ଦେବଗଡ଼ : ମୋବାଇଲ ଟାୱାର ନାହିଁ ତ ଭୋଟ୍ ନାହିଁ। ଏହି ଦାବିରେ ଦେବଗଡ଼ ଜିଲ୍ଲା ତିଲେଇବଣି ବ୍ଲକ୍ ଡିମିରିକୁଦା, ଗଣ୍ଡମ, ଝରାଗୋଗୁଆ, ପାରପୋଷି, ଝାରମୁଣ୍ଡା ପଞ୍ଚାୟତବାସୀ ଭୋଟ୍ ବର୍ଜନ ନିଷ୍ପତ୍ତ ନେଇଥିଲେ। ଫଳରେ ନାମାଙ୍କନପତ୍ର ଦାଖଲର ଶେଷ ଦିନରେ ବି କୌଣସି ପ୍ରାର୍ଥୀ ପ୍ରାର୍ଥିପତ୍ର ଦାଖଲ କରିପାରି ନଥିଲେ।
ଏହି ଅଞ୍ଚଳରେ ମୋବାଇଲ ନେଟୱାର୍କ ଆସୁ ନଥିବାରୁ ଲୋକେ ଶିକ୍ଷା, ସ୍ବାସ୍ଥ୍ୟ ଭଳି ମୌଳିକ ସୁବିଧାରୁ ବଞ୍ଚିତ ହେଉଥିଲେ। ରାଜ୍ୟ ସରକାର ଏ ବାବଦରେ ଏକ ଘରୋଇ ଟେଲିକମ୍ ସଂସ୍ଥା ସହିତ ଆଲୋଚନା ମଧ୍ୟ କରିଥିଲେ। ତେବେ ଝରାଗୋଗୁଆ ଗ୍ରାମରେ ମୋବାଇଲ ଟାୱାର ନିର୍ମାଣ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନ ନିରୂପଣ କରାଯିବା ସହିତ ମୋବାଇଲ ଟାୱାର ପାଇଁ ଗାତ ଖୋଳା ଆରମ୍ଭ କରାଯାଇଥିଲା। ପ୍ରାର୍ଥୀ ନଥିବା ଆସନ ପାଇଁ ନାମାଙ୍କନ ଦାଖଲ ନିମନ୍ତେ ନିର୍ବାଚନ କମିସନର ସାନି ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ୨୯ ତାରିଖଠାରୁ ଆରମ୍ଭ ହୋଇଥିଲା। ଏହାପରେ ଉକ୍ତ ୫ ପଞ୍ଚାୟତରେ ଆଶାୟୀ ପ୍ରାର୍ଥୀମାନେ ନାମାଙ୍କନପତ୍ର ଦାଖଲ କରିଥିଲେ।
ଅନ୍ୟପକ୍ଷରେ ଶୁକ୍ରବାର ଝରାଗୋଗୁଆ ଗ୍ରାମରେ ଟାୱାର ନିର୍ମାଣ ସାମଗ୍ରୀ ପହଞ୍ଚିବା ପରେ ଟାୱାର ନିର୍ମାଣ ଆରମ୍ଭ ହୋଇଛି। ଫଳରେ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି। ଉକ୍ତ ଅଞ୍ଚଳରେ ମୋବାଇଲ ଟାୱାର ନିର୍ମାଣ କାର୍ଯ୍ୟ ରାଜ୍ୟ ଆରମ୍ଭ ହୋଇଥିବାରୁ ବିଜେଡି ତରଫରୁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦିଆଯାଇଛି। ଜିଲ୍ଲା ବିଜେଡି କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଜେଡିର ରାଜ୍ୟ ମୁଖପାତ୍ର ଗୌତମ ବୁଦ୍ଧ ଦାସ ଏହି ସୂଚନା ଦେଇଥିଲେ। ସେହିପରି ଡିମିରକୁଦା ଏବଂ ପାରପୋଷି ପଞ୍ଚାୟତରେ ମଧ୍ୟ ଟାୱାର ନିର୍ମାଣ ହେବ ବୋଲି ଶ୍ରୀ ଦାସ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/df43b331-bef1-473d-bc3d-787242b5bc9d.jpg)