ଦେଓଗାଁ ଏବିଡିଓଙ୍କ ଟଙ୍କା ଆତ୍ମସାତ ଘଟଣା: ଲାଗିନି ମାର୍ବଲ୍‌ ଫଳକ, ଉଠିଛି ଟଙ୍କା

ବିପିସି କାନ୍ଧରେ ବନ୍ଧୁକ ରଖି ଗୁଳି ମାରିଛନ୍ତି

ଦେଓଗାଁ : ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକର କରିତ୍‌କର୍ମା ଏବିଡିଓଙ୍କ କାରନାମାର ଫର୍ଦ୍ଦ ଗୋଟିଏ ପରେ ଗୋଟିଏ ପଦାକୁ ଆସୁଛି। ‘ସମ୍ବାଦ’ରେ ରିପୋର୍ଟ ପ୍ରକାଶ ପାଇବା ପରେ ଆତ୍ମସାତ କରିଥିବା ଟଙ୍କାରୁ ୭ଲକ୍ଷରୁ ଅଧିକ ଫେରାଇଥିଲେ ଏବିଡିଓ ରୁଦ୍ରପ୍ରସାଦ ସୁନା। ଏହା ପରେ ବି ତାଙ୍କ ଦୁର୍ନୀତିର ଅନେକ ତଥ୍ୟ ସାମନାକୁ ଆସିବାରେ ଲାଗିଛି। କିପରି ଦୁର୍ନୀତିର ଜାଲ ବିଛାଇ ଟଙ୍କା ଆତ୍ମସାତ କରିବାର ଯୋଜନା ରଚିଥିଲେ ତାର ତଥ୍ୟ ‘ସମ୍ବାଦ’ ହାତରେ ଲାଗିଛି। ବ୍ଲକ୍‌ର ବିପିସି (ବ୍ଲକ ପ୍ରୋଜେକ୍ଟ କୋଅର୍ଡିନେଟର୍‌)ଙ୍କ କାନ୍ଧରେ ବନ୍ଧୁକ ରଖି ଗୁଳି ଫୁଟାଇଥିବା ଜଣାପଡ଼ିଛି। ବିପିସିଙ୍କ ଜମାଖାତାରେ ଟଙ୍କା ପକାଇ ଆତ୍ମସାତ୍‌ କରିଥିବା ତଥ୍ୟ ସାମନାକୁ ଆସିବାରେ ଲାଗିଛି।

ପ୍ରକାଶ ଯେ, ୨୦୧୪-୧୫ରୁ ୨୦୨୦-୨୧ ବର୍ଷ ପର୍ଯ୍ୟନ୍ତ ନିର୍ମାଣ ଶେଷ ହୋଇଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘର ଓ ବିଜୁ ପକ୍କାଘରରେ ମାର୍ବଲ ଫଳକ ଲାଗାଇବାକୁ ଗତ ଫେବ୍ରୁଆରି ୧୮ତାରିଖ ଦିନ ଜିଲ୍ଲା ପ୍ରକଳ୍ପ ନିର୍ଦେଶକଙ୍କ ପତ୍ରସଂଖ୍ୟା ୬୮୪ରେ ଦେଓଗାଁ ବିଡିଓଙ୍କୁ ନିର୍ଦେଶ ଆସିଥିଲା। ଏହି ଚିଠିକୁ ନେଇ ସେତେବେଳେ ବିଡିଓ ଦାୟିତ୍ୱରେ ଥିବା ଏବିଡିଓ ଦୁର୍ନୀତିର ନୀଳନକ୍ସା ପ୍ରସ୍ତୁତ କରିଥିବା କର୍ମଚାରୀ ମହଲରେ ଆଲୋଚନା ହେଉଛି। କାମକୁ ଜଣେ ଭେଣ୍ଡର ଜରିଆରେ କରାଇବାକୁ ନିର୍ଦେଶ ଥିବା ବେଳେ ଜଣେ କର୍ମଚାରୀଙ୍କ ମାଧ୍ୟମରେ କରାଇଥିବା ଜଣାପଡ଼ିଛି। ଏହି ମାର୍ବଲ ଫଳକ ଲଗା କାମରେ ଜିଓଟ୍ୟାଗର୍‌ମାନଙ୍କୁ ନିୟୋଜିତ କରାଯାଇଥିଲା। ମାର୍ବଲ ଲଗା ବାବଦ ୫ ଟଙ୍କା ଓ ତଦାରଖ ବାବଦରେ ୧୫ ଟଙ୍କା ଲେଖାଏଁ ଦେଇଥିବା ଜଣେ ଜିଓଟ୍ୟାଗର୍‌ ନାମ ଗୋପନ ରଖି ପ୍ରକାଶ କରିଛନ୍ତି। ପଞ୍ଚାୟତଗୁଡ଼ିକରେ କିପରି ଭାବେ ଏହି ଫଳକ ଲାଗିଛି ତାକୁ ନେଇ ହାତୀସରା ପଞ୍ଚାୟତରେ ‘ସମ୍ବାଦ’ ପକ୍ଷରୁ ଅନୁସନ୍ଧାନ କରାଯାଇଥିଲା। ଏହି ପଞ୍ଚାୟତର ୨୨୦ଟି ଆବାସ ଯୋଜନା ଘରରେ ମାର୍ବଲ ଫଳକ ଲଗାଇବାକୁ ୪୦ ପେଟି ମାର୍ବଲ ଆସିଥିଲା। ହେଲେ କିଛି ବଣ୍ଟନ କରି ଗୋଟିଏ ଘରେ ବାକୁ ସବୁ ମାର୍ବଲକୁ ଲୁଚାଇ ରଖାଯାଇଥିବା ଦେଖିବାକୁ ମିଳିଛି।

