ରାଜ୍ୟରେ ଆଜିଠୁ ଘନ କୁହୁଡ଼ି; ୧୭ରୁ ଶୀତ ବଢ଼ିବ

ଭୁବନେଶ୍ବର : ରାଜ୍ୟରେ ଏବେ ଶୀତ କମ୍‌ ହେଉଥିଲେ ହେଁ ଆସନ୍ତା ତିନି ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ସ୍ଥାନରେ ଘନ କୁହୁଡ଼ି ପଡ଼ିବ। ଦେଶରେ ପଶ୍ଚିମା ପବନ ପ୍ରବାହ କମିଥିବାରୁ ଏବଂ ଉତ୍ତର ପଶ୍ଚିମ ଭାରତରେ ବର୍ଷା ଓ ତୁଷାରପାତ ଯୋଗୁଁ ଥଣ୍ଡା ବଢ଼ିଥିବାରୁ ଓଡ଼ିଶାର କେତେକ ସ୍ଥାନରେ ଘନ କୁହୁଡ଼ି ପଡ଼ିବ ଏବଂ ଶୀତ ବଢ଼ିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ, ୧୫ତାରିଖ ସକାଳୁ ୧୭ତାରିଖ ସକାଳ ପର୍ଯ୍ୟନ୍ତ ଘନ କୁହୁଡ଼ି ପ୍ରଭାବ ରହିବ। ୧୫ତାରିଖରେ ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ସୁନ୍ଦରଗଡ଼, ଢେଙ୍କାନାଳ, କଟକ, ଯାଜପୁର, ଭଦ୍ରକ, କନ୍ଧମାଳ, ସୋନପୁର, ବଲାଙ୍ଗୀର, ବୌଦ୍ଧରେ ଘନ କୁହୁଡ଼ି ପଡ଼ିବ। ସେହିପରି ୧୬ତାରିଖରେ ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ସୁନ୍ଦରଗଡ଼, ଢେଙ୍କାନାଳ, କଟକ, ଖୋର୍ଦ୍ଧା, ପୁରୀ, ଯାଜପୁର, ଭଦ୍ରକ, ଜଗତସିଂହପୁର, କନ୍ଧମାଳ, କେନ୍ଦ୍ରାପଡ଼ା, ବାଲେଶ୍ବରରେ ଏବଂ ୧୭ତାରିଖରେ ନୟାଗଡ଼, ଖୋର୍ଦ୍ଧା, କଟକ, କନ୍ଧମାଳ, କୋରାପୁଟର କେତେକ ସ୍ଥାନରେ ଘନ କୁହୁଡ଼ି ପଡ଼ିବ। ଏପରିକି କେତେକ ସ୍ଥାନରେ ସଂଧ୍ୟା ପରଠାରୁ ଘନ କୁହୁଡ଼ି ପଡ଼ିବ, ଯାହା ପରଦିନ ପୂର୍ବାହ୍ନ ୧୦ଟା ପର୍ଯ୍ୟନ୍ତ ରହିପାରେ। ତେଣୁ ଗାଡ଼ି ଚାଳକମାନେ ରାସ୍ତାରେ ଯାତାୟତବେଳେ ସତର୍କତା ଅବଲମ୍ବନ କରିବା ଦରକାର। ଅପରପକ୍ଷେ ୧୫ ଓ ୧୬ତାରିଖରେ ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, କେନ୍ଦୁଝର, ଝାରସୁଗୁଡ଼ା, ମୟୂରଭଞ୍ଜରେ ସ୍ବଳ୍ପ ବର୍ଷା ହେବାର ସମ୍ଭାବନା ଅଛି। କିନ୍ତୁ ରାଜ୍ୟର ବାକି ସ୍ଥାନରେ ପାଗ ଶୁଖିଲା ରହିବ। ଏହାପରେ ୧୭ତାରିଖରୁ ରାଜ୍ୟରେ ଥଣ୍ଡା ପବନ ବହିବା ସହ ରାତିର ତାପମାତ୍ରା କମିବ ବୋଲି କୁହାଯାଇଛି। ଏପରିକି ଅଧିକାଂଶ ସ୍ଥାନରେ ପାରଦ ୨ରୁ ୪ଡିଗ୍ରି ପର୍ଯ୍ୟନ୍ତ କମିପାରେ।

ସମ୍ବନ୍ଧିତ ଖବର