ଦେବଗଡ଼: ସରପଞ୍ଚ ପ୍ରାର୍ଥୀ ଭାବେ ଗୋଟିଏ ପରିବାରର ୨ ଯାଆଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତାକୁ ନେଇ ଚର୍ଚ୍ଚା

ଦେବଗଡ଼ : ଚଳିତ ପଞ୍ଚାୟତ ନିର୍ବାଚନରେ ମୈଦାନରେ ଥିବା ପ୍ରାର୍ଥୀଙ୍କୁ ନେଇ ମଜାଦାର ଘଟଣାମାନ ନଜରକୁ ଆସୁଛି। କେଉଁଠି କକା-ପୁତୁରା, ଆଈ-ନାତୁଣୀ, ଭାଇ-ଭାଇ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେଉଥିବା ନଜରକୁ ଆସିଛି। ଏବେ ଦେବଗଡ଼ ଜିଲ୍ଲାରେ ଗୋଟିଏ ପରିବାରର ୨ ଯାଆ ନିର୍ବାଚନ ଲଢ଼େଇକୁ ଓହ୍ଲାଇଛନ୍ତି। ସରପଞ୍ଚ ପ୍ରାର୍ଥୀ ଭାବେ ଉଭୟ ଲଢ଼େଇ କରୁଛନ୍ତି।

ବାରକୋଟ ବ୍ଲକ ଅନ୍ତର୍ଗତ ସରୁଆଳି ପଞ୍ଚାୟତର ସରପଞ୍ଚ ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ଏହି ଆସନ ପାଇଁ ୫ ଜଣ ମହିଳା ପ୍ରାର୍ଥିନୀ ନିର୍ବାଚନ ମଇଦାନରେ ରହିଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ଗୋଟିଏ ପରିବାରର ୨ ଯା’। ସରୁଆଳି ଗ୍ରାମର ଈଶ୍ବର ଚନ୍ଦ୍ର ପ୍ରଧାନଙ୍କ ୩ ପୁଅ। ବଡ଼ପୁଅ ଅମିତ ପ୍ରଧାନଙ୍କ ସ୍ତ୍ରୀ ପ୍ଲାବନୀ ସରପଞ୍ଚ ପ୍ରାର୍ଥୀ ଭାବେ ଖୋଲା ବହି ଚିହ୍ନରେ ଓ ତାଙ୍କ ସାନ ଯାଆ ତଥା ଅଜିତ ପ୍ରଧାନଙ୍କ ସ୍ତ୍ରୀ ସୁଭଦ୍ରା ଖୋଲା ଛତା ଚିହ୍ନରେ ନିର୍ବାଚନ ଲଢ଼ୁଛନ୍ତି। ଗୋଟିଏ ପରିବାରର ୨ ଯାଆ ନିର୍ବାଚନରେ ପରସ୍ପରର ପ୍ରତିଦ୍ବନ୍ଦ୍ବୀ ହେବା ଏଠାରେ ଚର୍ଚ୍ଚାର ବିଷୟ ପାଲଟିଛି। ଉଭୟ ନିର୍ବାଚନ ପ୍ରଚାରକୁ ମଧ୍ୟ ଜୋରଦାର କରୁଥିବା ଦେଖାଯାଇଛି।

ସମ୍ବନ୍ଧିତ ଖବର