ଭୁବନେଶ୍ବର: ନୂଆବର୍ଷ-୨୦୨୩ ଆରମ୍ଭ ହୋଇସାରିଛି। କିନ୍ତୁ ବର୍ଷ ଆରମ୍ଭରେ ଯେଉଁଭଳି ଭାବେ ଶୀତ ହେବା କଥା ତାହା ହେଉନାହିଁ। ରାଜ୍ୟର କିଛି ଜିଲ୍ଲାରେ ସାମାନ୍ୟ ଥଣ୍ଡା ଅନୁଭୂତ ହେଉଥିବା ବେଳେ ଆଗାମୀ ୨/୩ ଦିନ ପରେ ଶୀତ ବଢ଼ିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ପାଣିପାଗ ନେଇ ସ୍ବତନ୍ତ୍ର ରିଲିଫ କମିସନ ପକ୍ଷରୁ ରାଜ୍ୟର ୮ଟି ଜିଲ୍ଲାର ଜିଲ୍ଲାପାଳ ଓ ଏସ୍ପିଙ୍କୁ ଚିଠି ଲେଖିଛନ୍ତି। ଏସ୍ଆରସି ପକ୍ଷରୁ କୁହାଯାଇଛି ଯେ, ଆଜି ରାତିରେ ଓ ଆସନ୍ତାକାଲି (ଜାନୁଆରି ୪) ସକାଳୁ ରେ ଘନକୁହୁଡ଼ି ଦେଖାଯିବ। ତେଣୁ ଦୁର୍ଘଟଣା ଏଡାଇବା ପାଇଁ ଯାତାୟତ ବେଳେ ସତର୍କତା ଅବଲମ୍ବନ କରିବାର ଆବଶ୍ୟକତା ଅଛି।
ପୂର୍ବରୁ ଭୁବନେଶ୍ବରସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର, ସୋନପୁର, ସମ୍ବଲପୁର, ଝାରସୁଗୁଡ଼ା ଓ ଅନୁଗୁଳ ଜିଲ୍ଲାର କିଛି ସ୍ଥାନରେ ଘନକୁହୁଡ଼ି ଦେଖାଯିବ। ଆଜି ରାତିରେ ଓ ଆସନ୍ତାକାଲି ସକାଳୁ ଘନକୁହୁଡ଼ି ହୋଇପାରେ। ତେଣୁ କୁହୁଡ଼ି ଦେଖାଯିବାକୁ ଥିବା ସମ୍ଭାବିତ ସ୍ଥାନଗୁଡ଼ିକରେ ରାସ୍ତାରେ ଯାତାୟତ ସମୟରେ ସତର୍କତା ଅବଲମ୍ବନ କରାଯିବା ଉଚିତ। ଜାତୀୟ ରାଜପଥରେ ଯାନବାହନ ଚଳାଚଳ ସମୟରେ ଘନକୁହୁଡ଼ି ଦେଖାଗଲେ ପୁଲିସ ଓ ପରିବହନ ବିଭାଗ ଆବଶ୍ୟକ ପଦକ୍ଷେପ ନିଅନ୍ତୁ ବୋଲି ଏସ୍ଆରସି ପକ୍ଷରୁ ଚିଠି ଲେଖାଯାଇଛି।