ଦେଓଗାଁ ଏବିଡିଓଙ୍କ ଟଙ୍କା ଆତ୍ମସାତ ଘଟଣା: ମଲାଲୋକଙ୍କ ନାଁରେ ଉଠିଛି ଆବାସ ଯୋଜନା ଟଙ୍କା

ଦେଓଗାଁ : ଦେଓଗାଁ ବ୍ଲକ୍‌ର ଏବିଡିଓ ଆବାସ ଯୋଜନା ଟଙ୍କା ଆତ୍ମସାତ୍‌ କରିବା ଓ ଧରାପଡ଼ିବା ପରେ ଫେରାଇବାକୁ ନେଇ ଯେତିକି ଚର୍ଚ୍ଚା ହେଉଛି ସେହି ଅନୁସାରେ ନୂଆ ନୂଆ ତଥ୍ୟ ସାମନାକୁ ଆସୁଛି। ମଲା ଲୋକଙ୍କ ନାଁରେ ବି ଏଠାରେ ଆବାସ ଯୋଜନାର ଟଙ୍କା ଉଠାଯାଇଥିବା ଜଣାପଡ଼ିଛି।

ସରକାରୀ ଡହବିଲରୁ ଟଙ୍କା ଉଠାଇ ପୁଣି ଭରଣା କରିବା ଦେଓଗାଁ ବ୍ଲକ୍‌ରେ ନୂଆ ନୁହେଁ। ପୂର୍ବରୁ ଚାଉଳ, ଭତ୍ତାଟଙ୍କା ଆତ୍ମସାତ କରି ଅଧିକାରୀ ପରେ ଭରଣା କରିବା ସହ ନିଲମ୍ବିତ ହୋଇଥିବା ନଜିର ରହିଛି। ଏବେ କାର୍ଯ୍ୟରତ ଏବିଡିଓ ରୁଦ୍ରପ୍ରସାଦ ସୁନାଙ୍କ ନାରନାମା ସାମନାକୁ ଆସିଛି। ଜିଲ୍ଲା ସ୍ତରରୁ ଏକ ଟିମ୍‌ ଆସି ଯାଞ୍ଚ କରିବା ପରେ ଅନିୟମିତତା ଧରା ପଡ଼ିଛି। ଆବାସ ଯୋଜନା ଘରେ ଏବିଡିଓ ମାର୍ବଲ ଫଳକ ବାବଦ ଟଙ୍କା ଆତ୍ମସାତ କରିବା ପରେ ଭରଣା କରିଛନ୍ତି। ଏବେ ଆହୁରି ସଂଗିନ ଅଭିଯୋଗ ଆସିଛି। ଏବିଡିଓ ଜଣେ ଇଓଙ୍କ ମିଶି ମୃତ ବ୍ୟକ୍ତିଙ୍କ ନାମରେ ଆବାସ ଯୋଜନା ଘର ଦେଇ ଟଙ୍କା ଆତ୍ମସାତ କରିଥିବା ତଥ୍ୟ ‘ସମ୍ବାଦ’ ହାତରେ ଲାଗିଛି। ଏଥିରେ ଜଣେ ତଳିଆ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇ ଏହି ଦୁର୍ନୀତିରୁ ଖସିଯିବାର ଉଦ୍ୟମ କରିଛନ୍ତି ଏବିଡିଓ।

