଡ଼ିଆ ଶ୍ରମିକଙ୍କୁ ଉଲଗ୍ନ କରି ମାଡ଼

ଖସି ଆସିଲେ ୫, ଫସିଛନ୍ତି ୭ ଦାଦନ, ଉଦ୍ଧାର ପାଇଁ ପରିବାର ଲୋକଙ୍କ ନିବେଦନ

ଯୋଡ଼ା: କେନ୍ଦୁଝର ଜିଲ୍ଲାର ଖଣି ସହର କୁହାଯାଉଥିବା ଯୋଡ଼ାରେ ସ୍ଥାନୀୟ ଲୋକଙ୍କୁ କାମଧନ୍ଦା ମିଳୁନି। ରତ୍ନଗର୍ଭା ଖଣି ଥାଇ ଏମାନେ ଦୁଇମୁଠା ଖାଦ୍ୟ ପାଇଁ ସଂଘର୍ଷ କରୁଛନ୍ତି। ବାଧ୍ୟହୋଇ ଏମାନେ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯାଇ ନିର୍ଯାତିତ ହେଉଛନ୍ତି। ଦଲାଲ ଜରିଆରେ ଯୋଡ଼ା ବ୍ଲକ୍‌ ଭୋଳବେଡ଼ା ଗ୍ରାମର ୧୨ଜଣ ବେକାର ଆଦିବାସୀ ଯୁବକ କାମ କରିବାକୁ ସୁଦୂର ତାମିଲନାଡ଼ୁର ତିର୍ଚ୍ଚୀ ଅଞ୍ଚଳକୁ ଯାଇଥିଲେ।

ତେବେ ସେଠାରେ‌ ସେମାନଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଇଛି। କାମ କରିବାକୁ ଅରାଜି ହେବାରୁ ଉଲଗ୍ନ କରି ମାଡ଼ ମରାଯାଇଛି। ଜୀବନ ବଞ୍ଚାଇ ସେଠାରୁ ଖସି ଆସିଥିବା ୫ଜଣ ଶ୍ରମିକ ନିର୍ଯାତନାର କାହାଣୀ ବଖାଣିଛନ୍ତି। ସେହିପରି ସେଠାରେ ଫସି ରହିଥିବା ଆହୁରି ୭ଜଣ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ସେମାନଙ୍କ ପରିବାର ଲୋକ‌େ ନିବେଦନ କରିଛନ୍ତି।

ପ୍ରାପ୍ତ ସୂଚନା ଅନୁସାରେ, ଯୋଡ଼ା ବ୍ଲକ୍‌ ଭୋଳବେଡ଼ା ଗ୍ରାମର ୧୨ଜଣ ବେକାର ଆଦିବାସୀ ଯୁବକଙ୍କୁ ଖୁଣ୍ଟପାଣି ଗ୍ରାମର ଅଜୟ ମୁଣ୍ଡା ନାମକ ଜଣେ ବ୍ୟକ୍ତି ପାଣିକୋଇଲି, ଭୁବନେଶ୍ୱର ଆଦି ସ୍ଥାନରେ ନିଯୁକ୍ତି ଯୋଗାଇଦେବ କହି ବସ୍‌ ଯୋଗେ ଭୁବନେଶ୍ୱର ପଠାଇଥିଲା। ସେଠାରୁ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁର ଅଜୟ ପରିଡ଼ା ନାମକ ଜଣେ ବ୍ୟକ୍ତି ସେମାନଙ୍କୁ ପ୍ରଥମେ ବାଲୁଗାଁ ଓ ପରେ ଟ୍ରେନ୍‌ ଯୋଗେ ତାମିଲନାଡ଼ୁର ଚେନ୍ନାଇ ନେଇଥିଲା।

ଚେନ୍ନାଇରେ ପହଞ୍ଚିବା ପରେ ସେଠାରୁ ସେମାନଙ୍କୁ ତିର୍ଚ୍ଚୀ ଅଞ୍ଚଳକୁ ନିଆଯାଇଥିଲା। ସେଠାରେ ସେମାନଙ୍କୁ ଗୃହ ନିର୍ମାଣ କାମରେ ନିୟୋଜିତ କରାଯାଇଥିଲା। ସେଠାରେ ପୂର୍ବରୁ କାମ କରୁଥିବା ଶ୍ରମିକଙ୍କୁ  ୮ ଘଣ୍ଟା ପରିବର୍ତ୍ତେ ଠିକାଦାର ୧୪ ଘଣ୍ଟା କାମ କରାଇବା ସହ ନିର୍ଯାତନା ଦେଉଥିବା ନେଇ ସମ୍ପୃକ୍ତ ଯୁବକମାନେ ଜାଣିବାକୁ ପାଇଥିଲେ। ଫଳରେ ସେମାନେ ସେଠାରେ କାମ କରିବାକୁ ଅମଙ୍ଗ ହେବା ସହ ଘରକୁ ପଳାଇ ଆସିବାକୁ କହିଥିଲେ। ତେବେ ଠିକାଦାର ସେମାନଙ୍କୁ ଛାଡ଼ିବା ପରିବର୍ତ୍ତେ ଉଲଗ୍ନ କରି ମାଡ଼ ମାରିଥିଲା।

୧୨ଜଣଙ୍କ ମଧ୍ୟରୁ ୫ଜଣ ନିଜ ଭିଟାମାଟିକୁ ଫେରି ଆସିଥିବା ବେଳେ ୭ଜଣ ଏବେ ବି ସେଠାରେ ଫସି ରହିଛନ୍ତି। ଘରକୁ ଫେରିଥିବା ଯୁବକମାନେ ହେଲେ ଦୀପକ ଚାମ୍ପିଆ, ସୁମିତ ଚାମ୍ପିଆ, ସୁନୀଲ ମୁଣ୍ଡା, ଗମିଆ ମୁଣ୍ଡା ଓ ସୋନା ମୁଣ୍ଡା। ସେହିପରି ବାଗୁନ ମୁଣ୍ଡା, ସୁନିଆ ମୁଣ୍ଡା, ମଥୁର ମୁଣ୍ଡା, ବୁଧୁ ମୁଣ୍ଡା, ଗଣେଶ ମୁଣ୍ଡା, ଜଗମୋହନ ମୁଣ୍ଡା ଓ ରତ୍ନା ମୁଣ୍ଡା ତିର୍ଚ୍ଚୀରେ ଫସି ରହିଛନ୍ତି। ସେମାନଙ୍କୁ ଉଦ୍ଧାର କରିବା ପାଇଁ ପରିବାର ଲୋକେ ବାମେବାରୀ ଥାନାରେ ଜଣାଇଛନ୍ତି। ଯୋଡ଼ା ଖଣି ଅଞ୍ଚଳରେ ବିଭିନ୍ନ କମ୍ପାନିମାନେ ମେସିନ୍‌ ଲଗାଇ କାମ କରୁଛନ୍ତି। ଶ୍ରମିକଙ୍କୁ ଖଣି କମ୍ପାନିମାନେ ନିଯୁକ୍ତି ଦେଉନାହାନ୍ତି। ଫଳରେ ବେକାରୀ ସମସ୍ୟା ଉତ୍କଟ ହୋଇଛି। ଲୋକେ ବାଧ୍ୟ ହୋଇ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି।

ସମ୍ବନ୍ଧିତ ଖବର