ଦେବଗଡ଼ : ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶୀତତାପ ନିୟନ୍ତ୍ରିତ କକ୍ଷ (ଏସି)ରେ ଦେବଗଡ଼ ବିଧାୟକ ସୁବାସଚନ୍ଦ୍ର ପାଣିଗ୍ରାହୀଙ୍କୁ ରଖିବାପାଇଁ ନିଆଁରେ ପୋଡ଼ି ଗୁରୁତର ହୋଇଥିବା ଜଣେ ୭ବର୍ଷର ଝିଅକୁ ସ୍ଥାନାନ୍ତରିତ କରାଯାଇଛି। ଘଟଣାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଥିବାବେଳେ ବିଜେଡି ପକ୍ଷରୁ ଏହାକୁ ନିନ୍ଦା କରାଯାଇଛି।

Advertisment

ମିଳିଥିବା ସୂଚନା ଅନୁଯାୟୀ, ବାରକୋଟ ବ୍ଲକ ଅନ୍ତର୍ଗତ ଚକ୍ରପାଲି ଗ୍ରାମର ଗୋବିନ୍ଦ ନାୟକଙ୍କ ଶିଶୁ କନ୍ୟା ସ୍ନେହା ଜନ୍ମହେବାର ୭ ମାସ ପରେ ମା’କୁ ହରାଇଥିଲା। ବାପା ଗୋବିନ୍ଦ ମଧ୍ୟ ଅନ୍ୟ ଜଣେ ସ୍ତ୍ରୀ ସହ ଘର ଛାଡ଼ି ଚାଲିଯିବା ପରେ ଅସହାୟ ଶିଶୁକନ୍ୟାର ଦାୟିତ୍ୱ ଜେଜେ ବାପା, ଜେଜେ ମା’ ନେଇଥିଲେ। ଜାନୁଆରି ମାସରେ ନିଆଁ ପୁଉଁଥିବାବେଳେ ସ୍ନେହାର ପିନ୍ଧା ଡ୍ରେସରେ ନିଆଁ ଲାଗିଯିବାରୁ ସେ ଗୁରୁତର ଭାବେ ପୋଡ଼ି ଯାଇଥିଲେ। ପଡ଼ୋଶୀଙ୍କ ସହାୟତାରେ ନାତୁଣୀ ସ୍ନେହାକୁ ଜେଜେ ଦେବଗଡ଼ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଅର୍ଥ ଅଭାବରୁ ଗୁରୁତର ସ୍ନେହାକୁ ଚିକିତ୍ସାଧୀନ ଅବସ୍ଥାରେ ଜେଜେ ଘରକୁ ନେଇ ଆସିଥିଲେ। ତେବେ ଆଜବେଷ୍ଟସ ଘରେ ଗରମ ବାତାବରଣରେ ସ୍ନେହାର ଘା ଗୁରୁତର ହେଉଥିବା ଦେଖି ନାତୁଣୀକୁ ବଞ୍ଚାଇବା ପାଇଁ ଜେଜେ ବିଭିନ୍ନ ଲୋକଙ୍କୁ ଗୁହାରି କରିଥିଲେ। ଏହି ଘଟଣା ଜିଲ୍ଲା ପ୍ରଶାସନ ଦୃଷ୍ଟିରେ ପଡ଼ିବା ପରେ ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲଙ୍କ ନିର୍ଦ୍ଦେଶରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଓ ବ୍ଲକ ପ୍ରଶାସନ ଗୁରୁତର ସ୍ନେହାକୁ ଚକ୍ରପାଲି ଗ୍ରାମରେ ଥିବା ଜେଜେଙ୍କ ଘରୁ ଗତ ୨୫ ତାରିଖରେ ଉଦ୍ଧାର କରି ପୁଣିଥରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଡାକ୍ତରଖାନା ପକ୍ଷରୁ ମାଗଣା ଚିକତ୍ସା ସୁବିଧା ଯୋଗାଇ ଦେବାସହ ସ୍ନେହାକୁ ଡାକ୍ତରଖାନାର ସ୍ୱତନ୍ତ୍ର କ୍ୟାବିନରେ ଭର୍ତ୍ତି କରାଯାଇଥିଲା। ମାତ୍ର, ତିଲେଇବଣି ବ୍ଲକ ବିଡିଓ କୃଷ୍ଣଚନ୍ଦ୍ର ଦଳପତିଙ୍କୁ ଆକ୍ରମଣ ଅଭିଯୋଗରେ ଗିରଫହୋଇ ବିଚାର ବିଭାଗୀୟ ହାଜତକୁ ଯାଇଥିବା ଦେବଗଡ଼ ବିଜେପି ବିଧାୟକ ଶ୍ରୀ ପାଣିଗ୍ରାହୀ ଅସୁସ୍ଥ ହେବାରୁ ତାଙ୍କୁ ଉକ୍ତ କକ୍ଷରେ ରଖାଯାଇ ଶିଶୁ କନ୍ୟାକୁ ଅନ୍ୟ ଏକ ୱାର୍ଡକୁ ସ୍ଥାନାନ୍ତରିତ କରାଯାଇଛି।

ଏନେଇ ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସାଧନା ଦାଶଙ୍କ ସହିତ ଯୋଗାଯୋଗ କରାଯାଇଥିଲା। ତାଙ୍କର ମୋବାଇଲ ସୁଇଚ୍‌ ଅଫ ଥିବାରୁ ତାଙ୍କର ମତାମତ ମିଳି ପାରିନାହିଁ। ଅନ୍ୟପକ୍ଷରେ ଏହାକୁ ନେଇ ବିଜେଡି ଜିଲ୍ଲା ସଭାପତି ରୋମାଞ୍ଚ ରଂଜନ ବିଶ୍ବାଳ ଦୃଢ଼ ନିନ୍ଦା କରିଛନ୍ତି। ସ୍ବାସ୍ଥ୍ୟକେନ୍ଦ୍ରରେ ସମସ୍ତଙ୍କ ପ୍ରତି ସମାନ ବ୍ୟବହାର କରାଯିବା କଥା, ମାତ୍ର ବିଧାୟକ ବୋଲି ତାଙ୍କୁ ସ୍ବତନ୍ତ୍ର କକ୍ଷର ଦେବା ଯୁକ୍ତିଯୁକ୍ତ ନୁହେଁ ବୋଲି ଶ୍ରୀ ବିଶ୍ବାଳ କହିଛନ୍ତି।