ମୁଖ୍ୟାଳୟ ଛାଡ଼ିପାରିବେନି ଡିଇଓ, ବିଇଓ

ଭୁବନେଶ୍ବର : ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ପ୍ରଭାବରେ ଗୁରୁବାରଠାରୁ ଓଡ଼ିଶାରେ ବର୍ଷା ପରିମାଣ ବଢ଼ିବ। ତାହାକୁ ନଜରରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିବାକୁ ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ), ଜିଲ୍ଲା ପ୍ରକଳ୍ପ ସଂଯୋଜକ(ଡିପିସି) ଓ ବ୍ଲକ ଶିକ୍ଷା ଅଧିକାରୀ(ବିଇଓ)ଙ୍କୁ କୁହାଯାଇଛି। ଜିଲ୍ଲାପାଳଙ୍କ ବିନା ଅନୁମତିରେ ଡିଇଓ, ଡିପିସି ଓ ବିଇଓମାନେ ସେମାନଙ୍କ ମୁଖ୍ୟାଳୟ ଛାଡ଼ି ଯାଇପାରିବେ ନାହିଁ। ଜିଲ୍ଲା ପ୍ରଶାସନର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଗଣଶିକ୍ଷା ବିଭାଗ ଅଧୀନ ସମସ୍ତ ବିଦ୍ୟାଳୟ ପ୍ରସ୍ତୁତ ରଖିବା ସହ ଆବଶ୍ୟକ ପଡ଼ିଲେ ସ୍କୁଲର ପ୍ରଧାନଶିକ୍ଷକ ମଧ୍ୟାହ୍ନଭୋଜନ ଶସ୍ୟକୁ ଜିଲ୍ଲା ପ୍ରଶାସନକୁ ହସ୍ତାନ୍ତର କରିବାକୁ କୁହାଯାଇଛି।

ଏଥିସହ ବିଦ୍ୟାଳୟ କୋଠାକୁ ଆଶ୍ରୟସ୍ଥଳୀ ଭାବେ ବ୍ୟବହାର କରିବାକୁ ଅନୁମତି ପ୍ରଦାନ କରିବାକୁ ନିର୍ଦେଶ ଦିଆଯାଇଛି। ସେହିଭଳି ପ୍ରଧାନଶିକ୍ଷକମାନେ ମାଧ୍ୟମିକ ଶିକ୍ଷା ନିର୍ଦେଶକ, ପ୍ରାଥମିକ ଶିକ୍ଷା ନିର୍ଦେଶକ ଓ ମଧ୍ୟାହ୍ନଭୋଜନ ରାଜ୍ୟ ନୋଡାଲ ଅଧିକାରୀଙ୍କ ସହ ଯୋଗାଯୋଗ କରିପାରିବେ। ପ୍ରବଳ ବର୍ଷା‌ରେ ଜରୁରୀ କାଗଜପତ୍ର ଯେପରି ସୁରକ୍ଷିତ ରହିବ ସେଦିଗରେ ପଦକ୍ଷେପ ନେବେ। କ୍ଷୟକ୍ଷତିର ତୁରନ୍ତ ରିପୋର୍ଟ ପ୍ରଦାନ ସହ ବର୍ଷ ସରିବା କ୍ଷଣି ଜିଲ୍ଲା ଶିକ୍ଷା ଅଧିକାରୀମାନେ ନିର୍ଦେଶାଳୟକୁ ରିପୋର୍ଟ ପଠାଇବେ। ଗଣଶିକ୍ଷା ବିଭାଗ ପକ୍ଷରୁ ଡିଇଓମାନେ ଜିଲ୍ଲାର ନୋଡାଲ ଅଧିକାରୀମାନେ ଦାୟିତ୍ବ ନିର୍ବାହ କରିବେ ଏବଂ ଜିଲ୍ଲା ପ୍ରଶାସନକୁ ସମସ୍ତ ପ୍ରକାର ସହଯୋଗ ଯୋଗାଇଦେବେ। ଏଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର