ମହିଳାଙ୍କୁ ମୋହରା କରିଛନ୍ତି ମାଫିଆ, ପ୍ରତିଦିନ ଶତାଧିକ ବିଡ଼ା ଶାଳ କାଠ ଚାଲାଣ

ଚାରାରୋପଣ କାର୍ଯ୍ୟକ୍ରମର ଭିଜିଲାନ୍‌ସ ତଦନ୍ତ ଦାବି

ଫୁଲବାଣୀ: ପ୍ରତିଦିନ ସକାଳୁ ଫୁଲବାଣୀ ସହର ଆଖପାଖ ବିଭିନ୍ନ ରାସ୍ତାରେ ମହିଳା ଓ ପୁରୁଷମାନେ ବୋହୁଥିବା କାଠ ବିଡ଼ା ଏବଂ ଗ୍ରାମାଞ୍ଚଳରେ ମଇଁଷି ପିଠିରେ ବୁହାଯାଉଥିବା କାଠଗଣ୍ଡିର ଚିତ୍ର ଦେଖିଲେ, ଆଗାମୀ ଦିନରେ ଫୁଲବାଣୀ ଜଙ୍ଗଲଶୂନ୍ୟ ହୋଇଯିବ, ଏମିତି ଭାବିବା ବିଚିତ୍ର ନୁହେଁ ମଧ୍ୟ। ପ୍ରତିଦିନ ପାହାନ୍ତାପର ସମୟରେ ଫୁଲବାଣୀ ସହରକୁ ଲାଗିଥିବା ସାର୍ତ୍ତାଗୁଡ଼ା, ତୁଡ଼ିପାଜୁ, ବୁଢ଼ାଦାନି, ରୁଜାଙ୍ଗି, ବିଶିପଡ଼ା, ପକନାଗାଁ, ଗୁଦାରି, କଟ୍ରିଙ୍ଗିଆ ଆଦି ଅଞ୍ଚଳରୁ ଫୁଲବାଣୀ ସହରମୁହାଁ ଶତାଧିକ ମହିଳା ମୁଣ୍ଡରେ ବିଡ଼ାବିଡ଼ା କାଠ ବୋହି ନେଉଥିବାର ଦୃଶ୍ୟ ହିଁ ବୟାନ କରେ ଫୁଲବାଣୀ ବନଖଣ୍ଡ ଅଞ୍ଚଳରେ କେଉଁ ପରିମାଣରେ କାଠକଟା ଚାଲିଛି।

ଖବର ନେବାରେ ଜଣାପଡ଼ିଛି, ଏହି କାଠକଟା ଘଟଣାରେ ଏକ ବିଧିବଦ୍ଧ ରାକେଟ୍‌ କାର୍ଯ୍ୟ କରୁଛି। କିଛି କାଠ ମାଫିଆ ଓ ବେପାରୀମାନେ ସ୍ଥାନୀୟ ଅଞ୍ଚଳର ଗରିବ ଆଦିବାସୀ ମହିଳାଙ୍କୁ କାଠକଟା କାମରେ ନିୟୋଜିତ କରି ବେଶ ମୁନାଫା ଉଠାଉଛନ୍ତି। ଏଥିରେ ସ୍ଥାନୀୟ ଜଙ୍ଗଲ ବିଭାଗ ଅଧିକାରୀଙ୍କ ହାତ ଚିକ୍କଣ ମଧ୍ୟ ହେଉଛି। ସାର୍ତ୍ତାଗୁଡ଼ାରୁ କାଠ ବିଡ଼ା ବୋହି ଫୁଲବାଣୀ ସହର ଅଭିମୁଖେ ଆସୁଥିବା ଜଣେ ମହିଳାଙ୍କୁ ଭେଟି ଆମ ପ୍ରତିନିଧି ଏ ସମ୍ପର୍କରେ ଅଧିକ ଜାଣିବାକୁ ଚେଷ୍ଟା କରିଥିଲେ। ଉକ୍ତ ମହିଳାଙ୍କ କହିବା ଅନୁସାରେ, କାଠ କାଟିବା ପାଇଁ ସେମାନେ ଜଙ୍ଗଲ ବିଭାଗ ଅଧିକାରୀଙ୍କୁ ମଧ୍ୟ ଟଙ୍କା ଦେଉଛନ୍ତି। ଗୋଟିଏ ବିଡ଼ା କାଠର ମୂଲ୍ୟ ଫୁଲବାଣୀ ବଜାରରେ ୧୫୦ରୁ ୨୦୦ ଟଙ୍କାରେ ବିକ୍ରି ହେଉଛି। ବଡ଼ବଡ଼ ଶାଳଗଛଗୁଡ଼ିକୁ କାଟି ଦୁଇଫୁଟ ସାଇଜର କାଠଖଣ୍ଡସବୁ ପ୍ରସ୍ତୁତ କରାଯାଇ ପ୍ରାୟ ୨୫ କିଲୋ ଓଜନର ବିଡ଼ା ବନ୍ଧାଯାଉଛି। ଫୁଲବାଣୀ ଅଞ୍ଚଳର କିଛି କିଛି କାଠମାଫିଆ ଏସବୁ କାର୍ଯ୍ୟର ତଦାରଖ କରୁଛନ୍ତି ଏବଂ ଏଥିପାଇଁ ସେମାନେ ଜଙ୍ଗଲ ବିଭାଗ ଅଧିକାରୀଙ୍କୁ ବଟି ଦେଉଛନ୍ତି। ଏଣୁ ଜଙ୍ଗଲ ବିଭାଗ ଅଧିକାରୀ ଏସବୁ ଜାଣି ମଧ୍ୟ ନିରବ ବସି ଯାଉଛନ୍ତି। କେବଳ ମହିଳାମାନଙ୍କ ଦ୍ବାରା କାଠ କଟାଯାଉନାହିଁ ବରଂ ଜଙ୍ଗ‌ଲ ମଧ୍ୟରେ ବଡ଼ବଡ଼ ଶାଳ ଗଛ କଟାଯାଇ ମଇଁଷି ସହାୟତାରେ ବୋହି ନିକଟସ୍ଥ ରାସ୍ତା ପର୍ଯ୍ୟନ୍ତ ନିଆଯାଉଛି। ପରେ ସେଠାରୁ ବିଭିନ୍ନ ଗାଡ଼ିରେ ଦୂରଦୂରାନ୍ତକୁ ଚାଲାଣ ହେଉଛି। ଏହି ରାକେଟ୍‌ରେ ଜଙ୍ଗଲ ବିଭାଗ ଅଧିକାରୀମାନେ ମଧ୍ୟ ସାମିଲ ଅଛନ୍ତି ବୋଲି ଉକ୍ତ ମହିଳା କହିବା ପରେ ଜଣାପଡ଼ିଥିଲା।

ଅପରପକ୍ଷେ, ଜଙ୍ଗଲ ବିଭାଗ ପକ୍ଷରୁ କାଗଜକଲମରେ କୋଟି କୋଟି ଟଙ୍କାର ବୃକ୍ଷରୋପଣ କରାଯାଉଛି ବୋଲି ଦର୍ଶାଯାଉଛି। ଏମ୍‌ଜିଏନ୍‌ଆର୍‌ଇଜିଏ ଏବଂ କାମ୍ପା ପାଣ୍ଠିରୁ କୋଟିକୋଟି ଟଙ୍କା ଖର୍ଚ୍ଚ କରାଯାଇ ଚାରାଗଛ ରୋପଣ କରାଯାଉଛି। ମାତ୍ର ସେଥିରୁ କେତେ ଗଛ ବଞ୍ଚୁଛି, ତାହା ଏକ ବଡ଼ ପ୍ରଶ୍ନବାଚୀ ପାଲଟିଛି। ଜଙ୍ଗଲ ବିଭାଗର ଚାରା ରୋପଣରେ ହୋଇଥିବା ଦୁର୍ନୀତି ନେଇ ନିକଟରେ ଫୁଲବାଣୀ ମିଳିତ ନାଗରିକ କମିଟି ଉଦ୍‌ବେଗ ପ୍ରକାଶ କରିବା ସହ ଏ ନେଇ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଜଙ୍ଗଲ ବିଭାଗ ପକ୍ଷରୁ ହେଉଥିବା ଚାରା ରୋପଣ କାର୍ଯ୍ୟକ୍ରମର ଭିଜିଲାନ୍‌ସ ତଦନ୍ତ କିମ୍ବା କୌଣସି ନିରପେକ୍ଷ ସଂସ୍ଥା ଦ୍ବାରା ଉଚ୍ଚସ୍ତରୀୟ ତଦନ୍ତ କରାଯିବା ଜରୁରୀ ବୋଲି ମିଳିତ ନାଗରିକ କମିଟି ପକ୍ଷରୁ ଦାବି କରାଯାଇଛି।

ସମ୍ବନ୍ଧିତ ଖବର