ଦେଓଗାଁ: ବରଗଡ଼-ବୋରିଗୁମା ଜାତୀୟ ରାଜପଥ-୨୬ର ବଲାଙ୍ଗୀର ଜିଲ୍ଲା ଘୁଚିପାଲି ଛକ ନିକଟରେ ଗୁରୁବାର ସନ୍ଧ୍ୟାରେ ଏକ କାର୍ ଦୁର୍ଘଟଣାଗ୍ରସ୍ତ ହୋଇ ସଇନ୍ତଳା ଥାନା ଧରବଗଡ଼ ଗାଁର ସତ୍ୟନାରାୟଣ ବାରିକଙ୍କ ମୃତ୍ୟୁ ଘଟିଥିଲା। ଏଥିରେ ତାଙ୍କ ପରିବାରର ଅନ୍ୟ ୪ ଜଣ ଆହତ ହୋଇଥିଲେ। ଗୁରୁବାର ବିଳମ୍ବିତ ରାତିରେ ସତ୍ୟନାରାୟଣଙ୍କ ଝିଅ ସଇନ୍ତଳା ଥାନା ଲାଚୁଟ ଗାଁର ସ୍ନେହଲତା ମହାନନ୍ଦଙ୍କ ମୃତ୍ୟୁ ଘଟିଛି। ଏହା ଜଣାପଡ଼ିବା ପରେ ମୃତକଙ୍କ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
ପ୍ରକାଶ ଯେ ସତ୍ୟନାରାୟଣ ତାଙ୍କ ଝିଅ, ଜ୍ବାଇଁ, ସ୍ତ୍ରୀ ଓ ନାତୁଣୀଙ୍କୁ ନେଇ କାର୍ (ଓଡି ୦୮ କ୍ୟୁ ୮୩୦୯)ରେ ବଲାଙ୍ଗୀର ସହରକୁ ତାଙ୍କ ଶ୍ୱଶୁରଙ୍କ ଶେଷକୃତ୍ୟରେ ଯୋଗଦେବାକୁ ଗୁରୁବାର ଯାଇଥିଲେ। ସନ୍ଧ୍ୟାରେ ଫେରୁଥିବା ସମୟରେ ଘୁଚିପାଲି ଛକ ନିକଟରେ ରାସ୍ତାକଡ଼ର ତେନ୍ତୁଳି ଗଛରେ କାର୍ ଧକ୍କା ହୋଇଥିଲା। ପୁଲିସ ସେମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ବଲାଙ୍ଗୀର ପଠାଇଥିଲା। ବାଟରେ ସତ୍ୟନାରାୟଣଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟ ଆହତମାନେ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲେ। ରାତିରେ ଚିକିତ୍ସାଧୀନ ଅବସ୍ଥାରେ ସତ୍ୟନାରାୟଣଙ୍କ ଝିଅ ସ୍ନେହଲତାଙ୍କ ମୃତ୍ୟୁ ଘଟିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/dead-bbc-1.jpg)