କଟକଣା କଡ଼ାକଡ଼ି କରିବାକୁ ଡିଇଓଙ୍କୁ ନିର୍ଦ୍ଦେଶ: ୩୪ ଛାତ୍ରଛାତ୍ରୀ ଆକ୍ରାନ୍ତ

ଏବେ ଖୋଲିବନି ପ୍ରାଥମିକ ବିଦ୍ୟାଳୟ: ଗଣଶିକ୍ଷା ମନ୍ତ୍ରୀ, ପିଲାଙ୍କୁ ସଚେତନ କରାନ୍ତୁ ଅଭିଭାବକ: ଡିଏମ୍‌ଇଟି

ଭୁବନେଶ୍ବର: ପିଲାଙ୍କ କରୋନା ସଂକ୍ରମଣ କମିବାର ନାଁ ଧରୁନି। ପ୍ରତିଦିନ ରାଜ୍ୟରେ ଶିଶୁ ଓ କିଶୋର ଆକ୍ରାନ୍ତଙ୍କ ସଂଖ୍ୟା ଶହେ ଉପରେ ରହୁଛି। ଗତ ୨୪ ଘଣ୍ଟା ମଧ୍ୟରେ ଢେଙ୍କାନାଳ ଓ ବରଗଡ଼ ଜିଲ୍ଲାର ଗୋଟିଏ ଲେଖାଏଁ ସ୍କୁଲର ମୋଟ ୩୪ଜଣ ଛାତ୍ରଛାତ୍ରୀ କରୋନାରେ ଆକ୍ରାନ୍ତ ହେବା ପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଚିନ୍ତା ବଢ଼ିଯାଇଛି। କେମିତି ମୁକାବିଲା କରାଯିବ, ସେନେଇ ଆଜି ଦିନତମାମ ବିଭାଗୀୟ ଅଧିକାରୀମାନଙ୍କ ବୈଠକ ବସି ବ୍ୟାପକ ବିଚାରବିମର୍ଶ କରାଯାଇଛି। ସ୍କୁଲ ଛାତ୍ରଛାତ୍ରୀ ଯେପରି କରୋନାରେ ଆକ୍ରାନ୍ତ ନ ହୁଅନ୍ତି, ସେଥିପ୍ରତି କଡ଼ା ନଜର ରଖିବାକୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ)ଙ୍କୁ ପରାମର୍ଶ ଦିଆଯିବା ସହ ନିର୍ଦେଶାବଳୀ ଜାରି ‌ହୋଇଛି।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଡିଇଓମାନଙ୍କୁ ଲେଖାଯାଇଥିବା ଚିଠିରେ କୁହାଯାଇଛି ଯେ ସବୁ ପିଲା ଯେପରି ମାସ୍କ ପିନ୍ଧି କ୍ୟାମ୍ପସକୁ ଆସିବେ, ସେନେଇ ସ୍କୁଲ କର୍ତ୍ତୃପକ୍ଷ ଗୁରୁତ୍ଵ ଦେବେ। ବିନା ମାକ୍ସରେ କାହାକୁ ବି କ୍ୟାମ୍ପସକୁ ପ୍ରବେଶ କରିବାକୁ ଦିଆଯିବ ନାହିଁ। କରୋନା ମୁକାବିଲା ତଥା ପରିଚାଳନା ପାଇଁ ବିଦ୍ୟାଳୟ ଉନ୍ନୟନ ପାଣ୍ଠିରୁ ଅର୍ଥ ଖର୍ଚ୍ଚ କରାଯିବ। ଛାତ୍ରଛାତ୍ରୀଙ୍କ ସମେତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କର ଥର୍ମାଲ ସ୍କ୍ରିନିଂ ସହ ହାତକୁ ବିଶୋଧନ କରିବାର ବ୍ୟବସ୍ଥା କରାଯିବ। ଥଣ୍ଡା, କାଶ ଭଳି ସାମାନ୍ୟ ଲକ୍ଷଣ ଦେଖାଦେଲେ, ଶିକ୍ଷକ ଓ ଛାତ୍ରଛାତ୍ରୀ ବିଦ୍ୟାଳୟ ଆସିପାରିବେ ନାହିଁ। ବିଆରସିସି ଓ ସିଆରସିସି ପର୍ଯ୍ୟାୟକ୍ରମେ ବିଦ୍ୟାଳୟ ବୁଲି ତଦାରଖ କରିବେ। ଶ୍ରେଣୀଗୃହ ଶିକ୍ଷାଦାନ ତଥା ଅଫ୍‌ଲାଇନ୍‌ ପାଠପଢ଼ା ଆରମ୍ଭ ହୋଇଥିଲେ ମଧ୍ୟ ଅନ୍‌ଲାଇନ୍‌ ପାଠପଢ଼ା ଜାରି ରହିବ। ବିଦ୍ୟାଳୟ ଆସିବାକୁ ଛାତ୍ରଛାତ୍ରୀଙ୍କୁ ସ୍କୁଲ କର୍ତ୍ତୃପକ୍ଷ ବାଧ୍ୟ କରିପାରିବେ ନାହିଁ।

ଏତେ ସଂଖ୍ୟକ ସ୍କୁଲ ଛାତ୍ରଛାତ୍ରୀ ଆକ୍ରାନ୍ତ ହେବା ପରେ ପ୍ରାଥମିକ ବିଦ୍ୟାଳୟ ତଥା ପ୍ରଥମରୁ ୮ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍‌ ପାଠପଢ଼ା ନେଇ ଯେଉଁ ଆଶା ସଞ୍ଚାର ହୋଇଥିଲା, ତାହା ମିଳାଇ ଯାଇଛି। ତେଣୁ ଅନ୍‌ଲାଇନ୍‌ କ୍ଲାସ୍‌କୁ ବ୍ୟାପକ କରିବା ଉପରେ ପ୍ରାଥମିକତା ଦେଇଛି ଗଣଶିକ୍ଷା ବିଭାଗ। ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ଯେ ଢେଙ୍କାନାଳ ଓ ବରଗଡ଼ ଜିଲ୍ଲାର ଦୁଇଟି ସ୍କୁଲର ପ୍ରାୟ ୩୫ପିଲା ପଜିଟିଭ୍ ଚିହ୍ନଟ ହୋଇଥିବା ସୂଚନା ମିଳିବା ପରେ ପଦକ୍ଷେପ ନିଆଯାଇଛି। ଏହାର ସବିଶେଷ ଯାଞ୍ଚ ଜାରି ରହିଛି। ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ଯୋଗାଯୋଗରେ ରହିଛୁ। ଆକ୍ରାନ୍ତ ଚିହ୍ନଟ ହୋଇଥିବା ବିଦ୍ୟାଳୟକୁ ବନ୍ଦ କରାଯାଇଥିବା ବେଳେ ଏବେ ବିଶୋଧନ ହେଉଛି। ଅନ୍ୟ ସବୁଆଡ଼େ ଭଲରେ ପାଠପଢ଼ା ଚାଲିଛି। ସ୍କୁଲ ବନ୍ଦ କରିବା ନେଇ କୌଣସିପ୍ରକାର ନିଷ୍ପତ୍ତି ହୋଇନାହିଁ। ପ୍ରଥମରୁ ଅଷ୍ଟମ ଶ୍ରେଣୀ ଖୋଲିବା ନେଇ ଏଯାବତ୍‌ ନିଷ୍ପତ୍ତି ହୋଇ ନ ଥିବା ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।

ଅନ୍ୟପକ୍ଷରେ ପିଲାଙ୍କୁ କରୋନା ନେଇ ଡିଏମଇଟି ସିବିକେ ମହାନ୍ତି ଆଜି ସତର୍କ କରାଇଛନ୍ତି। ସେ କହିଛନ୍ତି, ପିଲାମାନେ କରୋନା କଟକଣା କଡ଼ାକଡ଼ି ପାଳନ କରିବା କଷ୍ଟକର। ସେମାନଙ୍କୁ ଶିକ୍ଷକ ତଥା ଅଭିଭାବକ ଏଥିପାଇଁ ପରାମର୍ଶ ଦେବା ଉଚିତ। ସାମାଜିକ ଦୂରତା ରକ୍ଷା କରିବା, ମାସ୍କ ପିନ୍ଧିବାକୁ ସବୁବେଳେ ଚେତାଇ ଦେବା ଉଚିତ। ପରିସ୍ଥିତି ବିଗିଡ଼ିଲେ ସ୍କୁଲ ବନ୍ଦ ହେବ। ପିଲାଙ୍କ ଭବିଷ୍ୟତ ପାଇଁ ଅଭିଭାବକ ଓ ଶିକ୍ଷକ ଯତ୍ନବାନ ହେବା ଆବଶ୍ୟକ। ପିଲାଙ୍କୁ ସୁରକ୍ଷିତ ରଖିବା ନିମନ୍ତେ ପ୍ରାଥମିକ ଦାୟିତ୍ୱ ହେଉଛି ଅଭିଭାବକଙ୍କର। ସେମାନେ କିଛି ଲୁଚାଇବା କଥା ନୁହେଁ। ପିଲାଙ୍କ କାଶ, କଫ, ଥଣ୍ଡା ହେଲେ ତୁରନ୍ତ ଜଣାନ୍ତୁ। ଫଳରେ ରାଜ୍ୟ ସରକାରଙ୍କ ପକ୍ଷରୁ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବ।

ସମ୍ବନ୍ଧିତ ଖବର