ଅଭିଯୋଗ ଅନୁସାରେ, ବ୍ଲକ୍‌ର କୁଲୁତାପଡ଼ା ପଞ୍ଚାୟତର ଖୋଦ୍‌ କୁଲୁତାପଡ଼ା ଗାଁର ରାଜକିଶୋର ସାହୁଙ୍କ ନାମରେ ଏକ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘର ଆସିଥିଲା ୨୦୨୦-୨୧ ଆର୍ଥିକ ବର୍ଷରେ। ଶ୍ରୀ ସାହୁଙ୍କ ପରଲୋକ ଗତ ୨୦୨୦ ମସିହାରେ ହେଇଥିଲେ ବି ତାଙ୍କ ନାଁରେ କାର୍ଯ୍ୟାଦେଶ ଦେଇଥିଲେ ତତ୍କାଳୀନ ଭାରପ୍ରାପ୍ତ ବିଡିଓ ରୁଦ୍ର ପ୍ରସାଦ ସୁନା। ଫଳରେ ଶ୍ରୀ ସାହୁଙ୍କ ମହୀମୁଣ୍ଡାସ୍ଥିତ ୟୁଜିବିର ଖାତା ନମ୍ବର ୮୪୦୪୦୪୦୨୬୩୯ରେ ଗତ ୨୦୨୦ ଅକ୍ଟୋବର ମାସ ୧୪ ତାରିଖରେ ପ୍ରଥମ କିସ୍ତି ୨୦ ହଜାର ଟଙ୍କା ପଡ଼ିଥିଲା। ତାର ଦୁଇଦିନ ପରେ ୧୭ ତାରିଖରେ ଦ୍ଵିତୀୟ କିସ୍ତି ୩୫ ହଜାର ଟଙ୍କା ପଡ଼ିଛି। ସେହିପରି ନଭେମ୍ବର ୨୭ ତାରିଖ ଦିନ ତୃତୀୟ କିସ୍ତିର ୪୫ ହଜାର ଓ ଜାନୁଆରି ୭ ତାରିଖରେ ୩୦ ହଜାର ଏପରି ମୋଟ ୧ଲକ୍ଷ ୩୦ ହଜାର ଓ ମନରେଗା ବାବଦରେ ୧୨୩୪ ଟଙ୍କା ପକାଇ ହରିଲୁଟ କରାଯାଇଛି। ଏହି ଟଙ୍କା ପକାଇବାକୁ କୁଲୁତାପଡ଼ାର ବାବୁଲା ବାରିକଙ୍କ ଘରକୁ ବ୍ୟବହାର କରି ଜିଓଟେଗର୍‌ ଫଟୋ ଉଠାଇଥିଲେ। ଏପରିକି ମୃତ ରାଜକିଶୋର ମହୀମଣ୍ଡା ବ୍ୟାଙ୍କକୁ ଯାଇ ସମସ୍ତ ଟଙ୍କା କାଢ଼ିଥିବାର ରେକର୍ଡ କହୁଥିବାରୁ ଏହି ଟଙ୍କା ଉଠାଣ ପଛରେ ବ୍ୟାଙ୍କର କେଉଁ ଅଧିକାରୀ ସାମିଲ ଅଛନ୍ତି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ହିତାଧିକାରୀଙ୍କ ନାଁରେ ଆସିଥିବା ଟଙ୍କା ଆତ୍ମସାତ୍‌ ହୋଇଥିବା ପ୍ରମାଣ ବ୍ଲକ୍‌ ପ୍ରଶାସନ ପାଇଥିଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନାହିଁ। ଆବାସ ଯୋଜନା ଗୃହ ଦେବା ପୂର୍ବରୁ ସଂପୃକ୍ତ ହିତାଧିକାରୀ କେଉଁବର୍ଗର, କିଏ କିଏ ତାଙ୍କ ସହ ଅଛନ୍ତି, ସେ ମୃତ ନା ଜୀବିତ ସର୍ଭେ କରି ସରକାରୀ ନୋଡାଲ ଅଫିସର ରିପୋର୍ଟ ଦେଇଥାନ୍ତି। କିନ୍ତୁ ଗାଁ ଲୋକେ ରାଜକିଶୋର ମୃତ ବୋଲି ଅଭିଯୋଗ କରିଥିଲେ ବି କେମିତି ଭାବେ ଜୀବିତ ରିପୋର୍ଟ ଦେଲେ ସେ ଦିଗରେ ତଦନ୍ତ ହେଲେ ଅସଲ କଥା ପଦାକୁ ଆସିବ ବୋଲି ଆଲୋଚନା ହେଉଛି।

ସୂଚନାଯୋଗ୍ୟ ଯେ, ବ୍ଲକ୍‌ର ଏବିଡିଓଙ୍କ କାରନାମା ଧରାପଡ଼ିବା ପରେ ବ୍ଲକ୍‌ ଭିତରେ ବିଭିନ୍ନ ଯୋଜନାର ଟଙ୍କା ଆତ୍ମସାତକୁ ନେଇ ଆଲୋଚନା ସରଗରମ ହେଉଛି। ଆତ୍ମସାତ କରିଥିବା ସାଢ଼େ ୭ ଲକ୍ଷ ଟଙ୍କା ଭରଣା କରିବା ପରେ ଦୁର୍ନୀତି ପ୍ରମାଣିତ ହୋଇଛି। ଏହି ପଞ୍ଚାୟତରେ ପ୍ରାୟ ୧୩ଜଣ ମୃତବ୍ୟକ୍ତିଙ୍କ ଘର ଏପଟ ସେପଟ କରି ଟଙ୍କା ହଡ଼ପ ହୋଇଥିବା ଆଲୋଚନା ହେଉଛି। ଅଭିଯୋଗ ସଂପର୍କରେ ଏବିଡିଓ ଓ କୁଲୁତାପଡ଼ା ପଞ୍ଚାୟତର ଇଓଙ୍କୁ ଯୋଗାଯୋଗ ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ସମ୍ଭବ ହୋଇ ନଥିଲା। ବିଡିଓ ମୁରଲୀଧର ନାୟକ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର