ପଶୁପକ୍ଷୀଙ୍କ ୫ ନୂଆ ବ୍ରିଡ୍‌ ଚିହ୍ନଟ

୭ ବର୍ଷରେ ବିକଶିତ ହୋଇଛି ୨୬୪ କିସମ ବିହନ
‘ସିଆର ୮୦୧/୮୦୨’ରେ ମରୁଡ଼ି, ବର୍ଷା ସହନସୀଳତା

ଭୁବନେଶ୍ବର : ଓଡ଼ିଶାରେ ପଶୁପକ୍ଷୀଙ୍କ ୧୨ଟି ନୂଆ ବ୍ରିଡ୍‌ ଚିହ୍ନଟ ହୋଇସାରିଛି। ଆଉ ୫ଟି ବ୍ରିଡ୍‌ ଚିହ୍ନଟ ପ୍ରକ୍ରିୟା ଏବେ ଜାରି ରହିଛି ଏବଂ ଖୁବ୍‌ଶୀଘ୍ର ପଞ୍ଜୀକରଣ କରାଯିବ ବୋଲି ଭାରତୀୟ କୃଷି ଅନୁସନ୍ଧାନ ପରିଷଦ(ଆଇସିଏଆର) ମହାନିର୍ଦେଶକ ତ୍ରିଲୋଚନ ମହାପାତ୍ର କହିଛନ୍ତି। ଭୁବନେଶ୍ବରରେ ଏକ କାର୍ଯ୍ୟକ୍ରମକୁ ‌ଯୋଗଦେବାକୁ ଆସିଥିବା ଅବସରରେ ଶ୍ରୀ ମହାପାତ୍ର କହିଛନ୍ତି ନୂଆ ବ୍ରିଡ୍‌ ଚିହ୍ନଟ କରାଯାଉଥିଲେ ମଧ୍ୟ ସେଗୁଡ଼ିକର ସଂରକ୍ଷଣ ଓ ବ୍ରାଣ୍ଡିଂ ଉପରେ ଆମକୁ ପ୍ରାଥମିକତା ଦେବାକୁ ପଡ଼ିବ। ବଜାର ସୁବିଧା କରିବାକୁ ହେବ। ଗୁଣବତ୍ତାକୁ ଚିହ୍ନିବା ଏବଂ ତାହାକୁ ମାର୍କେଟ ସହ ଯୋଡ଼ିବା ଦ୍ବାରା ଚାଷୀମାନେ ଅଧିକରୁ ଅଧିକ ଉପକୃତ ହେବେ।

Colourbox

ଓଡ଼ିଶାରେ ନୂତନ କିସମ ବିହନ ଉତ୍ପାଦନ ନେଇ ସେ କହିଛନ୍ତି ଯେ ଗତ ୭ ବର୍ଷ ମଧ୍ୟରେ ଆଇସିଏଆର ଓ କୃଷି ବିଶ୍ବବିଦ୍ୟାଳୟ ମିଳିତ ଭାବେ ୨୬୪ଟି ନୂଆ କିସମ ଓଡ଼ିଶାର ଚାଷୀଙ୍କ ଲାଗି ଉପଲବ୍ଧ କରାଇଛନ୍ତି। ସେଥିମଧ୍ୟରେ ୩୬ଟି ତୈଳବୀଜ ଓ ୨୨ଟି ଡାଲିଜାତୀୟ କିସମ ରହିଛି। ନୂଆ ଭୋରାଇଟିଗୁଡ଼ିକ ଦ୍ବାରା ଉତ୍ପାଦନ ଅଧିକ ବଢ଼ିବ। କଟକସ୍ଥିତ ଜାତୀୟ ଧାନ ଗବେଷଣା କେନ୍ଦ୍ରରୁ ଆବିଷ୍କାର ହୋଇଥିବା ଧାନର ‘ସିଆର ୩୧୬’ କିସମକୁ ରାଜ୍ୟର ୪୦ଟି ସ୍ଥାନରେ ଚାଷ କରାଯାଇଥିଲା। ଏହି କିସମରୁ ପ୍ରତି ହେକ୍ଟର ପିଛା ହାରାହାରି ୬.୯ ଟନ୍‌ ଧାନ ଉତ୍ପାଦନ ହୋଇଛି। ଏଭଳି ଉତ୍ପାଦନ ହେଲେ ଚାଷୀଙ୍କ ଆୟ କିଭଳି ବୃଦ୍ଧି ପାଇବ ତାହା ସହଜରେ ଅନୁମେୟ। ଚାଷୀଙ୍କ ପାଖରେ କିଭଳି ଉକ୍ତ ଧାନର ବିହନ ପହଞ୍ଚିପାରିବ ସେଥିପ୍ରତି ଆମକୁ ଗୁରୁତ୍ବ ଦେବାକୁ ପଡ଼ିବ। ରାଜ୍ୟ ସରକାରଙ୍କ ମାଧ୍ୟମରେ ଏହି କିସମ ଧାନ ବାହାରକୁ ଆସିଛି। ତେଣୁ ସେମାନେ ବିସ୍ତାରିତ ରୂପରେ ଚାଷୀଙ୍କ ନିକଟରେ ପହଞ୍ଚାଇପାରିବେ।

ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିପାରୁଥିବା ‘ସିଆର ୮୦୧/୮୦୨’ କିସନ ଧାନ ଏବେ ଓଡ଼ିଶା ଚାଷୀଙ୍କ ପାଇଁ ବରଦାନ ସଦୃଶ। ଏହି ଦୁଇ କିମସ ଧାନ ଉଭୟ ମରୁଡ଼ି ଓ ବର୍ଷ ମୁକାବିଲା କରିବାର କ୍ଷମତା ରହିଛି। ଗତ ୭ ବର୍ଷ ମଧ୍ୟରେ ଦେଶକୁ ୧୫୦୦ରୁ ୧୬୦୦ କିସମର ନୂଆ ବିହନ ଦେଶର ଚାଷୀଙ୍କ ଲାଗି ବିକଶିତ କରାଯାଇଛି। ସେଥିମଧ୍ୟରୁ ୭୦% କିସମର ଜଳବାୟୁ ପରିବର୍ତନ ସହନସୀଳତା ରହିଛି। ଭୁବନେଶ୍ବରସ୍ଥିତ ସିଫା ପକ୍ଷରୁ ‘ଜୟନ୍ତୀ ରୋହି’ର ନୂଆ କିସମ ମାଛ ବାହାରିଛି। ଯେଉଁଥିରେ ୫୦ରୁ ୬୦% ପର୍ଯ୍ୟନ୍ତ ଅଧିକ ଉତ୍ପାଦନ କ୍ଷମତା ରହିଛି। ଚାଷୀଙ୍କ ପାଖରେ ଯଦି ତାହାର ମଞ୍ଜି ପହଞ୍ଚା ଯାଇପାରିବ ତେବେ ମାଛ କ୍ଷେତ୍ରରେ ଆମେ ଆଗରେ ରହିବା। ନୂଆ କିସମ ମାଧ୍ୟମରେ ହିଁ ଆମେ ଉତ୍ପାଦନକୁ ବଢ଼ାଇପାରିବା। ଚାଷୀଙ୍କ ଆୟ ବଢ଼ାଇବାରେ ସମନ୍ବିତ କୃଷି ପ୍ରଣାଳୀର ଆବଶ୍ୟକତା ବହୁତ ରହିଛି। ପୋଖରୀ ଖନନ ଲାଗି ରାଜ୍ୟ ସରକାର ଯେଉଁ ପଦକ୍ଷେପ ନେଇଛନ୍ତି, ତାହାକୁ ଆଧାର କରି ଯଦି ଉପଯୁକ୍ତ ପ୍ରଣାଳୀରେ ଚାଷ କରାଯାଏ ତେବେ ଚାଷୀଙ୍କ ଆୟ ବହୁଗୁଣ ବଢ଼ିଯିବ। କୃଷି କ୍ଷେତ୍ର ପାଇଁ ଦେଶରେ ୫୦ଟି ଇନ୍‌କ୍ୟୁବେସନ ସେଣ୍ଟର ‌ହୋଇଛି ଏବଂ ୭୦୦ରୁ ୮୦୦ ଷ୍ଟାଟ୍‌ଅପ୍‌ ପ୍ରତିଷ୍ଠା କରାଯାଇଛି। ଯୁବପିଢ଼ିଙ୍କ ଦ୍ବାରା ହିଁ ଏହା ଆହୁରି ଆଗକୁ ବଢ଼ିପାରିବ।

ସମ୍ବନ୍ଧିତ ଖବର