ଆଶା, ଆଶଙ୍କାରେ ଶିଳ୍ପସଂସ୍ଥା: ଖୋଲିବ ତ ଦେଓଗାଁ ଚିନିକଳ?

୭ ବର୍ଷ ହେବ ବନ୍ଦ ରହିଛି, ମୂଲ୍ୟଠାରୁ ଋଣ ବୋଝ ଅଧିକ, ଚଳାଇବାକୁ ପ୍ରସ୍ତୁତ ବୋଲି କହିଥିଲେ କେନ୍ଦ୍ରମନ୍ତ୍ରୀ

ଦେଓଗାଁ: ଆର୍ଥିକ ଅନଟନ ଓ ଋଣ ବୋଝ ଯୋଗୁଁ ବଲାଙ୍ଗୀର ଜିଲ୍ଲା ଦେଓଗାଁସ୍ଥିତ ବିଜୟାନନ୍ଦ ସମବାୟ ଚିନିକଳ ୭ବର୍ଷ ହେଲା ବନ୍ଦ ହୋଇ ପଡ଼ିରହିଛି। ଏହା ପୁଣି ଚାଲିବ କି ଚାଲିବନି ସେ ନେଇ କେହି ଠିକ୍‌ ଭାବେ କିଛି କହିପାରୁନାହାନ୍ତି। ମନ୍ତ୍ରୀ ନେତାମାନେ କାରଖାନା ପୁଣି ଚାଲୁ ହେବ ବୋଲି ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ଦେଉଛନ୍ତି। କିନ୍ତୁ ରାଜନୀତିର ପଶାପାଲିରେ ଆଶା ଓ ଆଶଙ୍କାର ଦୋ’ଛକିରେ ରହିଯାଇଛନ୍ତି ଅଞ୍ଚଳର ଆଖୁଚାଷୀ। କାରଖାନାର ଶ୍ରମିକ ଓ କର୍ମଚାରୀମାନେ ବି ହନ୍ତସନ୍ତ। ବାହାରର ଶ୍ରମିକ ଛାଡ଼ି ଚାଲିଗଲେଣି। ସ୍ଥାନୀୟ ଅଞ୍ଚଳର ଶ୍ରମିକମାନେ ବି ଦାଦନ ଖଟିବାକୁ ଏବେ ଅନ୍ୟରାଜ୍ୟ ମୁହାଁ।

୧୯୯୨-୯୩ ମସିହାରେ ପୋନ୍ନି ସୁଗର ନାମରେ ଆରମ୍ଭ ହୋଇଥିଲା ଏହି ଚିନିକଳ। ପଛୁଆ ବଲାଙ୍ଗୀର ଜିଲ୍ଲାର ଏକମାତ୍ର କୃ‌ଷିଭିତ୍ତିକ ଶିଳ୍ପକେନ୍ଦ୍ର ପାଲଟିଥିଲା ଦେଓଗାଁ। ଦିନକୁ ୨୫ଶହ ଟନ୍‌ ଆଖୁ ପେଡ଼ିବା ପାଇଁ କ୍ଷମତା ଥିଲା କାରଖାନାର। ବଲାଙ୍ଗୀର ଜିଲ୍ଲା ସମେତ ସୁବର୍ଣ୍ଣପୁର, ନୂଆପଡ଼ା, କଳାହାଣ୍ଡି ଓ ବୌଦ୍ଧ ଜିଲ୍ଲାର ଆଖୁ ଚାଷୀ ଏହାଦ୍ବାରା ଉପକୃତ ହେଉଥିଲେ। ଉପରୋକ୍ତ ୬ ଜିଲ୍ଲାର ୧୫୪୪ଟି ଗାଁର ୭୦୫୬ ଜଣ ଚାଷୀ ଚିନିକଳ ସହ ଅନୁବନ୍ଧିତ ହୋଇଥିଲେ। ଚିନିକଳରେ ୧୪୦ ଜଣ ସ୍ଥାୟୀ ଏବଂ ୧୬୦ ଜଣ ଅସ୍ଥାୟୀ କର୍ମଚାରୀ କାମ କରୁଥିଲେ। ତେବେ ଆର୍ଥିକ ଅନଟନ ଦେଇ ଗତି କରୁଥିବାରୁ ଋଣ ଦେଇଥିବା ସଂସ୍ଥା ୨୦୦୧ ମସିହା ଜାନୁଆରି ୧୪ ତାରିଖରେ କାରଖାନାକୁ ଜବତ କରିଥିଲା। କିଛି ଦିନ ବନ୍ଦ ରହିବା ପରେ ବିଭିନ୍ନ ବ୍ୟାଙ୍କ ଓ ସରକାରୀ ସଂସ୍ଥାରୁ ସହାୟତା ନେଇ ୨୦୦୫ରେ ବିଜୟାନନ୍ଦ ସମବାୟ ଚିନିକଳ ଭାବେ ପୁଣି କାରଖାନା ଚାଲିଥିଲା। ମାତ୍ର ବିଭିନ୍ନ କାରଣରୁ ୨୦୧୩ରୁ ବର୍ତ୍ତମାନ ପର୍ଯ୍ୟନ୍ତ ବନ୍ଦ ହୋଇପଡ଼ିଛି। କୁହାଯାଏ ରାଜନୈତିକ ପଶାପାଲିରେ ବଳି ପଡ଼ିଥିଲା ବିଜୟାନନ୍ଦ ଚିନିକଳ। ଏକଦା ସମବାୟ ସମ୍ରାଟ୍‌ ଉପାଧି ପାଇଥିବା ଯଜ୍ଞେଶ୍ବର ବାବୁ ଏହି କାରଖାନା ଚଳାଇବା ଦିଗରେ ପ୍ରମୁଖ ଭୂମିକା ନେଇଥିଲେ। ମାତ୍ର ପ୍ୟାରୀମୋହନ ମହାପାତ୍ରଙ୍କ ନିକଟତମ ଲୋକ ଭାବେ ପରିଚିତ ଯଜ୍ଞ‌େଶ୍ବର ପରବର୍ତ୍ତୀ ସମୟରେ ସରକାରଙ୍କ କୃପାଦୃଷ୍ଟିରୁ ବଞ୍ଚିତ ହେଲେ। ଏଥିସହ କାରଖାନାରେ ବିଭିନ୍ନ ଆର୍ଥିକ ଅନିୟମିତତାର ଅଭିଯୋଗ ପରେ ପୁଣି ବନ୍ଦ ହୋଇଗଲା ଏହି ଚିନିକଳ। ଏହାପରେ ଜିଲ୍ଲାକୁ ପ୍ରଧାନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ଓ ରାଜ୍ୟର ମନ୍ତ୍ରୀମାନେ ବିଭିନ୍ନ ସମୟରେ ଗସ୍ତ କରିଛନ୍ତି। କିନ୍ତୁ ଆଖୁ ଚାଷୀଙ୍କ ପ୍ରକୃତ ସମସ୍ୟା ସମାଧାନ ପ୍ରତି କେହି ଆନ୍ତରିକତା ଦେଖାଇ ନାହାନ୍ତି। ଗତବର୍ଷ ଜାନୁଆରି ୧୪ ତାରିଖ ଦିନ ବଲାଙ୍ଗୀର ସହରରେ ଏକ ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବନ୍ଦ ହୋଇଥିବା ଏହି ଚିନିକଳ ଚଳାଇବାକୁ କେନ୍ଦ୍ର ସରକାର ପ୍ରସ୍ତୁତ ବୋଲି ଘୋଷଣା କରିଥିଲେ। ହେଲେ ଆଜି ପର୍ଯ୍ୟନ୍ତ କିଛି ହୋଇ ନାହିଁ। ତେଣୁ ୭ ବର୍ଷ ହେଲା ବନ୍ଦ ଥିବା ଚିନିକଳ କେବେ ଚାଲିବ ତାହାକୁ ନେଇ ଚାଷୀମାନେ ଚିନ୍ତାରେ ଅଛନ୍ତି।

