ରାଉରକେଲା: କୁଆରମୁଣ୍ଡା ଓ ନୂଆଗାଁ ବ୍ଲକର ଅଧିକାଂଶ ପଞ୍ଚାୟତବାସିନ୍ଦାଙ୍କ ଦୁଃଖ ପାଲଟିଛି କୋଏଲ ସେତୁ। ଦୁଇ ବର୍ଷର କାମକୁ ୫ ବର୍ଷ ବିତିଗଲାଣି। ତଥାପି ନିର୍ମାଣ କାମ ସରୁନି। ବିଭାଗୀୟ ଅଧିକାରୀ କିନ୍ତୁ ଖୁବ୍‌ ଶୀଘ୍ର ସରିଯିବ ବୋଲି ସଫେଇ ଦେଉଛନ୍ତି। ନିର୍ମାଣ କାମ ସାରିବା ଦାବିରେ ସମାଜସେବୀ ମୁକ୍ତିକାନ୍ତ ବିଶ୍ବାଳ ଗତ ୮ ଦିନ ଧରି ଧାରଣା ଜାରି ରଖିଛନ୍ତି। ଆଜି ମୁକ୍ତିକାନ୍ତ, ସ୍ଥାନୀୟ ବାସିନ୍ଦା ଓ ପଶ୍ଚିମ ଓଡ଼ିଶା ବିକାଶ ସେନାର କର୍ମକର୍ତ୍ତା ଦେଓନଦୀରେ ଜଳ ସତ୍ୟାଗ୍ରହ କରିଥିଲେ। କେବଳ ଏତିକି ନୁହେଁ ବିଜେପି ଓ କଂଗ୍ରେସର ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି।

Advertisment

ହେଲେ ଆଜି ପର୍ଯ୍ୟନ୍ତ ଧାରଣାସ୍ଥଳରେ କୌଣସି ପ୍ରଶାସନିକ ଅଧିକାରୀ ପହଞ୍ଚି ନଥିବାରୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି। ଯେ ପର୍ଯ୍ୟନ୍ତ ସେତୁ କାମ ପ୍ରାଥମିକତା ଭିତ୍ତିରେ ସାରିବାକୁ ଲିଖିତ ପ୍ରତିଶ୍ରୁତି ନ ମିଳିଛି, ସେ ପର୍ଯ୍ୟନ୍ତ ଧାରଣାରୁ ହଟିବେ ନାହିଁ ବୋଲି ମୁକ୍ତିକାନ୍ତ ଓ ତାଙ୍କ ସମର୍ଥକ କହିଛନ୍ତି। ଅର୍ଦ୍ଧନିର୍ମିତ ସେତୁ ଉପରେ ବିପଦସଙ୍କୁଳ ସ୍ଥିତିରେ ସ୍ଥାନୀୟ ବାସିନ୍ଦା ଯାତାୟତ କରୁଛନ୍ତି। ବାଉଁଶ ଶିଢ଼ି ସେମାନଙ୍କ ପାଇଁ ପାଲଟିଛି ଲାଇଫ୍‌ ଲାଇନ୍‌। ଦୈନନ୍ଦିନ ଶହ ଶହ ଲୋକ, ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ଜୀବନକୁ ବାଜି ଲଗାଇ ବାଉଁଶ ଶିଢ଼ି ଚଢ଼ି ଅଧ ଖଣ୍ଡିଆ ସେତୁ ଉପରେ ଚାଲି ଚାଲି ନଦୀ ପାରି ହେଉଛନ୍ତି। ବର୍ଷା ସ୍ଥିତିରେ ସ୍ଥିତି ଆହୁରି ସଙ୍ଗୀନ ହୋଇ ପଡୁଛି।

ବାଉଁଶ ଭେଳା, ଟ୍ୟୁବ୍‌ ସାହାଯ୍ୟରେ ଜୀବନକୁ ବାଜି ଲଗାଇ ନଦୀ ପାରି ହେଉଛନ୍ତି। ଖୁବ୍‌ଶୀଘ୍ର ସମସ୍ୟାର ସମାଧାନ ହୋଇ ସେତୁ କାମ କରିବ ବୋଲି ପାନପୋଷ ଉପଜିଲ୍ଲାପାଳ କହିଛନ୍ତି। ଉଲ୍ଲେଖଯୋଗ୍ୟ, ରାଉରକେଲା ସହରକୁ ଆସିବାକୁ କୁଆରମୁଣ୍ଡା ଓ ନୂଆଗାଁ ବ୍ଲକର ପ୍ରାୟ ୧୦ରୁ ଅଧିକ ପଞ୍ଚାୟତବାସୀଙ୍କ ବାଟ ଓଗାଳୁଥିଲା ଦେଓ ନଦୀ। ପ୍ରତିଦିନ ନୂଆଗାଁର ଅଙ୍କୁରପାଲି, ମେନ୍‌ମେନା, କନ୍ଦରକେଲା, ମିଟକୁନ୍ଦରି ସମେତ କୁଆରମୁଣ୍ଡା ବ୍ଲକର ୧୦ରୁ ଅଧିକ ପଞ୍ଚାୟତବାସିନ୍ଦା ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ନେଉଛନ୍ତି। ଦାବି ପରେ ଦେଓ ନଦୀ ଉପରେ ବିଜୁ ସେତୁ ନିର୍ମାଣ କରିବାକୁ ସବୁଜ ସଙ୍କେତ ମିଳିଥିଲା। ପ୍ରାୟ ୮ କୋଟିରୁ ଅଧିକ ଟଙ୍କା ମଞ୍ଜୁର ହୋଇଥିଲା। ଟେଣ୍ଡର ପାଇଥିବା ଠିକା ସଂସ୍ଥା ଗତ ୨୦୧୮ ଜୁନ୍‌ ୩୦ରେ ସେତୁ ନିର୍ମାଣ କାମ ଆରମ୍ଭ କରିଥିଲା। ଜମି ବିବାଦ ଓ ଅନ୍ୟ କିଛି କାରଣରୁ ସେତୁ ନିର୍ମାଣ କାମ ଆଗେଇ ପାରିନଥିଲା। ତଦାରଖ ଦାୟିତ୍ବରେ ଥିବା ଅଧିକାରୀମାନେ ଚୁପ୍‌ ରହିଥିଲେ। ଫଳରେ ସେତୁ ନିର୍ମାଣ କାମ ଅଧାରୁ ବନ୍ଦ ହୋଇଯାଇଥିଲା। ପରବର୍ତ୍ତୀ ସମୟରେ ସେତୁ ନିର୍ମାଣ କେମିତି ସରିବ, ତଦାରଖ ଦାୟିତ୍ବରେ ଅଧିକାରୀ ଧ୍ୟାନ ଦେଇ ନଥିଲେ।