୫ ଜିଲ୍ଲାରେ ପଡ଼ିବ ଘନ କୁହୁଡ଼ି; ୟେଲୋ ଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ପାଇଁ ରାଜ୍ୟର ପାଣିପାଗରେ ସେପରି କୌଣସି ବଡ଼ ଧରଣ ପରିବର୍ତ୍ତନର ସମ୍ଭାବନା ନାହିଁ। ରାଜ୍ୟର ଜିଲ୍ଲାଗୁଡ଼ିକରେ ପାଗ ମୁଖ୍ୟତଃ ଶୁଖିଲା ଓ ଖରାଟିଆ ରହିବାର ସମ୍ଭାବନା ଅଧିକ ରହିଛି।
ତେବେ, ଦକ୍ଷିଣ ଆଭ୍ୟନ୍ତରୀଣ ଓଡିଶାର ଜିଲ୍ଲାଗୁଡ଼ିକର କିଛି ସ୍ଥାନରେ ଏବଂ ଉପକୂଳ ଓଡ଼ିଶା, ଅନୁଗୁଳ, ଢ଼େଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଅଗଭୀରରୁ ମଧ୍ୟମ ଧରଣର କୁହୁଡି ପଡ଼ିବାର ସମ୍ଭାବନା ରହିଛି।

ଅନ୍ୟପକ୍ଷରେ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅର୍ଥାତ୍‌ ବୁଧବାର ମଧ୍ୟରାତ୍ରରୁ ଗୁରୁବାର ପ୍ରତ୍ୟୁଷ ମଧ୍ୟରେ ରାଜ୍ୟର କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର, ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘନ କୁହୁଡି ହେବାର ସମ୍ଭାବନା ରହଥିବା ଦୃଷ୍ଟିରୁ ଏହି ୫ଟି ଜିଲ୍ଲା ପାଇଁ ୟେଲୋ ଓ୍ଵାର୍ଣ୍ଣିଂ ବା ହଳଦିଆ ଚେତାବନୀ ଜାରି କରିଛି ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ କେନ୍ଦ୍ର।

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସର୍ବନିମ୍ନ ତାପମାତ୍ରା (ରାତିର ତାପମାତ୍ରା)ରେ ମଧ୍ୟ କୌଣସି ବଡ଼ ପରିବର୍ତ୍ତନର ସମ୍ଭାବନା ନାହିଁ। ତେବେ, ଆଗାମୀ ୩ ଦିନ ମଧ୍ୟରେ ରାଜ୍ୟର ଜିଲ୍ଲାଗୁଡ଼ିକରେ ଦିନର ତାପମାତ୍ରାରେ କ୍ରମାଗତ ଭାବେ ୩ରୁ ୪ ଡିଗ୍ରି ସେଲସିୟସ ପର୍ଯ୍ୟନ୍ତ ବୃଦ୍ଧି ଘଟିବ ଓ ଶୀତ କମିଯିବ ବୋଲି ବୁଧବାର ଅପରାହ୍ନରେ ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ କେନ୍ଦ୍ର ପକ୍ଷରୁ ଜାରି ଏକ ସୂଚନାରେ କୁହାଯାଇଛି।

ସମ୍ବନ୍ଧିତ ଖବର