ଅନ୍ୟପକ୍ଷରେ, ଚିନିକଳର ମୂଲ୍ୟ ଠାରୁ ଋଣ ବୋଝ ଅଧିକ ଥିବାରୁ ଓଡ଼ିଶା ରାଜ୍ୟ କେନ୍ଦ୍ର ସମବାୟ ବ୍ୟାଙ୍କ କାରଖାନାକୁ ନିଲାମ କରିବା ପାଇଁ ବାରମ୍ବାର ଚେଷ୍ଟା ଚଳାଇଛି। ୫୨କୋଟି ୨୩ ଲକ୍ଷ ଟଙ୍କାରେ ୪.୮.୧୭ରେ ପ୍ରଥମ ନିଲାମ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ନିଲାମରେ ନେଉଥିବା ସଂସ୍ଥା କାରଖାନାକୁ ବିକ୍ରି କରିପାରିବ ନାହିଁ ଏବଂ ନିଶ୍ଚିତ ଭାବେ ଏହାକୁ ଚଳାଇବ ବୋଲି ସର୍ତ୍ତ ଥିବାରୁ ଅନେକ ସଂସ୍ଥା ଓହରି ଯାଇଥିଲେ। ଦୁଇଥର ନିଲାମ ଉଦ୍ୟମ ବିଫଳ ହେଲାଣି। ସରକାର ଆର୍ଥିକ ସହଯୋଗ ଦେଲେ ଏହି କାରଖାନା ଚାଲିପାରନ୍ତା। କିନ୍ତୁ ଏହା ଉପରେ କାହାର ଧ୍ୟାନ ନାହିଁ। କାରଖାନା ଚଳାଇବାକୁ ନେଇ ସରକାରୀ ଦଳର ଉଦାସୀନତାକୁ ବିରୋଧୀ ଦଳ ନେତାମାନେ ବିରୋଧ କରୁଛନ୍ତି। ମାତ୍ର ଏହି ବିରୋଧ ବି ପ୍ରଭାବଶାଳୀ ମନେ ହେଉନାହିଁ। ସେପଟେ ଚୋରଙ୍କ ଲୋଲୁପ ନଜରରୁ ବର୍ତ୍ତିପାରୁନି ଅଚଳ ଚିନିକଳ। ଜଗୁଆଳୀ ଥିଲେ ମଧ୍ୟ ଏଥିରୁ ବାରମ୍ବାର ଚୋରି ହେବାରେ ଲାଗିଛି। ଯନ୍ତ୍ରପାତି ବି ଖତ ଖାଉଛି। ତୁରନ୍ତ କିଛି ଉଦ୍ୟମ ନ ହେଲେ ଏହା କେବଳ ଟିଣ ଲୁହା ଦରରେ ହିଁ ବିକ୍ରି ହେବ, ଏଥିରେ ସନ୍ଦେହ ନାହିଁ।

ସମ୍ବନ୍ଧିତ ଖବର