ଫନି ସମୟରେ ଡେଣ୍ଟାଲ କଲେଜ ପରୀକ୍ଷା ତାରିଖ ବିବାଦ : ମାମଲାରେ ପକ୍ଷଭୁକ୍ତ ପାଇଁ ୧୦ ଛାତ୍ରଙ୍କ ଆବେଦନ

କଟକ : ବାତ୍ୟା ‘ଫନି’ର ପ୍ରଭାବରେ କଟକ ସହିତ ଅନ୍ୟ ଜିଲ୍ଲା ଗୁଡିକ ବିଶେଷ ଭାବେ ପ୍ରଭାବିତ ହୋଇଥିବା ବେଳେ ଏହି ସମୟରେ ଏସସିବି ଡେଣ୍ଟାଲ୍ କଲେଜରେ ହୋଇଥିବା ଏମଡିଏସ ପରୀକ୍ଷାକୁ ବିରୋଧ କରି ଦାୟର ମାମଲାରେ ପକ୍ଷଭୁକ୍ତ ହେବା ପାଇଁ ୧୦ ଜଣ ଛାତ୍ର ଆବେଦନ କରିଛନ୍ତି। ଅନ୍ୟପକ୍ଷରେ ଏହି ମାମଲାରେ ପରବର୍ତ୍ତୀ ଶୁଣାଣି ପୂର୍ବରୁ ପକ୍ଷ ରଖିବାକୁ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଗ୍ରୀଷ୍ମ ଅବକାଶ ପରେ କରାଯିବା ପାଇଁ ଧାର୍ଯ୍ୟ କରାଯାଇଛି। ମୁଖ୍ୟ ବିଚାରପତି କେ.ଏସ୍ ଜାଭେରୀ ଓ ଜଷ୍ଟିସ କେ. ଆର୍ ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଇନଜୀବୀ ଶିବ ନାରାୟଣ ବିଶ୍ୱାଳଙ୍କ ପକ୍ଷରୁ ଦାୟର ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ପୂର୍ବରୁ ଏହି ମାମଲାର ଶୁଣାଣି କରି ଖଣ୍ଡପୀଠ ପ୍ରତିପକ୍ଷଙ୍କୁ ନୋଟିସ୍ ଜାରି କରିଥିଲେ। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଡକ୍ଟର ଅଶୋକ କୁମାର ମହାପାତ୍ର ମାମଲା ପରିଚାଳନା କରୁଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ ଯେ ମେ’୨ ରୁ ୪ ତାରିଖ ମଧ୍ୟରେ ଏମଡିଏସ ପରୀକ୍ଷା ପାଇଁ ଦିନ ଧାର୍ଯ୍ୟ କରାଯାଇଥିଲା। ତେବେ ସାମ୍ଭାବ୍ୟ ବାତ୍ୟାକୁ ନେଇ ସ୍ୱତନ୍ତ୍ର ରିଲିଫ୍ କମିସନର୍ ମେ’ ୧ରେ ଏକ ବିଜ୍ଞପ୍ତି ଜାରି କରି ସମସ୍ତ ପରୀକ୍ଷାକୁ ବାତିଲ କରିବା ପାଇଁ ନିର୍ଦେଶ ଦେଇଥିଲେ। ଉତ୍କଳ ବିଶ୍ୱବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ମେ’୨ ରୁ ୪ ତାରିଖ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ସମସ୍ତ ପରୀକ୍ଷା ଅନିର୍ଦ୍ଦିଷ୍ଟ କାଳ ପାଇଁ ଘୁଞ୍ଚିଲା ବୋଲି ମଧ୍ୟ ମେ’ ୧ରେ ବିଜ୍ଞପ୍ତି ପ୍ରକାଶ କରିଥିଲେ। କେବେ ଏହି ପରୀକ୍ଷା କେବେ ହେବ ସେ ନେଇ ବାତ୍ୟା ପରେ ବିଜ୍ଞପ୍ତି ପ୍ରକାଶ କରାଯିବ ବୋଲି ପରୀକ୍ଷା ନିୟନ୍ତ୍ରକଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା। କିନ୍ତୁ ସରକାରଙ୍କ ନିର୍ଦେଶନାମାକୁ ଉଲଘଂନ କରି ମେ’ ୨ରେ ବିଶ୍ବବିଦ୍ୟାଳୟ ପକ୍ଷରୁ ଆଉ ଏକ ବିଜ୍ଞପ୍ତି ଜାରି କରାଯାଇ ମେ’ ୬ରୁ ୯ ତାରିଖ ୪ ଦିନ ଧରି ଏସସିବି ‌ ଡେଣ୍ଟାଲ କଲେଜରେ ଏହି ପରୀକ୍ଷା ଅନୁଷ୍ଠିତ ହେବ ବୋଲି ଘୋଷଣା କରାଯାଇଥିଲା।

ସମ୍ବନ୍ଧିତ ଖବର