ଖାଲି ସେତିକି ନୁହେଁ ମାର୍ବଲକୁ କିଏ କେମିତି ଭାବରେ ଲଗାଇବାକୁ କୁହାଯାଇଛି ବୋଲି ହାତୀସରା ଜିଓଟ୍ୟାଗର୍‌ ରମେଶ ଗଡ଼ତ୍ୟାଙ୍କୁ ପଚାରିବାରୁ ତାଙ୍କୁ କେବଳ ଲୋକଙ୍କୁ ଦେଇଦେବାକୁ କୁହାଯାଇଛି, ଯିଏ ଘର ସମ୍ପୂର୍ଣ୍ଣ କରିଛନ୍ତି ସିଏ ନେଇଛନ୍ତି ବୋଲି ସେ କହିଥିଲେ। କିନ୍ତୁ ବ୍ଲକ୍‌ ପ୍ରଶାସନ ପକ୍ଷରୁ ଆସିଥିବା ୧୧୪୫୦ଟି ମାର୍ବଲ ହିତାଧିକାରୀଙ୍କ ଘର କାନ୍ଥରେ ଲଗାଯାଇଛି ବୋଲି ନକଲି ବିଲ୍‌ ଭାଉଚର କରି ୭ ଲକ୍ଷ ୩୧ ହଜାର ୩୧୨ ଟଙ୍କା ଖର୍ଚ୍ଚ ଦର୍ଶାଯାଇଥିଲା। ଏହି ଅର୍ଥ ଭରଣା କରିଥିବାରୁ ଦୁର୍ନୀତି ସ୍ପଷ୍ଟ ପ୍ରମାଣିତ ହେଉଛି। ଏବେ ଟଙ୍କା ଆତ୍ମସାତକୁ ନେଇ ଜିଲ୍ଲା ପ୍ରଶାସନ ଖୋଲତାଡ଼ କରିବାରୁ ଛାନିଆଁ ହୋଇଛନ୍ତି ଦୁର୍ନୀତିଖୋର ଅଧିକାରୀ।

ଏଥିରେ ଲିପ୍ତ ଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉଛି ନା ଟଙ୍କା ଭରଣାରେ ତଦନ୍ତ ସୀମିତ ରହୁଛି ତାହା ଦେଖିବା ବାକି ରହିଛି। ଏନେଇ ଦେଓଗାଁ ବିଡିଓ ମୁରଲୀଧର ନାୟକଙ୍କୁ ପଚାରିବାରୁ ତଦନ୍ତ କରି ଜିଲ୍ଲା ପ୍ରଶାସନକୁ ରିପୋର୍ଟ ଦେବେ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର